Unknown

 

 

 

 

 

 

 

 

 

 

ରାମର ସୁମତି

ମୂଳରଚନା : ଶରତ୍‌ ଚନ୍ଦ୍ର

ଅନୁବାଦ : ବଂଶୀଧର ଭୂୟାଁ

 

ରାମର ସୁମତି

 

ଗାଁବାଲାଙ୍କର କାହାକୁ ଡର ତ, ସେ ହେଉଛି ରାମ । ରାମ ଛୋଟ ପିଲାଟିଏ ସତ; କିନ୍ତୁ ଦୁଷ୍ଟାମୀରେ ସମସ୍ତଙ୍କୁ ବଳିଯାଇଥିଲା । ଲୋକଙ୍କୁ ହଇରାଣ କରିବା ଉଦ୍ଦେଶ୍ୟରେ ସେ ସବୁବେଳେ କିଛି ନା କିଛି କୌଶଳ ଚିନ୍ତା କରୁଥାଏ । ଗାଁ ଲୋକେ ବି ତାକୁ ଦୂରରୁ ଦେଖିଲେ ବିପଦର ଆଶଙ୍କା କରନ୍ତି । କୋଉ ମୁହୂର୍ତ୍ତରେ କିଏ ଯେ ତା’ ଫାନ୍ଦରେ ପଡ଼ିଯିବ, ତାହା ଧାରଣା କରିବା ବି କଠିନ ।

 

ସେ ଦୁଇ ଭାଇ । ବଡ଼ ଭାଇ ନାଁ ଶ୍ୟାମଲାଲ । ଦୁହେଁ ସାବତ ଭାଇ । ଶ୍ୟାମଲାଲ ଗାଁ ଜମିଦାରଙ୍କ କଚେରୀରେ କାମ କରନ୍ତି । ଗାଁରେ ଅଳ୍ପ କିଛି ଚାଷ ଜମି ବି ଅଛି । ପୋଖରୀ, ବଗିଚା, ଖମାର ଆଦି ମଧ୍ୟ ଅଛି । ଏହାଛଡ଼ା କେତେକ ନୀଚ ଜାତିର ଲୋକେ ତାଙ୍କ ଜାଗାରେ ଘର କରି ଚଳପ୍ରଚଳ ହୁଅନ୍ତି । ଗାଁରେ ତାଙ୍କ ଅବସ୍ଥା ଏକପ୍ରକାର ଭଲ କହିଲେ ଚଳେ ।

 

ନାରାୟଣୀ ଶ୍ୟାମଲାଲର ସ୍ତ୍ରୀ । ତେର ବର୍ଷ ଆଗେ ସେ ଶ୍ୟାମଲାଲ ଘରକୁ ବୋହୂ ହୋଇ ଆସିଥିଲା । ସେଇ ବର୍ଷ ରାମର ବିଧବା ମା’ର ମୃତ୍ୟୁ ବି ହୁଏ । ମଲାବେଳେ ସେ ଏଡ଼େବଡ଼ ସଂସାରର ବୋଝ ନାରାୟଣୀ କାନ୍ଧରେ ଲଦିଦେଇ ଗଲେ । ତା’ ସହିତ ରାମକୁ ବି ତା’ ଜିମା କରିଦେଇ ଗଲେ । ଦୁଇଟିଯାକ ଦାୟିତ୍ୱ ନାରାୟଣୀ ଖୁବ୍‌ ହୁସିଆରରେ ଚଳେଇଛି, ଏ ପର୍ଯ୍ୟନ୍ତ ବି ସମ୍ଭାଳିଛି । ଏଥିପାଇଁ ହୁଏତ ସ୍ୱର୍ଗରୁ ଶାଶୁବୁଢ଼ୀର ଆତ୍ମା ତାକୁ ଆଶୀର୍ବାଦ କରୁଥିବ ।

 

ରାମ ଉପରେ ନାରାୟଣୀର ସ୍ନେହ କହିଲେ ନ ସରେ । ଏପରିକି ନିଜ ପୁଅ ଗୋବିନ୍ଦଠୁ ବି ରାମକୁ ଅଧିକ ଭଲପାଏ ସେ । ଦଣ୍ଡେ ନ ଦେଖିଲେ ବଣା ହୋଇଯାଏ । ରାମ ମଧ୍ୟ ସ୍ନେହମୟୀ ଭାଉଜକୁ କମ୍‌ ଆଦର କରେ ନା । ଦୁନିଆଁରେ ସେ ଯଦି କେତେବେଳେ କାହା କଥା ଭାବେ ତ, ସେ ହେଉଛି ତା’ ଭାଉଜବୋଉ ।

 

ବର୍ଷାଦିନ । ସହଜେ ଗାଁ ଅବସ୍ଥା କହିଲେ ନ ସରେ । ସେଥିରେ ପୁଣି ବଙ୍ଗଳାର ଗାଁ । ଏ ଋତୁ ମେଲେରିଆ ପାଇଁ ଅନୁକୂଳ ସମୟ । ଥରେ ଆରମ୍ଭ ହେଲେ ଆଉ ଶେଷ ନ ହୁଏ । ମେଲେରିଆ ପଛକୁ ଆଉ କେତେକ ରୋଗ ବି ଆସ୍ଥାନ ମାଡ଼ିବସନ୍ତି । ଲୋକେ ଅନ୍ୟନ୍ୟୋପାୟ ହୋଇ ପୋକମାଛି ପରି ମରନ୍ତି । ସବୁ ବର୍ଷ ପରି ଏ ବର୍ଷ ମଧ୍ୟ ରାମ ଗାଁରେ ମେଲେରିଆର ଶୁଭାଗମନ ହେଲା । ଲୋକେ ଆତଙ୍କ ଗଣିଲେ । ଆଖପାଖ ଗାଁ ଭିତରେ ନୀଳମଣି ସରକାର ହେଉଛନ୍ତି ଏକମାତ୍ର ଡିଗ୍ରୀଧାରୀ ଡାକ୍ତର । ସକାଳୁ ସଞ୍ଜ ପର୍ଯ୍ୟନ୍ତ ଲୋକେ ତାଙ୍କୁ ଘେରିଥାଆନ୍ତି ମିଠା ଜିନିଷ ଚାରିପାଖେ ମାଛି ଘେରିଲା ପରି । ଏଇ ସମୟରେ ତାଙ୍କ ପାଉଣାର ମାତ୍ରା ଟଙ୍କାକରୁ ଦୁଇଟଙ୍କା ବଢ଼ିଯାଏ । ପୁଣି କୁଇନାଇନ୍‌ ବଦଳରେ ମଇଦା ଆଉ ଆରାରୁଟ୍‌ ପୁଡ଼ିଆ ବାନ୍ଧି ଔଷଧ ଭାବରେ ଚଳେଇ ଦିଅନ୍ତି । ନିପଟ ମଫସଲି ଲୋକେ ଏ ବେପାରୀ କାଇଦା ଜାଣୁଛନ୍ତି କେତେକ-? ଡାକ୍ତର ତ ସେମାନଙ୍କ ଆଗରେ ସାକ୍ଷାତ ବିଷ୍ଣୁଙ୍କ ଅବତାର । ଏଣୁ ସେ ହାତ ଟେକି ଯାହା ଦେଲେ, ତାଙ୍କୁ ଅମୃତ ଭାବି ପାନ କରିବା କଥା । ସେଥିରେ ଯେଉଁମାନେ ଆରୋଗ୍ୟ ହେଉଥିଲେ, ସେମାନଙ୍କ ପାଖରେ ତ ଡାକ୍ତରବାବୁ ପ୍ରକୃତରେ ଦେବତା; କିନ୍ତୁ ଯେଉଁମାନେ ଚିରଦିନ ପାଇଁ ମୁକ୍ତି ପାଉଥିଲେ, ସେମାନଙ୍କ ଜ୍ଞାତିକୁଟୁମ୍ୱ ବିଚରା ଡାକ୍ତରଙ୍କୁ ଦୋଷୀ ସାବ୍ୟସ୍ତ କରନ୍ତିନି । ନିଜ ଗ୍ରହଦୋଷରୁ ସେ ନିର୍ବାଣ ପ୍ରାପ୍ତ ହେଲା । ଏଥିରେ ଡାକ୍ତରର ଦୋଷ କ’ଣ ?

 

ଏଇପରି ଭାବରେ ଡାକ୍ତର ନୀଳମଣି ସରକାର ଆସ୍ତେ ଆସ୍ତେ ଲକ୍ଷ୍ମୀଙ୍କର ବରପୁତ୍ର ପାଲଟୁଥିଲେ ।

 

ଏଥରକ ନାରାୟଣୀ ମେଲେରିଆରେ ପଡ଼ିଲା । ସାତ ଦିନ ହେଲଣି ଦେହରୁ ତାତି କମିବାକୁ ନାହିଁ । ଶ୍ୟାମଲାଲ ଚିନ୍ତାରେ ଭାଙ୍ଗିପଡ଼ିଛନ୍ତି । ରାମ ନିଜ ଭାଉଜ ପାଖେ ପାଖେ ଥାଏ । ବେଳେ ବେଳେ ଏ ଘର ସେ ଘର ଟହଲ ମାରେ । ଭାଉଜର ଏ ଅବସ୍ଥା ଦେଖି ତା’ ଆଖି ଜକେଇ ଆସେ । ଜର କୋପରେ ଆଖି ଦି’ଟା ଢେଗା ଢେଗା ଦିଶୁଚି । ମୁହଁ ଛେତା ହେଇଯାଇଚି । ଭାଉଜ ମୁହଁରେ ସବୁବେଳର ସେ ହସ ନାହିଁ । ତା’ ସାନ ବୁଦ୍ଧିରେ ସେ ମନେ ମନେ ଭାବେ, କି ଉପାୟ କଲେ ସାଙ୍ଗେ ସାଙ୍ଗେ ଭାଉଜ ଆରୋଗ୍ୟ ହୋଇଯାଆନ୍ତା ! କିନ୍ତୁ ନାଚାର । ସେ ଉପାୟ ସେ ଜାଣେ ନା ।

 

ନୂତ୍ୟକାଳୀ ଡାକ୍ତରକୁ ଡାକିବାକୁ ଯାଇଥିଲା । ସେ ଫେରିଆସି କହିଲା, ‘‘ଆଜି ଡାକ୍ତରବାବୁ ଆସିପାରିବେ ନି । ଆଉ ଗୋଟିଏ ଗାଁରୁ ତାଙ୍କ ଡାକରା ଆସିଚି । ସେଠୁ ସେ ଚାରି ଟଙ୍କା ଫିସ୍‌ ପାଇବେ ।’’

 

ନୃତ୍ୟକାଳୀର କଥା ସରିଛି କି ନାହିଁ, ଶ୍ୟାମଲାଲ ପାଟି କରି ଉଠିଲେ–‘‘ଆସିବେନି କେମିତି, ମୁଁ କ’ଣ ଚାରି ଟଙ୍କା ଦେଇ ପାରିବିନି । ଯା, ସାଙ୍ଗେ ସାଙ୍ଗେ ଡାକିଆଣେ, ଜୀବନ ବଡ଼ ନା ପଇସା... ।’’

 

ନିର୍ଜୀବ ଭଳି ପାଖଘର ବିଛଣା ଉପରେ ପଡ଼ିଥିବା ନାରାୟଣୀ ବି ଏ କଥା ଶୁଣିଲା । ଥରା ଗଳାରେ କହିଲା, ‘‘ଶୁଣୁଛ, ତମେ ଏପରି ଅଥୟ ହୁଅନା । ସାମାନ୍ୟ ଜର । ଆଜି ନ ଆସିଲେ ନାହିଁ, କାଲି ଆସି ଡାକ୍ତର ଦେଖିଯିବେ । ଦିନକ ଭିତରେ ଏପରି କି କ୍ଷତିଟା ହେଇଯାଉଚି ଯେ... ।’’

 

ଅଗଣାରେ ଥିବା ପିଜୁଳି ଗଛତଳେ ବାଉଁଶପାତିଆ ଛାଞ୍ଚି ଜମା କରିଥାଏ ରାମ । ଚଢ଼େଇ ଧରିବା ପାଇଁ ପିଞ୍ଜରା ତିଆରି କରିବ । ତା’ କାନରେ ବି ଏକଥା ପଡ଼ିଗଲା । ସହଜେ ତ ଭାଉଜ ଦେହ ଅସୁସ୍ଥ ଥିବାରୁ ତା ମନ ଭଲ ନ ଥିଲା । ସେଥିରେ ପୁଣି ଡାକ୍ତରବାବୁ ନ ଆସିବା କଥା ଶୁଣି ସବୁ ରାଗ ତାଙ୍କରି ଉପରେ ଆଜାଡ଼ି ହେଇଗଲା । ସେ ହଠାତ୍‌ ଉଠିଆସି ଦୁଆରବନ୍ଧ ଆଗରେ ନୃତ୍ୟକାଳୀକୁ କହିଲା, ‘‘ତୁ ରହ ନିତ୍ୟା, ମୁଁ ଯାଉଛି ।’’

 

ଦିଅର କଥା ଶୁଣି ନାରାୟଣୀ ହଠାତ୍‌ ଉଠିବସିଲା । କହିଲା, ‘‘ତାକୁ ଅଟକାଅ । ବାହାରକୁ ଛାଡ଼ନା ।’’ ତା’ପରେ ରାମ ଉଦ୍ଦେଶ୍ୟରେ ପାଟି କରି ଉଠିଲା, ‘‘ରାମ, ଫେରିଆ, ମୋ ରାଣ, ବାବୁଟା ପରା ଚାଲିଆ, କାହା ସାଙ୍ଗରେ କଜିଆ କରିବା ଠିକ୍‌ ନୁହେଁ ।’’

 

ନାରାୟଣୀର ଟିକିଏ ହେଲେ ସନ୍ଦେହ ନ ଥିଲା ଯେ, ଆଜି ଡାକ୍ତରବାବୁଙ୍କ ଅବସ୍ଥା ବାରଣ୍ଡା ଦିକଡ଼ା ହେବ ଏବଂ ଏଇଥି ଯୋଗୁଁ ସେ ଦୁର୍ବଳ ଦେହରେ ଉଠିବାକୁ ବାଧ୍ୟ ହେଲା ।

 

କିନ୍ତୁ ରାମ ଯେପରି ନାରାୟଣୀ କଥା ମୋଟେ ଶୁଣିପାରିନି, ସେଇ ଭଙ୍ଗୀରେ ସେ କ୍ଷିପ୍ର ପଦକ୍ଷେପରେ ଆଗେଇ ଗଲା । ପାଞ୍ଚ ବର୍ଷର ପୁତୁରା ଗୋବିନ୍ଦ ପିଞ୍ଜରାର ଗୋଟିଏ ପାଖ ଧରି ସେଇପରି ବସିଚି, ତାର ଧାରଣା ଦାଦା ଆସିବେ, ପୁଣି ପିଞ୍ଜରା ବୁଣା ହେବ । ସେ ନିଜ ଦାଦାର ସବୁଠୁ ବଡ଼ ଆଜ୍ଞାକାରୀ ।

 

ରାମକୁ ନ ଫେରିବା ଦେଖି ନାରାୟଣୀ ମୁଣ୍ଡରେ ହାତ ଦେଇ କାନ୍ଦ କାନ୍ଦ ହୋଇ କହିଲା, ‘‘ତୁମେ ତାକୁ ଅଟକେଇଲ ନି । ଦେଖିବ ରୁହ, ସେ କି କାଣ୍ଡ କରି ଆସୁଚି ।’’

 

ସହଜେ ଡାକ୍ତର ନ ଆସିବା ଯୋଗୁଁ ଶ୍ୟାମଲାଲ ହତାଶ ହୋଇପଡ଼ିଥିଲେ । ଏ ଘଟଣାରେ ସେ ଅତି ମାତ୍ରାରେ ଉତ୍ତେଜିତ ହୋଇପଡ଼ିଲେ । କହିଲେ, ‘‘ମୁଁ କ’ଣ କରିବି ? ଯେତେବେଳେ ତମକୁ ମାନିଲାନି, ମୋତେ ମାନିଥାନ୍ତା ? ତମ ଆଗରେ ତ ମତେ ପାସଙ୍ଗରେ ସେ ପକାଏନା ।’’

 

‘‘ତମେ ଜବରଦସ୍ତି ତାକୁ ଧରି ଅଟକେଇଲନି କାହିଁକି ? ସେ କୁଳାଙ୍ଗାର ଯୋଗୁଁ ମୁଁ ଦଣ୍ଡେ ବି ଶାନ୍ତିରେ ନିଃଶ୍ୱାସ ମାରିପାରୁନି । ନିତ୍ୟା, ଗଲୁ ଭୋଳାକୁ କହିବୁ, ରାମକୁ ବୁଝେଇ ସୁଝେଇ ଫେରେଇ ଆଣିବ । ସେ ଏକ୍ଷଣି ବେଶି ଦୂର ଯାଇ ନ ଥିବ । ଯା ଟିକିଏ ଜଲଦି ଯା ।’’

 

ନୃତ୍ୟକାଳୀ ଭୋଳା ଉଦ୍ଦେଶ୍ୟରେ ବଗିଚାକୁ ଆସିଲା ।

 

ରାମ ନୀଳମଣି ଡାକ୍ତରଙ୍କ ଘରେ ପହଞ୍ଚିଛି । ଘର ଆଗରେ ଗୋଟିଏ ଖୋଲା ଚାଳି କରି ବୈଠକଘର ତିଆରି ହୋଇଛି । ସେହି ଘରର ଗୋଟିଏ କଣରେ ଗୋଟିଏ ଭଙ୍ଗା ଆଲମାରି ଥାଏ, ଯେଉଁଥିରେ କେତେଗୁଡ଼ିଏ ପୁଡ଼ିଆ ଓ ଶିଶି ରଖାଯାଇଛି । ଆଲମାରୀ ଆଗରେ ଗୋଟିଏ ପୁରୁଣା ଟେବୁଲ । ସେଇ ଟେବୁଲର ଗୋଟିଏ ପାଖରେ ଭଙ୍ଗା ତରାଜୁ ପଡ଼ିଥାଏ । ସୂତା ବନ୍ଧାହୋଇ କୌଣସିମତେ କାମ ଚଳୁଥାଏ । ଡାକ୍ତର ନୀଳମଣି ସରକାର ଗୋଟିଏ ଚଉକି ଉପରେ ଟେବୁଲ ପାଖରେ ବସି ସେଇ ତରାଜୁରେ ଔଷଧ ଓଜନ କରୁଥିଲେ । ପାଞ୍ଚଜଣ ରୋଗୀ ତଳେ ବସିଥାଆନ୍ତି । ଡାକ୍ତରବାବୁଙ୍କ ଔଷଧ ଦେବାର ଢଙ୍ଗକୁ ସେମାନେ ଆଶ୍ଚର୍ଯ୍ୟ ସହକାରେ ଲକ୍ଷ୍ୟ କରୁଥାଆନ୍ତି ।

 

ରାମ କିଛିକ୍ଷଣ ଚୁପ୍‌ଚାପ୍‌ ଛିଡ଼ା ହୋଇ ଦେଖୁଥିଲା । ହଠାତ୍‌ ଡାକ୍ତରଙ୍କୁ ପଚାରିଲା–‘‘ଡାକ୍ତରବାବୁ ! ମୋ ଭାଉଜ ଜର କାହିଁକି ଛାଡ଼ୁ ନାହିଁ ?’’

 

ଡାକ୍ତର ଉପେକ୍ଷା କଲାପରି କହିଲେ–‘‘ଜର ନ ଛାଡ଼ିଲେ ମୁଁ କ’ଣ କରିବି ? ଔଷଧ ତ ବରାବର ଦେଉଛି ।’’

 

‘‘ଔଷଧ ନା ପାଣି ? କୁଇନାଇନ ବଦଳରେ ସଢ଼ାପଚା ମଇଦାର ପୁଡ଼ିଆ କ’ଣ ଜର ଭଲ କରିପାରେ ?’’

 

ରାମର ଏ ପ୍ରକାର ଚିଡ଼ାକଥା ଶୁଣି ଡାକ୍ତରବାବୁଙ୍କ ରାଗ ତଳିପାରୁ ମୁଣ୍ଡ ପର୍ଯ୍ୟନ୍ତ ଚଢ଼ିଆସିଲା । ରାଗରେ ତମ ତମ ହୋଇ ସେ କିଛି କହି ନ ପାରି ନାଲି ନାଲି ଆଖିରେ କେବଳ ରାମକୁ ଅନାଇଲେ । ସେ ସ୍ୱପ୍ନରେ ବି ଭାବି ନ ଥିଲେ ଯେ, ଏଡ଼େବଡ଼ କଥା ତାଙ୍କ ମୁହଁ ଆଗରେ କହିବାକୁ କେହି ସାହସ କରିବ ବୋଲି । ସେ ପାଟି କରିଉଠିଲେ–‘‘ତମେ ଯଦି ଜାଣ ଯେ ମୁଁ ସଢ଼ାପଚା ମଇଦାର ପୁଡ଼ିଆ ଦେଉଛି, ତେବେ ତମେ ମୋ ପାଖକୁ କାହିଁକି ଆସୁଛ ? ତା’ଛଡ଼ା ତୋ ଭାଇ ଶ୍ୟାମଲାଲ ମୋ ଗୋଡ଼ ଧରି ମୋତେ ଡାକି ନିଏ କାହିଁକି ?’’

 

‘‘ଏଇ ଆଖପାଖରେ କେହି ଡାକ୍ତର ନାହାନ୍ତି । ସେଇଥିପାଇଁ ଆପଣଙ୍କୁ ଡକାଯାଏ । ଆଉ ଜଣେ ଡାକ୍ତର ଥିଲେ ଆପଣଙ୍କୁ ଡାକିବା କଥା ତ ଦୂରେ ଥାଉ–ଆପଣଙ୍କ ମୁହଁ ଦେଖିବାକୁ ବି କେହି ଆସନ୍ତେନି ।’’ ଏକଥା ଶୁଣି ସମସ୍ତେ ଜଡ଼ ପାଲଟି ଯାଇଥାଆନ୍ତି । ସେମାନେ ପଥର ମୂର୍ତ୍ତି ଭଳିଆ ଚୁପ୍‌ଚାପ୍‌ ବସି ଶୁଣୁଥାଆନ୍ତି । ଆଜି ଡାକ୍ତରବାବୁଙ୍କ ତ୍ରାହି ନାହିଁ । ରାମ ଥରେ ସେମାନଙ୍କ ମୁହଁକୁ ଚାହିଁଦେଇ ପୁଣି ଡାକ୍ତରବାବୁଙ୍କୁ କହିଲା–‘‘ତୁମେ ସବୁ ଛୋଟ ଜାତି । ବ୍ରାହ୍ମଣର ମାନମର୍ଯ୍ୟାଦା କ’ଣ କେମିତି ବୁଝିବ ? ମୋ ଭାଇର କାହା ଗୋଡ଼ତଳେ ପଡ଼ିବା ଅଭ୍ୟାସ ନାହିଁ । ଏଠିକି ଆସିବାବେଳେ ଭାଉଜ ରାଣ ପକାଇଛି । ନଇଲେ ଛୋଟ ମୁହଁରେ ବଡ଼ କଥାର ମାନେ ଭଲଭାବରେ ବୁଝେଇ ଦେଇଥାଆନ୍ତି । ତେବେ ବି ଗୋଟିଏ କଥା କହିଯାଉଛି–ଡାକ୍ତରବାବୁ ! ମନେ ରଖିବ । ଭଲ ଔଷଧ ନେଇ ଏହିକ୍ଷଣି ଆମ ଘରକୁ ଆସ । ଯଦି ଆଜି ମୋ ଭାଉଜ ଦେହରୁ ତାତି ନ ଓହ୍ଲାଏ ଫଳ ଯାହାହବ ବୁଝିବ । ଏ ବଗିଚାରେ ଯେଉଁ କଲମୀ ଆମ୍ୱଗଛ ଲଗେଇଛ, ଆଜି ରାତିରେ ତାର ଗୋଟିଏ ପତର ବି ଦେଖିବାକୁ ପାଇବନି । ତାଛଡ଼ା କାଲି ଆସି ଏ ଡାକ୍ତରଖାନାର ସବୁ ଶିଶି, ବୋତଲକୁ ଚୁନଭୁତ କରି ଦେଇଯିବି ।’’ କହି ଜୋରରେ ରାମ ସେ ଘରୁ ବାହାରିଗଲା ।

 

ନୀଳମଣି ସରକାର କିଂକର୍ତ୍ତବ୍ୟବିମୂଢ଼ ଭାବରେ ବସିରହିଲେ । କାଟିଲେ ଯେପରି ଟିକିଏ ରକ୍ତ ବାହାରିବନି ଦେହରୁ । ରାମର କଥା ତାଙ୍କ ମୁଣ୍ଡରେ ଯେପରି ଝଡ଼ ସୃଷ୍ଟି କରିଛି । ସେ ରାମର କୀର୍ତ୍ତି ସହିତ ଭଲଭାବରେ ପରିଚିତ ।

 

ତଳେ ବସିଥିବା ଗୋଟିଏ ରୋଗୀ ଖୁବ୍‌ ଆସ୍ତେ ତାଙ୍କୁ କହିଲା–‘‘ଡାକ୍ତରବାବୁ ! ଆଉ ତ୍ରାହି ନାହିଁ । ଆଉ ଭାବି ଡେରି କରନ୍ତୁନି । ଯଦି କୋଉଠି ଭଲ ଔଷଧ ଲୁଚାଇ ରଖିଛନ୍ତି ତ ବାହାର କରି ସାଙ୍ଗେ ସାଙ୍ଗେ ଯାଆନ୍ତୁ । ଆପଣ ଜାଣନ୍ତି ତ ତା’ ନାମ ରାମ । ଯାହା କହେ ତା ନ କଲା ପର୍ଯ୍ୟନ୍ତ ତାକୁ ନିଦ ହୁଏନା ।’’

 

‘‘ମୁଁ ବର୍ତ୍ତମାନ ପୁଲିସରେ ରିପୋର୍ଟ କରିବି । ତୁ ସାକ୍ଷୀ ରହିଲୁ । ଦାରୋଗା ଆଗରେ ତତେ ସବୁକଥା କହିବାକୁ ହେବ ।’’

 

‘‘ସାକ୍ଷୀ କିଏ ଦବ ବାବୁ ! ମୋ କାନ ତ କୁଇନାଇନ୍‌ ଖାଇ ଖାଇ କାଲ ହୋଇଗଲାଣି । ସେଥିରେ ପୁଣି ରାମ ଯାହା ଯାହା କହିଗଲା–ତାହା ମୁଁ ଭଲଭାବରେ ଶୁଣିନି । ଏଥିରେ ଦାରୋଗା ବି କ’ଣ କରିବ ? ରାମ ଦେଖିବାକୁ ସିନା ଛୋଟ । କିନ୍ତୁ ତାର ଯୋଉ ବାଳ–ସେନା ଅଛି, ସେ ଛୋଟ ନୁହେଁ । ସମସ୍ତେ ମିଶିଯାଇ ଚାଳରେ ନିଆଁ ଲଗାଇ ଡାକ୍ତରଖାନାକୁ ଜାଳିଦେବେ ତ କେହି ଦେଖିବାକୁ ଆସିବେ ନାହିଁ କି ତାର କୌଣସି ପତ୍ତା ବି ମିଳିବ ନାହିଁ । ଆମେ ବାବୁ ସାକ୍ଷୀ ହେଇପାରିବୁନି କି ଅକାରଣ ତା ବିରୁଦ୍ଧରେ ଯାଇ ବିପଦକୁ ମୂଲେଇବୁ ନାହିଁ । କିଏ ତାକୁ ନ ଡରେ-? ବରଂ ସିଏ ଯାହା କହିଗଲା–ସେୟା କରନ୍ତୁ । ଆଚ୍ଛା, ଡାକ୍ତରବାବୁ ! ଟିକେ ମୋ ନାଡ଼ି ଦେଖିଲେ, ଜର ଅଛି କି ନାହିଁ ? ଭୋକରେ ପେଟ ଆଉଣ୍ଡେଇଲାଣି । ଭାତ ଦି’ଟା ଖାଇପାରିବି ତ ? ଡାକ୍ତରବାବୁ ତ ଭିତରେ ଭିତରେ ରାଗରେ ଜଳୁଥିଲେ । ସେଥିରେ ପୁଣି ନାଡ଼ି ଦେଖିବା କଥା ଶୁଣି ରାଗରେ ତମ ତମ ହୋଇ କହିଲେ–‘‘ମୋ ପାଇଁ ସାକ୍ଷୀ ହୋଇପାରିବନି, ଆଉ ଏଠିକି ଆସିଛ ମୋ ମୁହଁ ଦେଖିବାକୁ ? ମୁଁ କାହାର ନାଡ଼ି ଦେଖିବିନି । ମରିଗଲେ ବି ଔଷଧ ଦେବିନି । ଯାଅ ମୋ ଆଗରୁ ।’’

 

ବୁଢ଼ା ବିଚରା ନିଜ ବାଡ଼ିଟି ଧରି ଛିଡ଼ାହେଲା । ଯାଉଁ ଯାଉଁ କହିଲା–‘‘ଡାକ୍ତରବାବୁ ! ମିଛଟାରେ ରାଗୁଛନ୍ତି । ଏଥିରେ କାହାରି ଦୋଷ ନାହିଁ । ରାମ ଗୋଟାଏ ମସ୍ତବଡ଼ ସଇତାନ । ତାକୁ ସମସ୍ତେ ଡରନ୍ତି । ମତେ ତ ଏଇକ୍ଷଣି ତା’ ପାଖକୁ ଯିବାକୁ ପଡ଼ିବ । ନଚେତ୍‌ ଓଲଟା ୟା ନ ବୁଝୁ ଯେ, ଏ ବିଷୟରେ ଆମ୍ଭେମାନେ ଆପଣଙ୍କୁ ପରାମର୍ଶ ଦେଇଛୁ । ପ୍ରାୟ ମାଣେ ଜମିରେ ଏ ସାଲେ ବାଇଗଣ ଲଗେଇଛି । ଫଳ ବି ଖୁବ୍‌ ଭଲ ହୋଇଛି । ଯଦି ଆଜି ରାତିରେ ତା’ ବାନର ସେନା ଆକ୍ରମଣ କରିଦେବେ ତ ମୁଁ ଗରିବ ବିଚାରା ଛଟପଟ ହୋଇ ମରିବି । ଡାକ୍ତରବାବୁ, ଆଉ କୋଉଦିନ ପଛକେ ଥାନାକୁ ଯିବେ, ଆଜି କିନ୍ତୁ ଗୋଟାଏ ଭଲ ଔଷଧ ନେଇ ଯାଆନ୍ତୁ, ତାକୁ ବୁଝେଇ ଆସନ୍ତୁ ।’’

 

ସେ ବୁଢ଼ା ଯିବା ପରେ ଆଉ ଯେଉଁ କେଇଜଣ ସେଠି ବସିଥିଲେ ଡାକ୍ତରବାବୁଙ୍କ ମିଞ୍ଜାସ ଦେଖି ଗୋଟିକ ପରେ ଗୋଟିଏ ପ୍ରସ୍ଥାନ କଲେ ।

 

ଡାକ୍ତର ବି ଗୋଟିଏ ଲମ୍ୱା ନିଃଶ୍ୱାସ ନେଇ ଉଠି ଛିଡ଼ାହେଲେ ଏବଂ କ’ଣ ଚିନ୍ତା କରୁ କରୁ ସେ ଘର ଭିତରକୁ ଆସିଲେ ।

 

ନାରାୟଣୀ ଝରକା ପାଖରେ ଛିଡ଼ାହୋଇ ଅଧୈର୍ଯ୍ୟ ଚିତ୍ତରେ ଏକ ଲୟରେ ରାମକୁ ଅନେଇଥାଏ । ରାମ ଅଗଣା ଭିତରକୁ ଆସି ଯେମିତି କହିଚି, ‘‘ଗୋବିନ୍ଦ ଆ, ଆମ ପିଞ୍ଜରା ତିଆରି କରିବା ।’’ ଗୋବିନ୍ଦ ଦାଦାର ପାଟି ନ ଶୁଣୁନୁ ଉଠିପଡ଼ି ପିଞ୍ଜରା ପାଖକୁ ଆସିଲା । ନାରାୟଣୀ ସାଙ୍ଗେ ସାଙ୍ଗେ ଡାକିଲେ, ‘‘ରାମ–ଏଣେ ଆସିଲୁ, ଶୁଣିଗଲୁ ।’’

 

ପିଞ୍ଜରାରେ ପରସ୍ତେ ପାତିଆ କଷି ଆଉ ପରସ୍ତେ ହାତରେ ଟାଣି କଷି କଷି ବାନ୍ଧୁଥାଏ ରାମ । କହିଲା, ‘‘କାମ କରୁଚି ଭାଉଜ ! ଅବିକା ଯାଇପାରିବି ନି ।’’

 

‘‘ମୁଁ କହୁଚି, ଆସୁଚୁ କି ନାହିଁ ?’’

 

ଅଧାବୁଣା ପିଞ୍ଜରାକୁ ଗୋବିନ୍ଦ ଜିମା କରିଦେଇ ସେ ଭାଉଜ ପାଖକୁ ଆସି ତା’ ଗୋଡ଼ତଳେ ବସିଲା ।

 

ନାରାୟଣୀ ପଚାରିଲା, ‘‘ଡାକ୍ତରବାବୁ ସହିତ ଦେଖା ହେଲା ।’’

 

‘‘ହଁ’’ ।

 

‘‘ସେ କ’ଣ କହିଲେ ?’’

 

‘‘ଆସିବାକୁ କହିଦେଇ ଆସିଲି ।’’

 

ନାରାୟଣୀର ବିଶ୍ୱାସ ହେଲାନି । ସେ ଭଲ ଭାବରେ ଜାଣେ ରାମ ଏତେ ସାଦାସିଧା ନୁହଁ । ସେ ପୁଣି କହିଲା, ‘‘ଖାଲି ଆସିବାକୁ କହିଲୁ, ନା ଆଉ କିଛି କହିଚୁ ?’’

 

ରାମ ନୀରବ ରହି ତଳକୁ ମୁହଁ ପୋତିଲା ।

 

‘‘କ’ଣ ପଚାରୁଚି ପରା, ଡାକ୍ତରବାବୁଙ୍କୁ କ’ଣ କହି ଆସିଚୁ ?’’

 

‘‘ମୁଁ କହିବିନି ।’’

 

ଏତିକିବେଳେ ନୃତ୍ୟକାଳୀ ଘର ଭିତରକୁ ଆସି କହିଲା କି ଡାକ୍ତରବାବୁ ରୋଗୀ ଦେଖିବାକୁ ଆସିଛନ୍ତି ।

 

ନାରାୟଣୀ ଚାଦର ଘୋଡ଼ିହେଇ କର ନେଉଟାଇ ବିଛଣାରେ ଶୋଇପଡ଼ିଲା । ରାମ ଖସି ପଳାଇଲା । ପରେ ପରେ ଡାକ୍ତରଙ୍କୁ ସାଙ୍ଗରେ ଧରି ଶ୍ୟାମଲାଲ ପହଞ୍ଚିଲେ ।

 

ନାଡ଼ି ଦେଖି ଭଲ ଭାବରେ ଦେହ ପରୀକ୍ଷା କରି ଡାକ୍ତରବାବୁ ଭଲ ଔଷଧ ଦେଲେ । ତା’ପରେ ନାରାୟଣୀ ଆଡ଼କୁ ଅନେଇ କହିଲେ, ‘‘ତମେ କହିଲ ବୋହୂ ! ଜର ଛଡ଼େଇବା କ’ଣ ଡାକ୍ତର ହାତର କଥା ? ତମ ଦିଅର ମତେ ଆଜି ରାତିକ ସମୟ ଦେଇଛି । ଯଦି ଜର ଛାଡ଼ିଗଲା ତ ଭଲକଥା, ନଚେତ୍‌ ମୋ ଡାକ୍ତଖାନାକୁ ନିଆଁ ଲଗେଇ ପୋଡ଼ି ପାଉଁଶ କରିଦେବ ।’’

 

ନାରାୟଣୀ ଅତି ଲଜ୍ଜିତ ହୋଇ କହିଲା, ‘‘ସେ ସେହିପରି କୁହେ । ଆପଣ ତା’ କଥା ଟିକେ ହେଲେ ଭାବନ୍ତୁନି ।’’

 

‘‘ସମସ୍ତେ କହୁଛନ୍ତି ତାର ଗୋଟିଏ ବାନର ସେନା ଅଛି–ସେମାନେ ଯାହା କହନ୍ତି ସେଇଆ କରନ୍ତି । ସେଥିଯୋଗୁଁ ମତେ ଡର ଲାଗୁଚି ଝିଅ । ଆମେ ସିନା ଔଷଧ ଦେବୁ, ଭଲ ହେବା ନ ହେବା ତ ଭଗବାନଙ୍କ ହାତରେ ।’’

 

‘‘ଜଣାଯାଉଛି ଏ ବଦମାସ ଟୋକା ଦିନେ ନା ଦିନେ ଜେଲ ଯିବ । ତା’ ସଙ୍ଗେ ସଙ୍ଗେ ଆମ ପାଇଁ ବି ବ୍ୟବସ୍ଥା କରିଦେବ ।’’ –ଶ୍ୟାମଲାଲ କହିଲେ ।

 

ଆଜି ନୀଳମଣି ଡାକ୍ତର ନିଜ ଖାସ ରୁମରେ ଗୋଟିଏ ବାକସରେ ଲୁଚାଇ ରଖିଥିବା ତାଜା କୁଇନାଇନ ଶିଶି ବାହାର କରି ଆଣିଥିଲେ । କିନ୍ତୁ ଏବେ ବି ରାମର ଭୂତ ତାଙ୍କୁ ଛାଡ଼ି ନ ଥିଲା । ରୋଗୀ ଦେଖି ଫେରିଲାବେଳେ ଶ୍ୟାମଲାଲ ଚାରୋଟି ଟଙ୍କା ଦେବାକୁ ହାତ ବଢ଼ାଇବାରୁ ଡାକ୍ତରବାବୁ ଜିଭ କାମୁଡ଼ି ପକାଇ କହିଲେ–‘‘ନା ଶ୍ୟାମଲାଲବାବୁ, ଏସବୁ ଅନର୍ଥ କଥା । ମୋ ଫିସ୍‌ ତ ମାତ୍ର ଟଙ୍କାଟିଏ । ଅଧିକା ଫିସ୍‌ ନେବା ମୁଁ ପସନ୍ଦ କରେ ନା । ଏ ଟଙ୍କା ପଇସାର ମୋହ ଚାରିଦିନିଆ ।’’

 

ଦି’ଦିନ ତଳର କଥା । ଏଇଠି ଏଇ ନୀଳମଣି ଡାକ୍ତର ନ୍ୟାଯ୍ୟ ଫିସ୍‌ ଟଙ୍କାକ ବଦଳେ ଶ୍ୟାମଲାଲଠୁଁ ଦୁଇ ଟଙ୍କା ନେବାରେ ଟିକିଏ ହେଲେ କୁଣ୍ଠିତ ହୋଇ ନ ଥିଲା । ଆଜି ରାମ ଯୋଗୁଁ ଚାରି ଟଙ୍କା ନେବା ପରିବର୍ତ୍ତେ ସେଇ ଗୋଟିଏ ଟଙ୍କା ନେଲେ ।

 

ଖାଣ୍ଟି କୁଇନାଇନର ମାତ୍ର ଗୋଟିଏ ପୁଡ଼ିଆରେ ନାରାୟଣୀର ଜର ଛାଡ଼ିଗଲା । ସେ ପୁଣି ଘରଧନ୍ଦାରେ ମନପ୍ରାଣ ଢାଳିଦେଲା ।

 

ଦୁଇ ମାସ ପର କଥା । ନଦୀ ତୁଠରେ ଗାଧୋଉଥିବା ବେଳେ ଜଣେ ସ୍ତ୍ରୀ ରାମର ନୂଆ ବଦମାସି କଥା କହିଲା । ନାରାୟଣୀ ସେକଥା ଶୁଣିବା ମାତ୍ରେ ଅସ୍ତବ୍ୟସ୍ତ ହୋଇପଡ଼ିଲା । ତରବରରେ ଗାଧୁଆ ସାରିଦେଇ ଘରକୁ ଫେରିଲା । ରୋଷେଇଘର ଚଟାଣରେ ପାଣି କଳସୀ ରଖୁଚି, ନୃତ୍ୟକାଳୀକୁ ଆଗରେ ଦେଖି ପଚାରିଲା, ‘‘କାହିଁ ସେ ମାଙ୍କଡ଼, କୁଆଡ଼େ ଗଲା ?’’

 

ଘରେ ସମସ୍ତେ ଭଲ ଭାବରେ ଜାଣନ୍ତି ମାଙ୍କଡ଼ କିଏ, ଆଉ ନାରାୟଣୀ ଡାକିବାର ଉଦ୍ଦେଶ୍ୟ କ’ଣ ? ନୃତ୍ୟକାଳୀ ରାମ ଉଦ୍ଦେଶ୍ୟରେ ଆଙ୍ଗୁଠି ଦେଖାଇ କହିଲା, ‘‘ମା, ହେଇ ଗଛତଳେ ବସି ଛୋଟବାବୁ ଗୁଡ଼ି ତିଆରି କରୁଛନ୍ତି ।’’

 

ନାରାୟଣୀ ଜୋରରେ ରାମକୁ ଡାକ ପକାଇଲା–‘‘ରାମ, ଆଇଲୁ ଏଠିକି ! ତୋ ଯୋଗୁଁ ତ ମୁଁ ସମସ୍ତଙ୍କ ପାଖେ ଅପଦସ୍ତ ହେଲି । ଘରେ ଯେମିତି ହଇରାଣ କରୁଚୁ, ବାହାରେ ବି ତୋ ଯୋଗୁଁ ଅନ୍ୟମାନେ ରଖିଥୋଇ ଦେଉ ନାହାନ୍ତି । କିଏ ଯେ ତୋ ଗୁଣ ଗାଉନି....ଆଇଲୁ ଆଁ ରେ-!’’

 

ରାମ ନାରାୟଣୀ ଧମକରେ ଆସ୍ତେ ଆସ୍ତେ ଆସି ଭଲ ପିଲା ପରି ପାଖରେ ଛିଡ଼ା ହେଲା ।

 

‘‘ଆରେ, ସେ ସାହିବାଲା କହୁଛନ୍ତି, ହାଡ଼ିଆ ମା’ କାକୁଡ଼ିବାଡ଼ରେ ପଶି ସବୁ କାକୁଡ଼ି ନେଇ ଆସିଚୁ ?’’

 

‘‘କିଏ ମତେ ଦେଖିଛି ?’’

 

‘‘କେହି ନ ଦେଖୁ, ମୁଁ ତ ଜାଣେ ଏ କାଣ୍ଡ କାହାର ! କହ, କାହିଁକି ସେ ବୁଢ଼ୀ ବାଡ଼ିରେ ପଶିଲୁ ?’’

 

ସେ ବୁଢ଼ୀ ମତେ ଗାଳିଦେଲା କାହିଁକି ?’’

 

‘‘ଗାଳି ଦେଲା ? ମୁଁ ତୋ ଢଙ୍ଗ ଭଲ ଭାବରେ ଜାଣେ । ଆଗେ କହ, ଚୋରି କଲୁ କାହିଁକି, ବଦମାସ !’’ ରାଗରେ ସାରାଦେହଟା ଥରୁଥିଲା ନାରାୟଣୀର ।

 

‘ଚୋରି ? କେବେ ନୁହଁ–ଗୋଟେ ଦି’ଟା କାକୁଡ଼ି ଛିଣ୍ଡେଇ ଆଣିଲେ କ’ଣ ଚୋରି ହେଲା-। କେବେ ନୁହଁ ।’’ –ରାମ ଭୁରୁଡ଼େଇଲା ।

 

ନାରାୟଣୀ ବି ସେମିତି ଜୋରରେ କହିଲା–‘‘ଅଲବତ ଚୋରି ! ଛୋଟ ପିଲାଟାଏ ବି ଜାଣେ ଚୋରି କାହାକୁ କହନ୍ତି; ଆଉ ଇଏ ଆମର ଆସି ଏଡ଼େଟାଏ ହେଲାଣି ଚୋରି କ’ଣ ଜାଣେନା–ଦିନକୁ ଦିନ କୀର୍ତ୍ତି ବଢ଼ୁଛି, ହଉ ଦେଖୁଛି ତୋ ମଜା- ଏଇଠି ଏକଗୋଡ଼କିଆ ହୋଇ ଦିନସାରା ଛିଡ଼ା ହେଇଥା ।

 

ଘର ଭିତରେ ସବୁଠୁ ସାନ ହେଉଛି ଗୋବିନ୍ଦ । ସେ ରାମର ବାଁ ହାତ । ଦିନରାତି ଚବିଶ ଘଣ୍ଟା ରାମ ପାଖେ ପାଖେ ଥାଏ, ଆଉ ରାମର ସବୁ କାମରେ ସହଯୋଗ ଦେବାକୁ ଆଗେଇ ଆସେ । ରାମ କହିଥିବା ଅନୁଯାୟୀ ସେ ଗୁଡ଼ି ଧରି ବସିଥିଲା । ବୋଉର ପାଟି ଶୁଣି ସେ ଆସି ନାରାୟଣୀ ପାଖରେ ଛିଡ଼ା ହେଲା ।

 

ରାମ ଏ ପର୍ଯ୍ୟନ୍ତ ଏକ ଗୋଡ଼ିକିଆ ହେଇନି । ସେ ଫାଙ୍କିଦେବାକୁ ଚେଷ୍ଟା କରୁଥିବା ଦେଖି ଗୋବିନ୍ଦ କହିଲା, ‘‘ଦାଦା, ବୋଉ ସବୁ ଜାଣି ସାରିଲାଣି, ଆଉ ଖସିଯିବାର ବାଟ ନାହିଁ । ଏଣିକି ଗୋଟିଏ ଗୋଡ଼ରେ ଛିଡ଼ା ହେଇଯାଅ ।’’ କହି ଗୋଟିଏ ଗୋଡ଼ ଉପରକୁ ଟେକି ଛିଡ଼ା ହେବର କାଇଦା ଦେଖେଇଦେଲା ।

 

ରାମ ରାଗିଯାଇ ଗୋବିନ୍ଦ ଗାଲରେ ଠୋ କରି ଗୋଟିଏ ଚଟକଣା ବସେଇଦେଲା । ତା’ପରେ ବୁଲିପଡ଼ି ଏକ ଗୋଡ଼କିଆ ଛିଡ଼ାହେଲା ।

 

ନାରାୟଣୀ ଖୁବ୍‌ ଜୋରରେ ହସକୁ ଚାପି ଗୋବିନ୍ଦକୁ କୋଳକୁ ଟାଣି ନେଇ ରୋଷେଇ ଘରଆଡ଼େ ଚାଲିଗଲା । କିଛି ସମୟ ପରେ ପୁଣି ଆସି ଦେଖେ ତ ରାମ ସେହିପରି ଗୋଟିଏ ଗୋଡ଼ ଉପରକୁ ଟେକି ଛିଡ଼ା ହୋଇଚି ଆଉ କଇଁ କଇଁ ହୋଇ କାନ୍ଦୁଚି । ଲୁଗା କାନି ଆଖିରେ ଦେଇ ମଳୁଚି ।

 

‘‘ଆଛା ହଉ, ହେଲା । ଆଉ ଯେପରି ଦୁଷ୍ଟାମୀ ନ ବାହାରେ ।’’

 

ରାମ କିଛି ଶୁଣିଲା ନାହିଁ । ରାଗରେ ସେ ସେଇପରି ଛିଡ଼ାହୋଇ ଲୁଗା କାନିରେ ଆଖି ମଳୁଥାଏ ।

 

ନାରାୟଣୀ ତା’ ପାଖକୁ ଆସି ସ୍ନେହରେ ତା’ ହାତ ଦି’ଟା ଧରିପକାଇ କୋଳକୁ ଟାଣି ଆଣିବ କ’ଣ ରାମ ହାତ ଛିଞ୍ଚାଡ଼ିଦେଲା । ନାରାୟଣୀ ପୁଣି ଥରେ ଧରିବାକୁ ଚେଷ୍ଟା କରିବାକୁ ସେ ଆଗପରି ହାତ ଛିଞ୍ଚାଡ଼ିଦେଇ ଦଉଡ଼ି ପଳେଇଗଲା ।

 

ଘଣ୍ଟାକ ପରେ ନୃତ୍ୟକାଳୀ ଯେତେବେଳେ ତା’ ଖୋଜରେ ବାହାରିଲା, ଦେଖିଲା ବାରଣ୍ଡାର ଗୋଟିଏ ପାଖରେ ପାଦ ଝୁଲେଇ ରାମ ଚୁପ୍‌ଚାପ୍‌ ବସିଚି । ନୃତ୍ୟକାଳୀ କହିଲା, ‘‘ସାନବାବୁ, ଆଜି ସ୍କୁଲ ଯିବ ନାହିଁକି ? କେଇଟା ବାଜିଲାଣି ଖିଆଲ ଅଛି । ଚାଲ ମା’ ଡାକୁଛନ୍ତି ।’’

 

ରାମ କିଛି କହିଲାନି । ଯେପରି ସେ କିଛି ଶୁଣିନି, ସେଇପରି ଚୁପ୍‌ଚାପ୍‌ ବସି ରହିଲା । ରାମର ନୀରବତା ଦେଖି ନୃତ୍ୟକାଳୀ ପାଖକୁ ଯାଇ କହିଲା, ‘‘ସାନବାବୁ, ମା’ କହିଲେ ସ୍କୁଲ ଯିବା ବେଳ ହେଲାଣି, ଗାଧେଇ ଆସ ଖାଇବ ।’

 

ରାମ ରାଗରେ ତା’ ଆଡ଼କୁ ବଡ଼ ବଡ଼ ଡୋଳାରେ ଚାହିଁ କହିଲା, ‘‘ମୋ’ ଆଗରୁ ଯାଉଚୁ ନା ଦେଖିବୁ !’’

 

‘‘ହଉ ଯାଉଛି ଯେ, ମା’ ଯାହା କହିଲେ ଶୁଣିଲ ତ ?’’

 

‘‘ମୁଁ କିଛି ଶୁଣିବିନି, ମୁଁ ଆଜି ଗାଧେଇବିନି କି ଖାଇବିନି, କିଛି କରିବିନି ।’’

 

‘‘ଭଲ କଥା । ମୋର କହିବା କଥା କହିଦେଲି । ଯାଉଛି ମା’ଙ୍କୁ ବି ତମ କଥା କହିଦେବି-।’’ କହି ନୃତ୍ୟକାଳୀ ରୋଷେଇ ଘର ଉଦ୍ଦେଶ୍ୟରେ ଚାଲିଗଲା ।

 

ନୃତ୍ୟକାଳୀ ଯିବା ପରେ ପରେ ରାମ ଉଠିପଡ଼ି ବାଡ଼ିପଟ ପୋଖରୀରେ ଡୁବାଟିଏ ମାରିଦେଇ ସେଇପରି ଓଦା ସର ସର ଦେହରେ ଯାଇ ଅଗଣାରେ ଛିଡ଼ା ହୋଇଗଲା । ନୃତ୍ୟକାଳୀ ଜରିଆରେ ରୋଷେଇଘରେ ନାରାୟଣୀ ଏ ଖବର ପାଇ ଛୁଟିଆସିଲା ଅଗଣାକୁ । ନିଜ କାନିରେ ରାମ ଦେହ ମୁଣ୍ଡ ପୋଛିପକାଇ କହିଲା, ‘ତତେ ଆଉ କ’ଣ କହିବିରେ ବାଇଆଟା, ସେ ପୋଖରୀ ପାଣିରେ ଲୋକ ଗୋଡ଼ ବୁଡ଼େଇବାକୁ ଡରୁଛନ୍ତି, ତୁ ସେ ଅସନା ପାଣିରେ ମୁଣ୍ଡ ବୁଡ଼େଇ ଗାଧେଇ ଆସିଲୁ । ଦେହପା ଅସୁଖ ହେଲେ ଶେଷରେ ମୋ ଜୀବନ ଝୁଣିବୁ ।’ ତା’ପରେ ରାମ ଦେହରୁ ଓଦା ଲୁଗା ବଦଳାଇ ନୃତ୍ୟକାଳୀ ହାତରେ ଶୁଖିଲା ଲୁଗା ଆଣି ପିନ୍ଧାଇଦେଲା । ତା’ପରେ ଆଦର କରି ତାକୁ ଘର ଭିତରକୁ ନେଇଯାଇ ଗୋଟିଏ ପିଢ଼ାରେ ବସାଇଦେଲା । ତା’ପରେ ଭାତ, ଡାଲି, ତରକାରୀ ଆଣି ତା’ ଆଗରେ ଥୋଇଲା; କିନ୍ତୁ ରାମ ଥାଳିକୁ ଛୁଇଁଲା ବି ନାହିଁ, ପଥର ମୂର୍ତ୍ତି ଭଳି ତଳକୁ ମୁହଁ ପୋତି ବସି ରହିଲା ।

 

ନାରାୟଣୀର ତା’ ଚାଲାକି ବୁଝିବାକୁ ବି ଡେରି ହେଲାନି । ସେ ଆଦର କରି ତା’ ମୁଣ୍ଡ ଆଉଁସିଦେଇ କହିଲା, ‘‘ରାମ ପରି ପୁଅ କିଏ ଅଛି, ଭାରି ଭଲ ପିଲା, ଦେଲୁ ହେ, ଏ ଗଣ୍ଡାକ ଖାଇ ଦେ, ମୋ ପୁଅଟା ପରା ! ଏ ବେଳାଟା ହାତରେ ଖାଇଥା, ରାତିରେ ନିଜ ହାତରେ ଖୋଇଦେବି । ଅବିକା ପରା ଭାଇ ଆସିବା ବେଳ ହେଲାଣି, ସେଥିରେ ପୁଣି ରନ୍ଧା ସରି ନାହିଁ । ସକାଳେ କିଛି ନ ଖାଇ ଯାଇଛନ୍ତି, ଆସିବାବେଳକୁ ରୋଷେଇ ସରି ନ ଥିଲେ ଚୁଲି ଚାଳ ରହିବନି । ଦେ ଖାଇଦେ...ରାମ ଆମର ଭଲପିଲା ।’’

 

ରାମ ଭଲ ପିଲା ପରି ନିଜ ହାତରେ ସବୁ ଖାଇଦେଇ କୋଟ ପିନ୍ଧି, ବସ୍ତାନି ଧରି ସ୍କୁଲକୁ ଚାଲିଗଲା ।

 

ନୃତ୍ୟକାଳୀ ସବୁ ଦେଖୁଥିଲା । ରାମ ଚାଲିଯିବା ପରେ କହିଲା,‘‘ମା, ତମେଇ ଗେହ୍ଲା କରି ତାକୁ ଏପରି କରିଚ । ଏଡ଼େ ଏଡ଼ବଡ଼ ଆସି ହେଲାଣି, ତେବେ ବି ତମେ ତାକୁ କୋଳରେ ବସେଇ ନିଜ ହାତରେ ଖୋଇଦେଉଚ । ଏଥିରେ ଜିଦ୍‌ ବଢ଼ୁଛି ନା କମୁଛି ?’’

 

ନାରାୟଣୀ ମୁରୁକି ହସି କହିଲା, ‘‘ଯଦି ମୁଁ ତାକୁ ରାତିରେ ଖୋଇଦେବି ବୋଲି କହି ନ ଥାନ୍ତି, ସେ କେବେ ଖାଇ ନ ଥାନ୍ତା । ସେଇପରି ଗୁମାନ କରି ବସି ରହିଥାନ୍ତା ।’’

 

‘‘ନ ଖାଇଥିଲେ ନାହିଁ, ପେଟ ପୋଡ଼ିଗଲେ ଆପେ ମାଗି ଖାଇଥାନ୍ତା । ସେ ତ ଆଉ ପିଲା ନୁହଁ–’’

 

ନୃତ୍ୟକାଳୀର ଟାଆଁସିଆ କଥା ନାରାୟଣୀକୁ ଭଲ ଲାଗୁ ନ ଥାଏ । ଅନ୍ୟ କାମରେ ବ୍ୟସ୍ତ ରହି ସେ କହିଲା,‘‘ତମେ ସବୁ ତାକୁ ଦେଖି ପାରୁନ, କୋଉଠି କେଡ଼େ ବଡ଼ ସେ ହେଲାଣି ? ବଡ଼ ହେଲେ କ’ଣ ତାର ଏ ପିଲା ବୁଦ୍ଧି ରହିବ ? ସେତେବେଳେ ଦୁଷ୍ଟାମୀ କରିବାକୁ ବି ତାକୁ ସରମ ଲାଗିବ । ପୁଣି କୋଳରେ ବସି ଖାଇବାକୁ ବି ଏପରି ଜିଦ୍‌ ଧରିବନି ।’’

 

ଏ କଥାରେ ନୃତ୍ୟତାଳୀ ମନେ ମନେ ବିରକ୍ତ ହେଲା । କହିଲା, ‘‘ମା, ମୁଁ ତ ଭଲ ପାଇଁ କହୁଥିଲି । ମୋର ତା’ ସହିତ କ’ଣ ଶତ୍ରୁତା ଅଛି ? ବାର ତେର ବର୍ଷରେ ଯଦି ବୁଦ୍ଧି ନ ହେବ ତ ଆଉ କ’ଣ ବୁଢ଼ା ବଅସରେ ବୁଦ୍ଧି ଆସିବ ? ଏତିକିବେଳୁ ତାକୁ ଯଦି ନ ବାଗାଅ, ଦେଖିବ ତମେଇ ନିଜେ ପସ୍‌ତେଇବ ।’’

 

ଏଥରକ ନାରାୟଣୀ ରାଗରେ ଜଳି ଉଠିଲା । ସେ ରାମକୁ କେତେ ସ୍ନେହ କରେ, ସେ ଜାଣେ । ଅନ୍ୟ କାହା କଥା ଦୂରେ ଥାଉ; ନିଜେ ଶ୍ୟାମଲାଲ ବି ରାମ ବିରୁଦ୍ଦରେ କହିଲେ ନାରାୟଣୀ ସହିପାରେନା । ନୃତ୍ୟକାଳୀକୁ ଜବାବ ଦେବା ଉଦ୍ଦେଶ୍ୟରେ ସେ କହିଲା, ‘‘ମଣିଷ ଭିତରେ ବୁଦ୍ଧି ଆଉ ଜ୍ଞାନ ଆସିବାର କୌଣସି ମସୟ ଠିକ୍‌ ହୋଇ ନ ଥାଏ । କିଏ ଦୁଇ ତିନି ବର୍ଷ ଆଗରୁ ନିଜ କର୍ତ୍ତବ୍ୟ ବୁଝିପାରେ, ଆଉ କିଏ ଦୁଇ ତିନି ବର୍ଷ ପରେ ବୁଝେ, ଫରକ କେବଳ ଏଇ ଦୁଇ ତିନି ବର୍ଷର । ଏଣୁ ତା’ ବିଷୟରେ କେହି ଚିନ୍ତା କରିବା ଦରକାର ନାହିଁ । ସେ କଥା ମୁଁ ବୁଝିବି-।’’

 

‘‘ତମରି ଭୁଲରୁ ତା’ ବଦମାସୀ ଦିନକୁ ଦିନ କିପରି ବଢ଼ୁଛି, ତା ତମକୁ ଅଛପା ନାହିଁ–ସେଥିରେ ପୁଣି ସାଇପଡ଼ିଶାରେ ସମସ୍ତେ କହୁଛନ୍ତି, ସେସବୁ ତମରି ଦୋଷରୁ–’’

 

‘‘ହଁ, ସାଇପଡ଼ିଶାବାଲାମାନେ ଗେହ୍ଲା କଲେ ଦେଖିପାରୁ ନାହାନ୍ତି । ଯେତେବେଳେ ତାକୁ ସଜା ଦିଏ, ସେତେବେଳେ କେହି ଟିକେ ‘ଆହା’ ପଦ କରନ୍ତିନି । ତୁ ତ ଆଉ ସାଇପଡ଼ିଶା ଲୋକ ନୋହୁଁ–ତୁ ତ ନିଜେ ଦେଖିଲୁ, ସକାଳେ ଘଣ୍ଟାଏ ପର୍ଯ୍ୟନ୍ତ ଏକଗୋଡ଼କିଆ ଛିଡ଼ା କରି ରଖିଲି-। ତା’ପରେ ସେ ଅସନା ପୋଖରୀରେ ମୁଣ୍ଡ ବୁଡ଼େଇ ଗାଧୋଇ ଆସିଲା । ଯଦି ଜରଫର ହେବ ତ ମୋ’ରି ମୁଣ୍ଡ ଉପରେ ପଡ଼ିବ । ସେତେବେଳେ ସାଇପଡ଼ିଶାବାଲା ଅନେଇବେନି ଟିକିଏ-। ଇଏ କ’ଣ କମ୍‌ ସଜା ନା ! ତୁ କହୁଚୁ ସେମିତି ଭୋକିଲା ପିଲାଟାକୁ ସ୍କୁଲକୁ ପଠେଇ ଦେଇଥାନ୍ତି-। ଦେଖୁଚି ଘରେ ବାହାରେ କେହି ପିଲାଟାକୁ ଦେଖିପାରୁ ନାହାନ୍ତି ।’’

 

ନାରାୟଣୀ ଗୋଟାଏ ଦୀର୍ଘ ନିଃଶ୍ୱାସ ନେଇ ଚୁପ୍‌ ରହିଲା । ରାତିରେ ବି ଏଇ କଥା ଉପରେ ଶ୍ୟାମଲାଲ ସହିତ ଘଣ୍ଟାଏ ପର୍ଯ୍ୟନ୍ତ ନାରାୟଣୀ ବକର ବକର ହୋଇଥିଲା । ଏଣୁ ନାରାୟଣୀ ମନ ଦୁଃଖରେ ଭାଙ୍ଗିପଡ଼ିଲା । ଟିକକ କଥା ଏତେ ଦୂର ଯିବାରୁ ମନର କ୍ରୋଧ ବଢ଼ିବା ସଙ୍ଗେ ସଙ୍ଗେ ହୃଦୟର ବେଦନା ଅଶ୍ରୁ ରୂପରେ ଆଖିବାଟେ ଆତ୍ମପ୍ରକାଶ କଲା । ସେ ଲୁଗାକାନିରେ ଆଖି ପୋଛି କାମଧନ୍ଦାରେ ଲାଗିଲା ।

 

ନୃତ୍ୟକାଳୀ ଏ କଥା ଜାଣି ନ ଥିଲା ଯେ, ରାତିରେ ବି ବାବୁଙ୍କ ସହିତ ଏଇ କଥା ନେଇ ମା’ଙ୍କ ରଗାରଗି ହେଇଯାଇଛି । ଜାଣିଥିଲେ ସେ ମୋଟେ ରାମ କଥା ଚର୍ଚ୍ଚା କରି ନ ଥାନ୍ତା । ତାର ବଅସବେଳୁ ସେ ଏ ଘରେ କାମ କରି ଆସୁଛି । ତା’ରି ଆଗରେ ନାରାୟଣୀ ବୋହୂ ହେଇ ଆସିଚି ଏ ଘରକୁ । ନାରାୟଣୀକି ସେ ଝୁଅପରି ସ୍ନେହ କରେ । ନାରାୟଣୀକୁ କାନ୍ଦିବା ଦେଖି ସେ ଲଜ୍ଜିତ ହୋଇ କହିଲା, ‘‘ମା, ତମେ କାନ୍ଦିଲ କାହିଁକି ? ମୁଁ ତମ ମନରେ ଦୁଃଖ ଦେବାପାଇଁ କହି ନ ଥିଲି । ଗାଁର ସଭିଏଁ ସବୁବେଳେ ଟୋକନ୍ତି, ସେଥିପାଇଁ କହୁଥିଲି କି ଆଗରୁ ସାବଧାନ ହେବା ଦରକାର, ନଇଲେ ପିଲାଟା ବିଗିଡ଼ି ଯାଇପାରେ....ଏଣୁ ମୋ କଥାରୁ ଯେପରି ଭୁଲ ବୁଝିବନି...’’

 

ନାରାୟଣୀ ଆଖି ପୋଛି କହିଲା, ‘‘ସମସ୍ତଙ୍କ ପ୍ରକୃତି ସମାନ ନୁହେଁ, ଭଗବାନ ବି ସମାନ କରି ଗଢ଼ି ନାହାନ୍ତି । ରାମ ଦୁଷ୍ଟ ହେତୁ ଯେ ଯାହା କୁହେ, ସବୁ ଶୁଣି ଚୁପ୍‌ ରୁହେ । ଲୋକମାନେ ଅନ୍ୟର ଦୋଷଟା ସବୁବେଳେ ଦେଖି ଖୁଣ୍ଟା ଦିଅନ୍ତି । ସେମାନଙ୍କ ଇଚ୍ଛା କ’ଣ ମୁଁ ବୁଝି ପାରୁନି ତା ହାଡ଼କୁ ଟିକିଟିକି କରି କାଟି ନଦୀରେ ଭସେଇଦେଲେ ଯାଇଁ କ’ଣ ସେମାନଙ୍କ ଆତ୍ମା ଶାନ୍ତ ହୁଅନ୍ତା ?’’ ଏତିକି କହି ଉତ୍ତର ପାଇଁ ଅପେକ୍ଷା ନ କରି ନାରାୟଣୀ ନିଜ ଶୋଇବା ଘରକୁ ଚାଲିଗଲା ।

 

ନୃତ୍ୟକାଳୀ ଏସବୁ କଥାକୁ ମନ ଭିତରେ ପୂରେଇ ମନେ ମନେ କହିଲା, ‘‘ଜାଣି ନ ଥିଲି ଲୋ ମା, ଜିରାରୁ ଶିରା ବାହାରିବ ବୋଲି... ! ମା’ ସାଆନ୍ତାଣୀ ଏଡ଼େ ବୁଦ୍ଧିମତୀ ହେଇ ବି ଏତେ ଟିକିଏ କଥା ବୁଝିପାରୁ ନାହାନ୍ତି । ଯୋଉ ତ ଶାସ୍ତି ଛାଡ଼, ପିଲାଟା କେତେ ସମୟ ବା ଗୋଟାଏ ଗୋଡ଼ରେ ଛିଡ଼ା ହେଇଗଲା ବୋଲି ତିନିପୁର ଉଚ୍ଛନ୍ନ କଲେଣି....’’

 

କେତେବେଳଯାକେ ନୃତ୍ୟକାଳୀ ମନେ ମନେ ରଗ ରଗ ହେଉଥିଲା ସେଇ ଗୋଟାଏ ଜାଗାରେ ଛିଡ଼ା ହେଇ ।

 

ଟିକକ ପରେ ଦୀନମଣି ଅସ୍ତ ଗଲେ ନିଜ ଆଲୋକ ଶକ୍ତିରୁ କିୟଦଂଶ ମାଟିର ଦୀପ ହାତରେ ନ୍ୟସ୍ତ କରିଦେଇ । ଆସ୍ତେ ଆସ୍ତେ ପୃଥିବୀ ଉପରେ ଗୋଟିଏ କଳା ପରଦା ଢାଙ୍କି ହୋଇଗଲା ।

 

ସବୁଦିନେ ସକାଳେ ରାମ ଜଲଦି ଖାଇଦେଇ ସ୍କୁଲ ଚାଲିଯାଏ । ଯିବାର ଅନେକ ଡେରିରେ ଶ୍ୟାମଲାଲ କଚେରୀରୁ ଫେରନ୍ତି । ଖାଉ ଖାଉ ବି ତାଙ୍କର ଡେରି ହୋଇଯାଏ । ଏଣୁ କେବଳ ରାତିରେ ଦୁଇଭାଇ ଏକାଠି ଖାଇବାର ସୁଯୋଗ ମିଳେ । କିନ୍ତୁ ରାମ ନିଜ ଭାଇ ସହିତ ଏକାଠି ବସି ଖାଇବାକୁ ପସନ୍ଦ କରେନା । ସେ ନାରାୟଣୀ ସହିତ ଖାଏ । ଆଜି ଜାଣିଶୁଣୀ ନାରାୟଣୀ ଦି’ଭାଇଙ୍କ ଥାଳି ଏକାଠି ବାଢ଼ିଦେଲା । ରାମ ଘର ଭିତରକୁ ଯେମିତି ଆସିଛି, ତା’ ଦୃଷ୍ଟି ଥାଳି ଉପରେ ପଡ଼ିଲା । ସେ ଭିତରକୁ ନ ଆସି ସେଇ ଦୁଆରବନ୍ଧରେ ଛିଡ଼ା ହୋଇ କହିଲା, ‘‘ଯା, ମୁଁ ଖଇବିନି....କେବେ ଖାଇବିନି.....’’

 

ନାରାୟଣୀ ବେଶ୍‌ ଗମ୍ଭୀର ଭାବରେ କହିଲା, ‘‘ବେଶ୍‌, ନ ଖାଇଲେ ଯାଇ ଶୋଇପଡ଼ ।’’ ନିଜ ଭାଉଜ ମୁହଁରୁ ଏପରି ଉତ୍ତର ଶୁଣି ରାମର ଅକଲ ଗୁଡ଼ୁମ୍‌ ହୋଇଗଲା । ତେବେ ବି ସେ ଖାଇବାକୁ ନ ବସି ସେମିତି ଚୁପ୍‌ଚାପ୍‌ ଛିଡ଼ା ହୋଇ ରହିଲା ।

 

ରୋଷେଇ ଘରକୁ ଶ୍ୟାମଲାଲଙ୍କୁ ଆସିବା ଦେଖି ରାମ ପବନ ବେଗରେ ପଳାଇଲା ଆଉ ଗୋଟିଏ ଦୁଆର ଦେଇ । ସେ କ୍ୱଚିତ୍‌ ଭାଇ ଆଗକୁ ଆସେ । ଅନେକ ସମୟରେ ସେ ଦୂରେଇଯାଏ । ଶ୍ୟାମଲାଲ ଖାଉ ଖାଉ ପଚାରିଲେ–‘‘ରାମ ଖାଇନାଇଁ କି ?’’ ନାରାୟଣୀ କହିଲା, ‘‘ସେ ମୋ ସାଙ୍ଗରେ ଖାଇବ ।’’

 

ଶ୍ୟାମଲାଲ ଖାଇସାରି ଚାଲିଯିବା ପରେ ରାମ ହାତରେ ମୁଠାଏ ପାଉଁଶ ଧରି ରୋଷେଇ ଘରକୁ ଆସିଲା । କହିଲା, ‘‘କାହାକୁ ଖୋଇଦେବିନି, ସମସ୍ତଙ୍କ ଥାଳିରେ ପାଉଁଶ ବିଞ୍ଚିଦେବି ।’’

 

‘‘ଆଗ ପାଉଁଶ ପକା, ଦେଖିବୁ କ’ଣ କରିବି.... ।’’

 

‘‘କ’ଣ କରିବୁ ? ସକାଳେ ତ ମୋତେ ଫୁସୁଲେଇ ଖୋଇଦେଲୁ....ଅବିକା ମାରି ଗୋଡ଼ଉଚୁ.... ।’’

 

‘‘ଖାଇଲୁ କାହିଁକି ?’’

 

‘‘ତୁ କାହିଁକି କହିଲୁ ରାତିରେ......’’

 

‘‘ଆରେ ଏଡ଼େ ବଡ଼ ଆସି ହେଲୁଣି, ଅନ୍ୟ ହାତରେ ଖାଇବାକୁ ଲାଜ ଲାଗୁନି ?’’

 

ନାରାୟଣୀ କଥା ଶୁଣି ରାମ ଆଶ୍ଚର୍ଯ୍ୟରେ ସ୍ତମ୍ଭୀଭୂତ ହୋଇଗଲା । ସେ କହିଲା, ‘‘ତୁ ତ ନିଜେ କହିଥିଲୁ ଖୋଇଦେବୁ ବୋଲି । ଏତେ ଜଲ୍‌ଦି ଭୁଲିଗଲୁଣି ?’’

 

ନାରାୟଣୀ କଥାକୁ ଆଉ ନ ମାଜି କହିଲା,‘‘ଯା ପାଉଁଶ ପକେଇଦେଇ ହାତ ଧୋଇ ଆ; କିନ୍ତୁ ଆଗରୁ କହିଦେଉଛି ଆଜି ଦିନକ.....ପୁଣି ଯଦି କେବେ ଖୋଇଦେବାକୁ ଜିଦ୍‌ ଧରିବୁ ତ ଦେଖିବୁ.... ।’’

 

ନାରାୟଣୀ ନିଜ ହାତରେ ରାମକୁ ଖୋଇଦେଉଥିବା ବେଳେ ବିନା କାରଣରେ ନୃତ୍ୟକାଳୀ ରୋଷେଇଘର ଦୁଆର ଦେଇ ଚାଲିଗଲା । ଚାଲିଗଲା ବେଳେ ସବୁ ଘଟଣା ଉପରେ ଥରେ ଆଖି ବୁଲେଇ ନେଲା ।

 

ନାରାୟଣୀ ବି ତାକୁ ଯିବା ଦେଖି କିଛି ଭାବିଲାନି । ସେ ରାମକୁ ସ୍ନେହ କରି ବୁଝଉଥିଲା, ‘‘ଲୋକମାନଙ୍କ କଥା ଶୁଣି ଶୁଣି ମୋ କାନ ତ ବଧିରା ହୋଇଗଲାଣି ରାମ ! ତୁ କ’ଣ ଭଲ ପିଲା ହେବୁନି ? ଆଉ ମୁଁ ତ ସେମାନଙ୍କ କଥା ଶୁଣିପାରିବିନି ।’’

 

ରାମ ଭାତ ଗୁଣ୍ଡାଟାକୁ ଢୋକିଦେଇ କହିଲା, ‘‘କିଏ କହୁଚି ? ଯିଏ ମୋ ନାଁରେ ମିଛରେ ଚୁଗୁଲି କରୁଚି, ତା’ ନାଁ କହିଲୁ......’’

 

ନାରାୟଣୀ ସହଜ ଗଳାରେ କହିଲା, ‘‘ତତେ ସେମାନଙ୍କ ନାଁ କହିଦେବି, ତୁ ସେମାନଙ୍କୁ ହଇରାଣ କରିବୁ, ନୁହେଁ ? ରାମ, ତୁ ଏ ବଗୁଲିଆ ପ୍ରକୃତି ଛାଡ଼ିଦେ, ତତେ ମୋ ରାଣ ।’’

 

ରାମ ଭାଉଜ କଣ୍ଠରେ ଦୁଃଖର ଆଭାସ ପାଇ ସାନ୍ତ୍ୱନା ଦେବା ଉଦ୍ଦେଶ୍ୟରେ କହିଲା, ‘‘ଭାଉଜ, ତୁ ମୋଟେ ଚିନ୍ତା କରନା, ତୁ ଏଣିକି ଯାହା କହିବୁ ମାନିବି ।’’

 

ନାରାୟଣୀର ବାପ କୁଳରେ ନିଜ ବୋଉ ଆଉ ଗୋଟିଏ ସାନଭଉଣୀ ଛଡ଼ା କେହି ନ ଥିଲେ । ବୋଉ ନାଁ ଦିଗମ୍ୱରୀ । ନିଜ ସ୍ୱାମୀଙ୍କ ମୃତ୍ୟୁ ପରେ ଶ୍ୱଶୁର ବଂଶରେ ଆଉ କେହି ଆଶ୍ରୟଦାତା ନ ଥିବାରୁ ଦିଗମ୍ୱରୀ ସାନଝିଅ ସୁରଧୂନିକି ଧରି ନିଜ ଭାଇ ପାଖକୁ ଚାଲିଗଲା । ସେଠି ଭାଇର ସଂସାର ଦାୟିତ୍ୱ ନିଜେ ମୁଣ୍ଡେଇଲା । ଭାଉଜ ମରିବାର ଅନେକ ବର୍ଷ ହେଲାଣି । ସେଥିପାଇଁ ଭାଇ ତାକୁ ଡକେଇ ନେଇଥିଲେ । ସୁଖେ ଦୁଃଖେ ଦିଗମ୍ବରୀ ନିଜ ୧୦ ବର୍ଷର ଝିଅଟି ସହିତ ଭାଇ ପାଖରେ ଦିନ କାଟୁଥିଲା । କିନ୍ତୁ ଭାଗ୍ୟର ବିପର୍ଯ୍ୟୟ ଯୋଗୁଁ ଦିଗମ୍ୱରୀ ଭାଇକୁ ହରେଇଲା । ଏବେ ଏଠି ତାକୁ କିଏ ବା ଆଶ୍ରୟ ଦେବ ? ଭାଇ ମୃତ୍ୟୁରେ ସେ ଏକପ୍ରକାର ଆଶ୍ରୟହୀନା ହୋଇଗଲା । ଝିଅଟିକୁ ନେଇ ସେ କୁଆଡ଼େ ବା ଯିବ ? ଶେଷରେ ବଡ଼ଝିଅ ନାରାୟଣୀ ପାଖକୁ ନିଜ ଦୁଃଖ କାହାଣୀର ଖବର ପଠାଇଲା । ନାରାୟଣୀ ନିଜ ବୋଉ ଓ ସାନଭଉଣୀର ଦୁର୍ଦ୍ଦଶା କଥା ଶୁଣି ଘଡ଼ିଏ କାଳ ଥକ୍‌କା ହୋଇଗଲା । ସେଇ ରାତିରେ ଶ୍ୟାମଲାଲ ଆଗରେ ସବୁ ବିଷୟ ବର୍ଣ୍ଣନା କରି କହିଲା, ‘‘ଆଉ ଜଣେ ହେଲେ କେହି ଆତ୍ମୀୟ ନାହାନ୍ତି–ଯିଏ କି ସେମାନଙ୍କୁ ଆଶ୍ରୟ ଦେଇପାରିବ । ତା’ ଛଡ଼ା ବୋଉ ଏଠିକି ଚାଲିଆସିଲେ ଏଡ଼େ ବଡ଼ ସଂସାର ଚଳେଇବାରେ ବି ମତେ ଟିକିଏ ସାହାଯ୍ୟ ମିଳନ୍ତା ।’’ ସବୁ ଶୁଣି ଶ୍ୟାମଲାଲ ନାରାୟଣୀ କଥାରେ ସମ୍ମତି ଜଣାଇ କହିଲେ, ‘‘କାଲି ସକାଳେ ଲୋକ ପଠାଇ ସେମାନଙ୍କୁ ମୁଁ ମଗେଇ ପଠେଇବି ।’’

 

ଠିକ୍‌ ତା’ ପରଦିନ ଦିଗମ୍ୱରୀ ସାନଝିଅ ସୁରଧୂନି ସହିତ ନାରାୟଣୀ ଘରେ ପହଞ୍ଚିଲା । ପହଞ୍ଚିବା ସାଙ୍ଗେ ସାଙ୍ଗେ ତା’ ଦୃଷ୍ଟି ରାମ ଉପରେ ପଡ଼ିଲା । କେଜାଣି କାହିଁକି ସେ ଏକ ଅପୂର୍ବ ଭଙ୍ଗିରେ ମୁହଁ ବିକୃତ କରି ରାମକୁ ନିରୀକ୍ଷଣ କଲା । ଯେପରି ଜଣାଗଲା ରାମକୁ ଦେଖି ତା’ ହାଡ଼ ଜଳିଯାଉଛି । ସତକୁ ସତ ଆସିବାର ଦୁଇ ତିନି ଦିନ ଭିତରେ ତା’ ମନର ଧାରଣା ସମସ୍ତଙ୍କ ଆଗରେ ସ୍ପଷ୍ଟ ହୋଇଗଲା ।

 

କିଛିଦିନ ପର କଥା । ରାମ ଗୋଟିଏ ଅଶ୍ୱତ୍‌ଥ ଡାଳ ଆଣି ଅଗଣାରେ ଗୋଟିଏ ଗାତ ଖୋଳି ଯତ୍ନ ସହକାରେ ତାକୁ ପୋତିଲା । ଦିଗମ୍ୱରୀ ରୋଷେଇଘର ବାରଣ୍ଡାରେ ବସି ରାମ ନାମ ଜପୁଥିଲା । ଆଙ୍ଗୁଠି ଅଗରେ ମାଳା ଗଡ଼େଇବା ସଙ୍ଗେ ସଙ୍ଗେ ରାମର ସବୁ କାଣ୍ଡମାନ ଭଲ ଭାବରେ ଦେଖୁଥାଏ । ତା’ ଢଙ୍ଗଢାଙ୍ଗରୁ ଜଣାପଡ଼ୁଥିଲା ଯେପରି ରାମର ଏ ପ୍ରକାର ଖେଳରେ ତା’ ଦେହ ସହୁନି । ଶେଷରେ ଯେତେବେଳେ ବେଶି ଅସହ୍ୟ ହେଲା, କର୍କଶ ଗଳାରେ କହିଲା, ‘‘ସେ ଗଛ କ’ଣ ହେବ ରାମ ?’’

 

ରାମ ପୋତିବା କାମରେ ବ୍ୟସ୍ତ ରହି କହିଲା, ‘‘ଏ ହେଉଛି ଅଶ୍ୱତ୍‌ଥ ଡାଳ । କିଛିଦିନ ପରେ ବଡ଼ ହୋଇଗଲେ ଦୁଆରେ ଛାଇ ହେବ । ମାଷ୍ଟ୍ରେ କହିଛନ୍ତି–ଅଶ୍ୱତ୍‌ଥ ଗଛ ଛାଇ ଭାରି ଥଣ୍ଡା-।’ ତା’ ପରେ ସେ ଭୋଳାକୁ ହୁକୁମ ଦେଲା–‘‘ଭୋଳା, ଯା ପାଣି ଆଣ । ପାଣି ଢାଳି ଆକୁ ଜେଇବା-। ଶୁଣ, ବାଉଁଶକଣି କେଇଖଣ୍ଡ ବି ଆଣ । ଆ ଚାରିପାଖ ବାଡ଼ ଦେଇଦେଲେ ଗାଈଗୋରୁ ଖାଇପାରିବେ ନି ।’’

 

ରାମର ବ୍ୟାଖା ଶୁଣି ଦିଗମ୍ୱରୀ ରାଗି ନିଆଁ ବାଣ ହୋଇଗଲା । ସେ ଚିଡ଼ିଯାଇ କହିଲା, ‘‘ବିଚ୍‌ ଦୁଆରେ ଅଶ୍ୱତ୍‌ଥ ଗଛ ! ହେ ଭଗବାନ୍‌ ! ମୋ ଜୀବନରେ ମୁଁ ଏମିତି କୋଉଠି ଦେଖିନି ।’’

 

ରାମ ତା’ କଥା ପ୍ରତି କର୍ଣ୍ଣପାତ କଲା ନାହିଁ । ଏହା ଭିତରେ ଭୋଳା ଗୋଟିଏ ଛୋଟ ଢାଳରେ ପାଣି ଆଣି ଛିଡ଼ା ହୋଇଥିବା ଦେଖି ତା’ ହାତରୁ ଢାଳଟା ନେଇ କହିଲା, ‘‘ଆରେ ପାଗଳା-! ଏତିକି ପାଣିରେ କ’ଣ ହେବ ! ଆଚ୍ଛା ତୁ ଏଠି ଛିଡ଼ା ହ, ମୁଁ ପାଣି ଆଣୁଛି ।’’ ରାମ ତା’ପରେ ପାଣି ପାଇଁ ଚାଲିଗଲା । ଛୋଟ ବାଲଟିରେ କେଇ ବାଲ୍‌ଟି ପାଣି ଆଣି ଗଛମୂଳ ମନ୍ଦା ପୂର୍ଣ୍ଣ କରିଦେଲା । କିନ୍ତୁ ସେତିକିରେ ବନ୍ଦ ନ ହୋଇ ପୁଣି ପାଣି ଆଣି ଢାଳିବା ଫଳରେ ପାଣି ଅଗଣା ସାରା ଖେଳେଇ ହୋଇଯାଇ କାଦୁଅ ସୃଷ୍ଟି କଲା ।

 

ନାରାୟଣୀ ନଦୀରୁ ଗାଧୋଇ ଫେରିବା ଭିତରେ ଗଛ ପୋତିବା ଓ ତା’ ମୂଳରେ ପାଣି ଢାଳିବା କାମ ଶେଷ ହୋଇଯାଇଥିଲା । କେବଳ ତା’ ଚାରିପାଖେ ବାଡ଼ ଦେବା କାମ ବାକୀ ଥିଲା-। ଭୋଳା ବାଉଁଶ ପାଇଁ ଯାଇ ଏ ପର୍ଯ୍ୟନ୍ତ ଆସିନି ।

 

ଦିଗମ୍ୱରୀ ସେତିକିବେଳୁ ରବେଇ ଖବେଇ ହେଉଛି । ତା’ରି ଆଗରେ ଏଡ଼େ ବଡ଼ କାମଟିଏ ଆରମ୍ଭ ହୋଇ ଶେଷ ହେବାକୁ ବସିଲା–ତେବେ ବି ରାମ ଇଚ୍ଛା ବିରୁଦ୍ଧରେ ସେ କିଛି କହିପାରିଲାନି । ଏସବୁ ସେ ସହେ କେତେକେ । ଠିକ୍‌ ଏତିକିବେଳେ ନାରାୟଣୀ ଓଦାଲୁଗା ପିନ୍ଧି କାଖରେ କଳସୀ ଧରି ଘରେ ପହଞ୍ଚିଲା । ନାରାୟଣୀକୁ ଦେଖି ଚିତ୍‌କାର କରି କହିଲା–‘‘ଦେଖ୍‌ ନାରାୟଣୀ ତୋ ଦିଅରର କାଣ୍ଡ । ଦୁଆର ମଝିରେ ଅଶ୍ୱତ୍‌ଥ ଡାଳଟାଏ ପୋତି କହୁଛି ଛାଇ ହେବ-। ଆଉ ସେ ସାନଟୋକା ବି ତା’ ସାଙ୍ଗରେ ବାଈ । ଦେଖିଲୁ କେତେବଡ଼ ବାଉଁଶଟାଏ ନେଇକରି ଆସୁଚି । ଏ ଗଛ ଚାରିପାଖେ କୁଆଡ଼େ ବାଡ଼ ଦିଆଯିବ !’’

 

ସତକୁ ସତ ଭୋଳା ଗୋଟାଏ ଅଗରା ବାଉଁଶ ଟାଣି ଟାଣି ଆଣୁଥିଲା । ଏ ଦୁହିଁଙ୍କ ବୟସ ପ୍ରାୟ ସମାନ । ଭୋଳା ପ୍ରକୃତରେ ଦେଖିବାକୁ ସାଧାସିଧା । ଏମାନଙ୍କର କାଣ୍ଡ ଦେଖି ନାରାୟଣୀ ନ ହସି ରହିପାରିଲାନି । ଗୋଟିଏ ପାଖରେ ବୋଉର ବିନା କାରଣରେ ରାଗିବା, ଅନ୍ୟ ପାଖରେ ରାମର ପାଗଳାମୀ; ଏଇ ଦୁଇ କାରଣରୁ ସେ ହସିପକାଇଲା । ସେଇ ହସ ମୁହଁରେ ପଚାରିଲା–‘‘ବିଚ୍‌ ଦୁଆରେ ଏ ଅଶ୍ୱତ୍‌ଥ ଗଛ କ’ଣ ହେବ, ଆରେ ପାଗଳା ?’’

 

ରାମ ନିଜ ଭାଉଜର ଅଜ୍ଞତା ଦେଖି ଆଶ୍ୱର୍ଯ୍ୟ ହୋଇ କହିଲା–‘‘ଆରେ ତୁ ଏତିକି କଥା ଜାଣିନୁ ଭାଉଜ ! ଗଛ ବଡ଼ ହେଲେ ଦୁଆରେ ଛାଇ ହେବ । ଆଉ ଏ ଯୋଉ ଡାଳ ଦେଖୁଛୁ........’’-। ଏତିକିବେଳେ ଗୋବିନ୍ଦ ସେ ଡାଳ ଆଡ଼କୁ ଆଙ୍ଗୁଠି ଦେଖାଇବାରୁ ରାମ ତାକୁ ବାରଣ କଲା । ତା’ପରେ ନାରାୟଣୀକୁ କହିଲା–‘‘ବୁଝିଲୁ ଭାଉଜ ! ଏ ଡାଳ ଯେତେବେଳେ ମୋଟା ହୋଇଯିବ–ଗୋବିନ୍ଦ ଝୁଲିବା ପାଇଁ ଗୋଟିଏ ଝୁଲଣ କରିଦେବି ।’’ ଭୋଳା ରାମ ପାଖରେ ପହଞ୍ଚି ଯାଇଥିଲା । ତାକୁ ଦେଖି ରାମ କହିଲା–‘‘ହେ ଭୋଳା ! ଟିକିଏ ଉଞ୍ଚା କରି ବାଡ଼ ଦେଉଥା, ଆମ କାଳି ଗାଈ ବେକ ବଢ଼େଇ ଯେପରି ଗଛ ସୁଦ୍ଧା ଖାଇ ନ ଯାଏ । ଆଚ୍ଛା ଦେ, ମତେ କୁରାଢ଼ିଟା ଦେ । ମୁଁ ନିଜେ କାଟିବି । ଏ କାମ ଟିକେ କଷ୍ଟ । ତୋଦ୍ୱାରା ହବନି ।’’ ତା’ପରେ ଭୋଳା ହାତରୁ କୁରାଢ଼ି ନେଇ ଚୋଟ ଉପରେ ଚୋଟ ମାରି ବାଉଁଶକଣି କାଟିବାକୁ ଲାଗିଲା ।

 

ନାରାୟଣୀ ଏସବୁ ପାଗଳାମୀ ଦେଖି ହସି ହସି ଗଡ଼ିଲାଣି; କିନ୍ତୁ ତାକୁ କିଛି ନ କହି ସେମିତି ହସ ହସ ମୁହଁରେ କଳସୀ କାଖରେ ରୋଷେଇଘରକୁ ପଶିଗଲା ।

 

ଦିଗମ୍ୱରୀ ଦେଖିଲା ନାରାୟଣୀ ରାମକୁ କିଛି ନ କହି ସବୁ ହସରେ ଉଡ଼ାଇଦେଲା । ସେ ନିଜ ରାଗ ସମ୍ଭାଳି ପାରିଲାନି । ନିଜକୁ ସେ ଅପମାନିତ ବୋଧ କଲା । ରୋଷେଇଘରୁ ନାରାୟଣୀକୁ ବାହାରିବାର ଦେଖି କହିଲା–‘‘ତୁ ତ ତାକୁ କିଛି କହିଲୁନି, ଅଧିକ ହସରେ ଉଡ଼ାଇଦେଲୁ । ଏଠି ତେବେ ଅଶ୍ୱତ୍‌ଥ ଗଛ ପୋତାହେବା କଥା ଠିକ୍‌ ହେଲା ?’’

 

–‘‘ବୋଉ ! ତୁ ଏପରି ବ୍ୟସ୍ତ କାହିଁକି ହଉଚୁ ? ଏ ଗଛ କ’ଣ ସତରେ ବଞ୍ଚୁଛି ? ଡାଳଟାଏ–ତାର ଚେର ଅଛି ନା ମୂଳ ଅଛି ଯେ, ବାଲ୍‌ଟିଏ ବାଲ୍‌ଟିଏ ପାଣି ଢାଳିରେ ଜୀଇଯିବ । କେବେ ବଡ଼ ହେବ–ପୁଣି ଛାଇ ଦେବ ! ତୁ ଦେଖେନା ବୋଉ–କାଲିକ ଭିତରେ ଡାଳ ଶୁଖି ନ ଯାଇଛି ତ..... ।’’

 

ଏ କଥାରେ ଦିଗମ୍ୱରୀ ମନ ମୋଟେ ସନ୍ତୁଷ୍ଟ ହେଲାନି । ସେ ଯେପରି ରାମର ଟିକିକ କଥାକୁ ବି ସହିବାକୁ ପ୍ରସ୍ତୁତ ନୁହେଁ । ସେ କହିଲା–‘‘ନାରାୟଣୀ ! ଯଦି ମଙ୍ଗଳ ଅଛି ତ–ଅବିକା ସେ ଡାଳକୁ ଉପାଡ଼ିପକା । ଶୁଖିବା ଯାକେ କାହିଁକି କଥା ରହିବ ?’’

 

‘‘ଏମିତି କଲେ ଅନର୍ଥ ହିଁ ସାର ହେବ ବୋଉ !’’ ନାରାୟଣୀ ନିଜ ବୋଉ କଥାରେ ଶଙ୍କିତ ହୋଇପଡ଼ିଲା ।

 

ଏ ଘର ଉପରେ କ’ଣ ଖାଲି ତା’ରି ଅଧିକାର ଅଛି ? ଯାହା ଇଚ୍ଛା ହେବ ତା’ କରିବ । ଏମିତି କି ବିଚ୍‌ ଦୁଆରଟାରେ କାହାକୁ ପଚରାଉଚରା ନ କରି ଗଛଟାଏ ପୋତିବ । ତା’ ଦୃଷ୍ଟିରେ ତମେ ସବୁ କ’ଣ କିଛି ନୁହଁ ? ମୋ ଗୋବିନ୍ଦର ବି କ’ଣ କିଛି ଅଧିକାର ନାହିଁ ? ପୁଣି ସେଇ ଗଛ ଉପରେ ଦୁନିଆଯାକର ଚିଲ, ଶାଗୁଣା, କାଉ ଆସି ଜମା ହେବେ । ଅସନା କରିବେ । ଏମିତି ହେଲେ ମୁଁ ଏଠି ରହିପାରିବିନି ବାବା ! ଶେଷରେ ତମେ କାହିଁକି ଯେ ଡରୁଚ ମୁଁ ବୁଝିପାରୁ ନାହିଁ । ଇଏ ଯଦି ମୋ ଘର ହୋଇଥାଆନ୍ତା–ଦେଖିଥାଆନ୍ତ ମୁଁ କ’ଣ କରିଥାଆନ୍ତି । ଏକା ଦିନକେ ସାବାଡ଼ କରିଦେଇଥାଆନ୍ତି । ତୁ ବୋଲି ଏସବୁ ସହିଯାଉଛୁ । ଆଉ ସେଇଥିଯୋଗୁଁ ସେ ଦିନକୁ ଦିନ ମୁଣ୍ଡ ଉପରେ ଚଢ଼ୁଛି । ହଉଲୋ ମା–ମୋର କ’ଣ ଅଛି.... ?

 

ନାରାୟଣୀ ଏସବୁ ସହିପାରୁ ନ ଥାଏ । ରାମ ବିରୁଦ୍ଧରେ କୌଣସି କଥା ତାକୁ ମୋଟେ ଭଲ ଲାଗୁ ନ ଥାଏ । ନାରାୟଣୀ ନିଜ ବୋଉର ବିଷାକ୍ତ ଧାରଣା ସହିତ ଭଲ ଭାବରେ ପରିଚିତ । ସେଦିନ ନୃତ୍ୟକାଳୀ ରାମ ବିରୁଦ୍ଧରେ ଚୁଗୁଲି କରିବାରୁ ସେ କାନ୍ଦ କାନ୍ଦ ହୋଇଯାଇଥିଲା । କିନ୍ତୁ ଦିଗମ୍ୱରୀ ତା’ ବୋଉ । ଏଣୁ କିଛି କହିବାକୁ ତା’ ମୁହଁ ଖୋଲିଲା ନାହିଁ । କିଛିକ୍ଷଣ ଚୁପ୍‌ ରହିଲା ପରେ କଥାକୁ ହାଲୁକା କରିବା ଉଦ୍ଦେଶ୍ୟରେ ସହଜ ଗଳାରେ କହିଲା–‘‘ବୋଉ ! ସେ ତ ପିଲାଟାଏ । ତାର ବୁଦ୍ଧି ବା କେତେ ? ବୁଝିବା ଲୋକ ହୋଇଥିଲେ–ସେ କ’ଣ ନିଜ ଦୁଆରେ ଗଛ ଆଣି ଲଗାଇଥାଆନ୍ତା ! ଦି’ଦିନ ପରେ ଆପେ ସେ ତାକୁ ଉପାଡ଼ି ପକାଇଦେବ ଯେ ।’’

 

‘‘ଯେ କ’ଣ ପକାଇବ ଲୋ–ଗଛ ହେବା ପୂର୍ବରୁ ମୁଁ ସେ ଡାଳକୁ ମୋଡ଼ିମାଡ଼ି ଫୋପାଡ଼ିଦେବି ।’’

 

‘‘ନା ବୋଉ- ତତେ ହାତ ଯୋଡ଼ୁଛି–ଏମିତି କରନା । ତୁ ତାକୁ ଚିହ୍ନିନୁ । ମୋ ଛଡ଼ା ତା’ ଭାଇ ବି ତାକୁ ଛୁଇଁବାକୁ ସାହସ କରନ୍ତି ନି । କୌଣସିମତେ ଆଜି ଦିନଟା ତ ରହିଯା ।’’

 

ରାମ ଯିଦ୍‌ ଆଗରେ ତା’ ଯିଦ୍‌ ଯେ ବଜାୟ ରହିବନି, ଏକଥା ଦିଗମ୍ୱରୀ ବରଦାସ୍ତ କରିପାରୁ ନ ଥାଏ । ରାମକୁ ଦେଖିଲାମାତ୍ରେ ତା’ ରକ୍ତ ତାତିଉଠେ । ସେ ସେମିତି ଅସନ୍ତୋଷ ମନରେ କହିଲା–‘‘ଯା, ତୁ ଆଗ ଲୁଗା ବଦଳି ପକା ।’’

 

ଦିଗମ୍ୱରୀ ସେତେବେଳେ ଅପମାନତକ ସହିନେଲା । କିନ୍ତୁ ତା’ ମନ ଭିତରେ ଯେଉଁ ନିଆଁ ଜଳିଉଠିଥିଲା–ତା’ ସହଜେ ନିଭିବାର ନୁହେଁ । ଦି’ପହରେ ଘରର କାମଧନ୍ଦା ସାରି ନାରାୟଣୀ ନିଜ ଘରେ ବସି ତକିଆ ଝାଲର ବୁଣୁଥିଲା–ଏତିକିବେଳେ ନୃତ୍ୟକାଳୀ ଆସି ଖବର ଦେଲା କି ବଡ଼ମା’ ସାନ ବାବୁଙ୍କ ଗଛ ଉପାଡ଼ି ପକେଇ ଦେଲେଣି । ସେ ସ୍କୁଲରୁ ଆସି ଯଦି ନିଜ ଗଛ ନ ଦେଖନ୍ତି–କ’ଣ ଯେ କରିବେ–ଠିକ୍‌ ନାହିଁ । ନାରାୟଣୀ ନୃତ୍ୟକାଳୀ ମୁହଁରୁ ଏତିକି ଶୁଣିବାମାତ୍ରେ ବାହାରକୁ ଆସି ଦେଖିଲା–ସତକୁ ସତ ଦୁଆରେ ସେ ଗଛ ଆଉ ନାହିଁ ।

 

ଦିଗମ୍ୱରୀକୁ ଦୁଆରେ ଛିଡ଼ା ହୋଇଥିବା ଦେଖି ସେ ପଚାରିଲା–‘‘ବୋଉ, ରାମର ଗଛ କୁଆଡ଼େ ଗଲା ?’’ ମୁହଁ ବିକୃତ କରି ଦିଗମ୍ୱରୀ ଆଖିର ଇସାରାରେ କହିଲା–‘‘ହେଇ ସେଠି ପଡ଼ିଛି-।’’

 

ପାଖକୁ ଆସି ନାରାୟଣୀ ଦେଖିଲା–ସେ ଗଛଟି ଖାଲି ଉପୁଡ଼ା ଯାଇ ନାହିଁ । ତା’ ସଙ୍ଗେ ସଙ୍ଗେ ତାକୁ ମକଚି ମାକଚି ନଷ୍ଟ କରି ଦିଆଯାଇଛି । ଗୋଟିଏ ପତ୍ର ବି ସେ ଡାଳରେ ନାହିଁ । ନାରାୟଣୀ ନିଜ ବୋଉ ହୃଦୟର କୁଟୀଳତାକୁ ସ୍ପଷ୍ଟ ଦେଖିପାରିଲା । କିନ୍ତୁ ମୁହଁ ଫିଟେଇ କିଛି କହିପାରିଲାନି । ସେ ଡାଳକୁ ଉଠେଇ ନେଇ ଦୂରରେ ପକାଇଦେଇ ଆସିଲା । ଯେପରି ରାମର ଦୃଷ୍ଟି ସେଠି ପଡ଼ି ନ ପାରିବ । ତା’ପରେ ଘରକୁ ଆସି ଗାମ୍ଭୀର୍ଯ୍ୟ ସହକାରେ ନିଜ କାମରେ ବ୍ୟସ୍ତ ରହିଲା ।

 

ସ୍କୁଲରୁ ଆସିବାମାତ୍ରେ ରାମର ଦୃଷ୍ଟି ଆଗେ ସେ ଗଛ ଉପରେ ପଡ଼ିଲା । କିନ୍ତୁ ଗଛକୁ ଯଥାସ୍ଥାନରେ ନ ଦେଖି କନ୍ଦାକଟା ଆରମ୍ଭ କରିଦେଲା । ବହିପତ୍ର ଦୁଆରେ ଫୋପାଡ଼ିଦେଇ ସେଇଠୁ କାନ୍ଦି କାନ୍ଦି ନାରାୟଣୀ ପାଖକୁ ଆସିଲା । କହିଲା–‘‘ଭାଉଜ ! ମୋ ଗଛ.......’’

 

‘‘କହୁଛି ମୋ ପାଖକୁ ଆ ।’’ ନାରାୟଣୀ ଉଠିପଡ଼ି କହିଲା ।

 

‘‘ମୁଁ ଯିବିନି । ମୋ ଗଛ କାହିଁ ?’’

 

‘‘ମୋ ପାଖକୁ ଆ, କହୁଛି ପରା !’’

 

ରାମ ପାଖକୁ ଆସିବାମାତ୍ରେ ସେ ତା’ ହାତ ଧରି ପକାଇ ପାଖକୁ ଟାଣିନେଲା । ତା’ପରେ ନିଜ କୋଳରେ ବସେଇ ତା’ ମୁଣ୍ଡରେ ସ୍ନେହରେ ହାତ ବୁଲାଇ କହିଲା–‘‘ଆରେ ପାଗଳା-! ମଙ୍ଗଳବାରେ ନିଜ ଦୁଆରେ କେହି ଅଶ୍ୱତ୍‌ଥ ଗଛ ଲଗାନ୍ତି ନାହିଁ ।’’

 

ରାମ ଶାନ୍ତଶିଷ୍ଟ ଭାବରେ ଉତ୍ସାହିତ ହୋଇ ପଚାରିଲା–‘‘କାହିଁକି ? ମଙ୍ଗଳବାରେ କଛ ଲଗେଇଲେ କ’ଣ ହୁଏ ?’’

 

‘‘ସେ ଘରର ବଡ଼ବୋହୂ ମରିଯାଏ ।’’ ନାରାୟଣୀ ହସ ସମ୍ଭାଳି ନ ପାରି କହିଲା ।

 

ରାମ ଏକଥା ଶୁଣି କାବା ହୋଇଗଲା । କିନ୍ତୁ ତାର ବିଶ୍ୱାସ ନ ହେବାରୁ କହିଲା–‘‘ଏ ମିଛକଥା ଭାଉଜ !’’

 

‘‘ନାଇଁରେ ମିଛ ନୁହେଁ । ଯଦି ବିଶ୍ୱାସ ନ ହେଉଛି ତେବେ କୋଷ୍ଠୀ ଦେଖେ ।’’

 

‘‘ଆଣ, କୋଷ୍ଠୀ ଦେଖା ।’’

 

ହଠାତ୍‌ କୋଷ୍ଠୀ କଥା ଶୁଣି ସେ ବ୍ୟସ୍ତ ହୋଇପଡ଼ିଲା । କିନ୍ତୁ ସମ୍ଭାଳି ନେଇ କହିଲା–‘‘ତତେ କ’ଣ କୋଷ୍ଠୀ ଦେଖି ଆସେ ଯେ ଦେଖିବୁ ? ପୁଣି ମଙ୍ଗଳ ବୁଧବାରେ କେହି କୋଷ୍ଠୀ ଦେଖନ୍ତିନି । ତା’ ଛଡ଼ା ଏତେ ଛୋଟ କଥାରେ କେହି କୋଷ୍ଠୀ ଦେଖାନ୍ତି ନାହିଁ । ଏ କଥା ଜାଣିଥିବ । ଯେ ତାକୁ ଡାକି ଆଣ ।’’

 

ତାର ଏତେ ବଡ଼ ଅଜ୍ଞତା ଭୋଳା ଆଗରେ ଜଣାପଡ଼ିଲେ ସେ ଅପମାନିତ ହେବ–ସେଇ ଲଜ୍ଜାରେ ସେ ଗଲା ନାହିଁ । ନିଜ ବୋଉ ପରି ଭାଉଜ ଗଳାରେ ଝୁଲିପଡ଼ି କହିଲା–‘‘ମୁଁ କ’ଣ ସେ କଥା ଜାଣେ ନାହିଁ ଭାଉଜ ? ଆଚ୍ଛା ତାକୁ ପକାଇ ଦେବାରେ କିଛି ଦୋଷ ନାହିଁ ତ ?’’

 

ଉତ୍ତରରେ କେବଳ ନାରାୟଣୀ ମୁଣ୍ଡ ହଲାଇଦେଲା । ସ୍ନେହର ଆଧିକ୍ୟରେ ତା’ ଆଖି ଓଦା ହୋଇ ଆସିଲା । ସେ ରାମକୁ ଅନାଇ କହିଲା–‘‘ଆଚ୍ଛା ରାମ ! ମୁଁ ମରିଗଲେ ତୁ କ’ଣ କରିବୁ-?’’

 

‘‘ନା–ଭାଉଜ ! ଏମିତି କଥା କହନା ।’’ ରାମ ହଠାତ୍‌ ନିଜ ହାତରେ ଭାଉଜ ମୁହଁ ବନ୍ଦ କରିଦେଲା ।

 

ନାରାୟଣୀ ଗୋପନରେ ଆଖି ପୋଛୁ ପୋଛୁ କହିଲା–‘‘ଆରେ ମୁଁ ଆସି ବୁଢ଼ୀ ହେଲି ଆଉ କେତେଦିନ ବଞ୍ଚିବି ?’’

 

ରାମ ଏ କଥାରୁ ଯେପରି ହସର ଉପାଦାନ ପାଇଲା । କହିଲା, ‘‘ଭାଉଜ ! ତୁ ବୁଢ଼ୀ କେବେ ହେଲୁ ମ ? ତୋର ତ ଗୋଟାଏ ଦାନ୍ତପଡ଼ିନି କି ବାଳ ବି ଗୋଟାଏ ଧଳା ହୋଇନି ।’’

 

‘‘ବାଳ ଧଳା ନ ହେଉ । ମୁଁ ଦିନେ ଯାଇ ନଦୀରେ ବୁଡ଼ି ମରିବି, ନଇଲେ କୁଆଡ଼େ ଚାଲିଯିବି ।’’

 

‘‘କାହିଁକି ଭାଉଜ !’’

 

‘‘ତୋରି ଯୋଗୁଁ । ତୁ ତ ମୋ ବୋଉକୁ ମୁହୂର୍ତ୍ତେ ଦେଖିପାରୁନୁ । ରାତିଦିନ ତା’ ସହିତ କଜିଆ କରୁଛୁ । ଯେବେ ମୁଁ ଚାଲିଯିବି, ଆଉ ତ ଫେରିବିନି । ସେତେବେଳେ ଯାଇଁ ବୁଝିବୁ ।’’

 

ଏ କଥାକୁ ରାମ ସହଜେ ବିଶ୍ୱାସ କଲା ନାହିଁ । କିନ୍ତୁ ମନେ ମନେ ଶଙ୍କିତ ହୋଇ କହିଲା–‘‘ଆଛା ଭାଉଜ ! ମୁଁ ତାକୁ ଆଉ କିଛି କହିବିନି । କିନ୍ତୁ ସେ କାହିଁକି ମୋ ପଛେ ପଛେ ଲାଗିଛି ?’’

‘‘ସେ କହୁ । ସେ ମୋ ବୋଉ । ତୋର ବି ମାନତି ଲୋକ । ତୁ ମତେ ଯେମିତି ସ୍ନେହ କରୁଛୁ–ତାକୁ ସେମିତି କରିବା ଉଚିତ ।’’ –ନାରାୟଣୀ କହିଲା ।

ରାମ ଏକଥା ଶୁଣି ଭାଉଜ ପଣତରେ ମୁହଁ ଲୁଚାଇଦେଲା । ମମତାଭରା ପଣତ ତଳେ ସେ ନିଜର ବାଲ୍ୟଜୀବନରେ ତେରଟି ବର୍ଷ ହସ ଖୁସିରେ କଟେଇଦେଇଛି । ଭାଉଜ ମରିଯିବ । ଏତେ ବଡ଼ ଅସତ୍ୟ କଥା ତା’ ହୃଦୟ ଯେପରି ମାନିବାକୁ ପ୍ରସ୍ତୁତ ନୁହେଁ, ତୁଣ୍ଡରେ ଧରିବା ତ ଦୂରର କଥା । ତା’ ପକ୍ଷରେ ଏହା ଭାବିବା ଏକବାରକେ ଅସମ୍ଭବ । ଏଇଥିପାଇଁ ସେ ଭାଉଜକୁ କିଛି ନ କହି ସେଇ ସ୍ନେହମୟୀର ପଣତ ତଳେ ଲାଜରେ ମୁହଁ ଲୁଚାଇଦେଲା ।

ନାରାୟଣୀ ବି ଭାରି ଗଳାରେ କହିଲା–‘‘ମୁହଁ ଲୁଚାଇଲେ କ’ଣ ହେବ ?’’

ଠିକ୍‌ ସେତିକିବେଳେ ଦିଗମ୍ୱରୀ–ଯିଏ କି ସବୁବେଳେ ମଉକା ଖୋଜି ବୁଲୁଥାଏ, ଘର ଭିତରକୁ ଅନାଇ ଦେଇ କହିଲା–‘‘ଆଜି କିଛି କାମଧନ୍ଦା ନାହିଁ ବୋଧେ ? ଦିଅରକୁ ଗେହ୍ଲା କରାଯାଉଛି ? ନିଜ ପୁଅ ଉପରେ ତ ଦୃଷ୍ଟି ନାହିଁ । ସେ ଶୁଖି ଶୁଖି କଣ୍ଟା ହୋଇଗଲାଣି । ସେକଥା କ’ଣ ଖିଆଲ ଅଛି ?’’

ରାମ ଏକଥା ଶୁଣି ମୁହଁ ବାହାର କରି ଆଣିଲା । ଆଗରେ ଦିଗମ୍ୱରୀକୁ ଦେଖି ରାଗରେ ତା’ ଆଖିରୁ ଯେପରି ଜଳୁଜୁଳିଆ ପୋକ ବାହାରିପଡ଼ିଲା । ସେ କହିବା ପୂର୍ବରୁ ନାରାୟଣୀ ଜୋରରେ ତା’ ମୁହଁକୁ ନିଜ ଛାତିରେ ଜାକି ଧରିଲା । ତା’ପରେ ନିଜ ବୋଉକୁ କହିଲା–‘‘ମୋ ପୁଅ କୋଉଥିପାଇଁ ଶୁଖି କଣ୍ଟା ହୋଇଯାଉଛି ବୋଉ ?’’

 

କିଛି କହିବାକୁ ରାସ୍ତା ନ ପାଇ ଖାଲି ଏତିକି କହିଲା ଦିଗମ୍ୱରୀ–‘‘ମୁଁ କେମିତି ଜାଣିବି-?’’ ତା’ପରେ ଯୁଆଡ଼ୁ ଆସିଥିଲା ସେଇଆଡ଼େ ଚାଲିଗଲା ।

 

କିନ୍ତୁ ରାମ ସମ୍ଭାଳି ପାରିଲାନି । ସେ ଜବରଦସ୍ତି ମୁଣ୍ଡ ବାହାର କରି ଆଣି କହିଲା–‘‘ଏ ବଦମାସ୍‌ ବୁଢ଼ୀକି ବେକମୋଡ଼ି ମୁଁ ମାରିଦେବି ।’’

 

ନାରାୟଣୀ ତା’ ମୁହଁ ବନ୍ଦ କରିଦେଇ କହିଲା–‘‘ଚୁପ୍‌ ରହ ପାଜି, ବୋଉ ପରା !’’

 

ଦିଗମ୍ୱରୀ ଆସିବା ଦିନଠାରୁ ରାମ ସହିତ ଯେ କୌଣସି କାରଣରୁ ହେଲେ ବି ବାକ୍‍ଯୁଦ୍ଧ ହେଉଛି । ରାମ ତ ସହଜେ ପିଲା; କିନ୍ତୁ ଦିଗମ୍ୱରୀ ବୁଝିବା ଲୋକ ହୋଇ ବି ଖରାପ ସ୍ୱଭାବ ଯୋଗୁଁ ତୁଚ୍ଛାଟାରେ ପାଲା ଲଗାଇଦିଏ ।

 

ତିନି ଚାରି ଦିନ ପରେ କଥା । ରାମ ଖାଇ ବସିଥିଲା । ସେ ଗୁଣ୍ଡାଏ ଦି’ଗୁଣ୍ଡା ଖାଇଚି କି ନାହିଁ, ଖୁଁ ଖୁଁ ହୋଇ କାଶିଲା । ସାଙ୍ଗେ ସାଙ୍ଗେ ଆଖିରୁ ପାଣି ନିଗିଡ଼ିପଡ଼ିଲା । ତା’ପରେ ସେ ଢକ ଢକ କରି ଗିଲାସକ ପାଣି ପିଇଦେଇ ଛିଡ଼ା ହୋଇପଡ଼ି ବଡ଼ପାଟିରେ କହିଲା, ‘‘ଏ ଡାହାଣୀ ବୁଢ଼ୀ ହାତରୁ ମୁଁ କିଛି ଖାଇବିନି । ଭାଉଜ, ଭାଉଜ ମ ! ଓହୋରେ ଏତେ ରାଗ, ମୋ ପାଟି ପୋଡ଼ିଯାଉଛି ।’’

 

ଚିତ୍କାର ଶୁଣି ନାରାୟଣୀ ପୂଜା ଛାଡ଼ି ଦୌଡ଼ିଆସିଲା । କହିଲା, ‘‘କ’ଣ ହେଲା ।’’

 

ରାମ ରାଗରେ ଖୁଣ ହୋଇ କହିଲା, ‘‘ଏ ବୁଢ଼ୀ ରାନ୍ଧଣା ମୁଁ ମୋଟେ ଖାଇବିନି ଭାଉଜ-! ଏ ବଦମାସ ବୁଢ଼ୀକି ଆଗେ ଏଠୁ ବାହାର କର ।’’ ଏତିକି କହି ପବନ ବେଗରେ ସେ ଘରୁ ବାହାରି ପଳେଇଗଲା ।

 

ନାରାୟଣୀ କିଛି ସମୟ ଚୁପ୍‌ଚାପ୍‌ ଛିଡ଼ା ହୋଇ ରହିଲା । ତା’ପରେ କହିଲା, ‘‘ବୋଉ, ମୁଁ ତତେ ବାରମ୍ୱାର କହିଚି ତରକାରୀ ଏତେ ରାଗ କରିବୁନି–ଏ ଘରେ କେହି ବେଶି ରାଗ ଖାଆନ୍ତିନି ।’’

 

ଦିଗମ୍ୱରୀ ବି ରାଗରେ ନାଲି ପଡ଼ି କହିଲା, ‘‘କୋଉଠି ଏତେ ରାଗ ହେଇଚି ଲୋ ? ମୋଟେ ତ ଦୁଇଟା ଲଙ୍କା ପକେଇଚି । ଏତିକି କଥାରେ ତିନିପୁର ଉଚ୍ଛନ୍ନ....

 

‘‘ଏ ଘରେ ତ ରାଗ କେହି ଖାଆନ୍ତିନି, ଦୁଇଟା ଲଙ୍କା ପକାଇବା ଦରକାର ବି କ’ଣ ଥିଲା ?’’

 

‘‘ଚୁପ୍‌ କର ନାରାୟଣୀ, ତୋଠୁ ମୁଁ ରୋଷେଇ ଶିଖିବିନି । ରୋଷେଇ କରି କରି ମୋ ବାଳ ପାଚିଗଲାଣି । ମୋ’ରି ପେଟର ଝିଅଠୁ ପୁଣି ମତେ ରାନ୍ଧଣା ଶିଖିବାକୁ ହେବ ? ଧିକ୍‌ ମୋ ଜୀବନ !’’

 

ଦିଗମ୍ୱରୀ କଥାର କୌଣସି ଉତ୍ତର ନ ଦେଇ ନାରାୟଣୀ ରୋଷେଇଘରେ ପଶି ନୂଆ ଚୁଲୀରେ ରାନ୍ଧିବାର ଯୋଗାଡ଼ କଲା ।

 

ଏଣେ ଦିଗମ୍ୱରୀ ଗୋଡ଼ ମେଲେଇ ତଳେ ବସିପଡ଼ିଲା । ଦି’ହାତରେ ନିଜ ମୁଣ୍ଡକୁ ପିଟି ଜୋରରେ ପାଟିକରି କାନ୍ଦିବାକୁ ଲାଗିଲା ‘‘ଭାଇ, ତୁ କୁଆଡ଼େ ଗଲୁ ? ତୋ ପାଖକୁ ମତେ ଭଲା ନେଇ ଯାଆନ୍ତୁ । ଯା’ ମନରେ ଯାହା ଆସୁଛି ମତେ କହି ଗାଳି ଦେଉଛନ୍ତି । ମୁଁ ଡାଆଣୀ, ବଦମାସ ବୁଢ଼ୀ.....କାଲିକା ଛୁଆ ମତେ ଘରୁ ବାହାର କରିଦେବାକୁ କହୁଛି । ମୁଁ କେଡ଼େ ହୀନକପାଳୀ ଝିଅ–ଜୋଇଁର ଲୁଣ ଖାଉଛି । ମରିବାକୁ ମତେ ଦଉଡ଼ି ବି ମିଳୁନି–ଏ ଅପମାନ ସହିବା ଚାହି ଭିକ ମାଗିବା ସହସ୍ର ଗୁଣେ ଭଲ । ସୁରି ! ଆ ଝିଅ ! ଏଣିକି ଏ ଘରେ ପାଣି ବି ଛୁଇଁବା ପାପ...ଆ ଝିଅ, ବାହାରି ଆ !’’

 

କ୍ରନ୍ଦନରତା ମା’ ପାଖରେ ସୁରଧୁନି ଆସି ଛିଡ଼ା ହେଲା । ଦିଗମ୍ୱରୀ ତା’ ହାତ ଧରି ଯିବାକୁ ପ୍ରସ୍ତୁତ ହେଉଛି, ନାରାୟଣୀ ରୋଷେଇଘରୁ ଛୁଟି ଆସି ସେମାନଙ୍କ ପଥ ଓଗାଳିଲା ।

 

ତାକୁ ଦେଖି ଦିଗମ୍ୱରୀ କାନ୍ଦି କାନ୍ଦି କହିଲା, ‘‘ମତେ ଛାଡ଼ିଦେ ନାରାୟଣୀ ! ଆମେ ଯାଉଁ-। ଆମେ ନ ଖାଇ ନ ପିଇ ଗଛମୂଳେ ପଡ଼ି ପଡ଼ି ମରିଯିବୁ ପଛକେ, ତୋ ଘର ପାଣି ଛୁଇଁବୁ ନି କି ଏ ଘରେ ଦଣ୍ଡେ ବି ରହିବୁନି !’’

 

‘‘ଆମର ଦୋଷ କ’ଣ ବୋଉ ?’’ ନାରାୟଣୀ ଦି’ହାତ ଯୋଡ଼ି ବିନୀତ ସହକାରେ କହିଲା, ‘‘ବୋଉ, କାହା ଉପରେ ରାଗ କରି ତୁ ଯାଉଛୁ ? ଆମେ କ’ଣ ?’’

 

ଦିଗମ୍ୱରୀର କାନ୍ଦ ଆସ୍ତେ ଆସ୍ତେ ପଞ୍ଚମ ସ୍ୱରକୁ ଉଠିଲା । ସେ ସେହିପରି କାନ୍ଦି କାନ୍ଦି କହିଲା, ‘‘ମୁଁ ଦୁଧଖିଆ ଛୁଆ ନୁହେଁ ନାରାୟଣୀ ! ମୁଁ ସବୁ ଜାଣେ । ତୋ ସାହସ ପାଇ ନ ଥିଲେ ସେ ମତେ ଏମିତି ଅପମାନ ଦେବାକୁ ସାହସ କରନ୍ତା ! ମୁଁ ବଦମାସ–ମତେ ବାହାର କରିଦେ । ଭଲ କଥା, ମୁଁ ତ ଯାଉଛି । ଆମେ ତୋର ବୋଝ ହେଇଚୁ । ଆଗରୁ ଉଠ ନାରାୟଣୀ, ଆମେ ଯାଉଁ ।’’

 

ନାରାୟଣୀ ବୋଉର ଗୋଡ଼ ଦି’ଟା ଜାବୁଡ଼ି ଧରି ସେଇଠି ବସିପଡ଼ିଲା । ମିନତି କରି କହିଲା, ‘‘ବୋଉ ଯା ହେଲା ସେଥିପାଇଁ ମୁଁ କ୍ଷମା ମାଗୁଛି । ରାମର ଭାଇ ଆସୁ–ତା’ପରେ ତୋର ଯୁଆଡ଼େ ଇଛା ଚାଲିଯିବୁ । ଏଥରକ ଘରକୁ ଆ । ଏତିକି କହି ନାରାୟଣୀ ବୋଉର ହାତ ଦି’ଟା ଧରି ଜବରଦସ୍ତି ଘର ଭିତରକୁ ଟାଣିଆଣିଲା । ବିଛଣା ଉପରେ ବସେଇଦେଇ ପଙ୍ଖା କରିବାକୁ ଲାଗିଲା ।

 

ସେତେବେଳେ ତ ଦିଗମ୍ୱରୀ ଚୁପ୍‌ ହୋଇଗଲା; କିନ୍ତୁ ଦି’ପହରେ ଶ୍ୟାମଲାଲ ରୋଷେଇଘରକୁ ଯେତେବେଳେ ଖାଇବାକୁ ଆସିଲେ ତା’ ଅଭିନୟ ପୁଣି ଆରମ୍ଭ ହୋଇଗଲା । ଶ୍ୟାମଲାଲ ଥାଳୀ ପାଖରେ ବସିବା ମାତ୍ରେ, କବାଟ ଫାଙ୍କରେ ଅନେଇ କାନ୍ଦିବାକୁ ଆରମ୍ଭ କଲି । ତା’ପରେ ନାନାପ୍ରକାର ସତ ମିଛ କହି ସକାଳର ଘଟଣା ସବୁ ବର୍ଣ୍ଣନା କଲା । ହଠାତ୍‌ କାନ୍ଦଣା ଶୁଣି ଶ୍ୟାମଲାଲ ତ ଜଡ଼ ପାଲଟି ଯାଇଥିଲେ, ତାପରେ ସବୁ କଥା ଶୁଣି ଅନୁମାନ କରିନେଲେ ଯେ ୟା ମୂଳରେ ରାମ ଛଡ଼ା କେହି ନାହିଁ । ସେତେବେଳକୁ ସେ ୨।୩ ଗୁଣ୍ଡା ଖାଇଥିଲେ । ଏ ଘଟଣାରେ ବିବ୍ରତ ହୋଇ ଦରଖିଆ ଉଠିଗଲେ ।

 

ନାରାୟଣୀର ବୁଝିବା ବାକୀ ରହିଲାନି ଯେ, ଏ ରାଗ କାହା ଉପରେ ସୁଝାହେଉଛି । କିନ୍ତୁ ନୃତ୍ୟକାଳୀ ବଡ଼ବାବୁ ନ ଖାଇ ଉଠିଯିବା ଦେଖି ସହିପାରିଲାନି । ସେ ଏକମାତ୍ର ଲୋକ ଯିଏ କି ଏ ଘରେ ଯାହାକୁ ଯାହା କହିବା କଥା ବିନା ସଂକୋଚରେ ମୁହେଁ ମୁହେଁ ବାଡ଼େଇଦିଏ । ସେ ସମ୍ଭାଳି ନ ପାରି ଦିଗମ୍ୱରୀ ଉଦ୍ଦେଶ୍ୟରେ କହିଲା, ‘‘ବଡ଼ ମା’, ତମେ ଜାଣିଶୁଣି ବଡ଼ ବାବୁଙ୍କୁ ଖୋଇଦେଲନି । ସକାଳୁ ସେ କାମକୁ ଯାଇଥିଲେ, ଭୋକଶୋଷରେ ଫେରିଛନ୍ତି । ଟିକିଏ ହେଲେ ତାଙ୍କ ଉପରେ ଦୟା ଆସିଲା ନାହିଁ । ଟିକିଏ ରହିଯାଇଥିଲେ ତମ ଲୁହ–ନଦୀ ତ ଶୁଖି ଯାଇ ନ ଥାନ୍ତା ! ଗଣ୍ଡାଏ ଖାଇବା ପର୍ଯ୍ୟନ୍ତ ଅପେକ୍ଷା କରିଥାନ୍ତ ଭଲା !’’

 

ଦିଗମ୍ୱରୀ ଚୁପ୍‌ଚାପ୍‌ ବସି ନିଜେ ସୃଷ୍ଟି କରିଥିବା ନାଟ ଦେଖୁଥିଲା ।

 

ଦି’ପହରେ କୁଆଡ଼ୁ ବୁଲାଚଲା କରି ଘରକୁ ଫେରିଲା ରାମ । ଭାଉଜକୁ ଏ ଘର ସେ ଘର ଖୋଜି ନ ପାଇ ଶେଷରେ ତା’ ଶୋଇବା ଘରକୁ ଆସି ଦେଖିଲା ଗୋବିନ୍ଦକୁ କୋଳରେ ଧରି ଭାଉଜ ଶୋଇଛି । ଘର ଭିତରେ ପ୍ରବେଶ କଲାମାତ୍ରେ ସେ ବୁଝିପାରିଲା ଖିଅ କୋଉଠି ଅଡ଼ୁଆ ହୋଇଯାଇଛି । ଏଣୁ ଖୁବ୍‌ ଆସ୍ତେ ଆସ୍ତେ ସେ ନାରାୟଣୀକୁ କହିଲା–‘‘ଭାଉଜ ! ଭାରି ଭୋକ !’’

 

ନାରାୟଣୀ କିଛି କହିଲା ନାହିଁ ।

 

‘‘କ’ଣ ଖାଇବି ଭାଉଜ, ଭାରି ଭୋକ ଲାଗିଲାଣି ।’’ ଏଥରକ ଟିକିଏ ଜୋରରେ କହିଲା ରାମ ।

 

‘‘ତୁ ମୋ ଆଗରୁ ଯା, ମୁଁ କିଛି ଜାଣେନା ।’’ ନାରାୟଣୀ ଉତ୍ତର ଦେଲା ସେମିତି ଶୋଇ ଶୋଇ ।

 

‘‘ବୋଧହୁଏ ମତେ ଭୋକ ଲାଗୁନି ?’’

 

ନାରାୟଣୀ ମୁହଁ ବୁଲେଇ ଖୁବ୍‌ କଷ୍ଟରେ କହିଲା–‘‘ମୋ ମୁଣ୍ଡ ଖା’ନା ରାମ ? ନିତ୍ୟା ସେଠି କୋଉଠି ଥିବ, ଯା କହ ବାଢ଼ିଦବ ।’’

 

ରାମ କିଛି କହିବାକୁ ଉଚିତ ମଣିଲାନି । ଚୁପ୍‌ଚାପ୍‌ ବାହାରିଯିବା ସବୁଠୁ ଭଲ ଭାବି ଘରୁ ଯେମିତି ବାହାରି ଆସିଛି, ଦୁଆର ମୁହଁରେ ନୃତ୍ୟକାଳୀ ସହିତ ଭେଟ ହୋଇଗଲା । ରାମ ତାକୁ ଖାଇବାକୁ ମାଗିବାରୁ ସେ ଯେପରି ଆଗରୁ ପ୍ରସ୍ତୁତ ଥିଲା ସେଇପରି ଗୋଟିଏ ତାଟିଆରେ କିଛି ଦୁଧ, କିଛି ଚୁଡ଼ାଭଜା ଆଉ ନଡ଼ିଆକୋରା ରାମ ଆଗରେ ଆଣି ଥୋଇଦେଲା ।

 

ରାମ ବିଗିଡ଼ି ଯାଇ କହିଲା–‘‘ଏଇଆ ଖାଇବି ?’’

 

ନୃତ୍ୟକାଳୀ ଧୈର୍ଯ୍ୟ ସହକାରେ କହିଲା–‘‘ଛୋଟବାବୁ ! ଯଦି ଭଲ ଦଶା ଅଛି ତ କିଛି ପାଟିତୁଣ୍ଡ କରନା । ଜାଣିଚ, ଆଜି ବଡ଼ବାବୁ ଅଖିଆ ଅପିଆ କଚେରୀ ପଳେଇଛନ୍ତି । ମା’ ମଧ୍ୟ ଉପାସରେ ଗୋବିନ୍ଦକୁ ନେଇ ଶୋଇଛନ୍ତି । ପାଟିତୁଣ୍ଡ ହେଲେ ଯଦି ଉଠିପଡ଼ିବେ ଫଳ ଯାହା ହବ ଭୋଗିବ ।’’

 

ରାମ ଆଗରୁ ସନ୍ଦେହ କରିଚି ଖିଅ କୋଉଠି ଅଡ଼ୁଆ ହୋଇଚି ବୋଲି । ନିତ୍ୟା ମୁହଁରୁ ସବୁ ଶୁଣି ତା’ ଧାରଣା ଏକବାରେ ପରିଷ୍କାର ହୋଇଗଲା । ତାକୁ କିଛି ନ କହି ଦୁଧତକ ପିଇଦେଇ ଚୁଡ଼ାଭଜା ଆଉ ନଡ଼ିଆକୋରାତକ ଅଣ୍ଟିରେ ପୂରାଇ ପୋଖରୀମୁଣ୍ଡ ଗଛମୂଳକୁ ଚାଲିଆସିଲା ।

 

ଚୁଡ଼ାଭଜା ଗଣ୍ଡିଏ ଗଣ୍ଡିଏ ପାଟିରେ ପକାଉଥାଏ; କିନ୍ତୁ ତାକୁ ଆଉ ଭୋକ ନ ଥାଏ । ଭାଉଜ ଅଖିଆ ଅପିଆ ଶୋଇଚି ବୋଲି ନୃତ୍ୟକାଳୀଠାରୁ ଶୁଣିବାବେଳୁ ତା’ ଭୋକ ମରିଯାଇଛି । ଯାହା ଗଣ୍ଡିଏ ଗଣ୍ଡିଏ ପାଟିରେ ପକଉଥିଲା, ଆଉ ଖାଇପାରିଲାନି । ନାନାପ୍ରକାର ଭାବନା ତା’ ଛୋଟ ମୁଣ୍ଡକୁ ଆସିଲା । ଯଦି ସେ ସାଧୁସନ୍ନ୍ୟାସୀମାନଙ୍କ ପରି କୌଣସି ମନ୍ତ୍ର ଜାଣିଥାଆନ୍ତା, ତେବେ ଏଇଠି ଥାଇ ସେ ମନ୍ତ୍ରବଳରେ ଭାଉଜର ପେଟ ଭର୍ତ୍ତି କରିଦିଅନ୍ତା । କିନ୍ତୁ ଭାବିଲେ କ’ଣ ହେବ, ଏ ପ୍ରକାର ମନ୍ତ୍ର ତ ସେ ଜାଣେନା । ଯେଉଁମାନେ ଜାଣନ୍ତି ସେମାନେ ଗାଁଠାରୁ ବହୁ ଦୂରରେ ପାହାଡ଼ ପର୍ବତର ଗୁମ୍ଫା ଭିତରେ ରହନ୍ତି । ଏଣୁ ଉପାୟ କ’ଣ ? ତେବେ କ’ଣ ସେ ଯାଇ ଭାଉଜକୁ ବୁଝେଇବ, ଖାଇବା ପାଇଁ ଅନୁରୋଧ କରିବ ? କିନ୍ତୁ ସେଥିରେ ତାକୁ ଲାଜ ଲାଗିବ । ତେବେ ଭାଉଜ ଖାଇବ କେମିତି ? ତାର ମନେପଡ଼ିଲା, ଭାଇ ଯେତେବେଳେ ଖାଇ ନାହାନ୍ତି, ଭାଉଜ କେବେ ଖାଇବନି । ଏପରି ଅବସ୍ଥାରେ କାକୁତିମିନତି ବି କିଛି ଫଳପ୍ରଦ ହେବନି । ଏସବୁ ଭାବି ଚୁଡ଼ାଭଜା ଆଉ ନଡ଼ିଆକୋରା ପୋଖରୀ ପାଣିରେ ଫୋପାଡ଼ିଦେଲା । ତା’ପରେ ପାଗଳଙ୍କ ପରି ଏଣେ ତେଣେ ବୁଲିବାକୁ ଲାଗିଲା । ତା’ ମନରେ ଖାଲି ଗୋଟିଏ କଥା ଖୁଞ୍ଚା ମାରୁଥାଏ, ଭାଉଜ ଆଜି କିଛି ଖାଇ ନାହିଁ । ସେଇ ଖୁଞ୍ଚାର ଆଘାତରେ ସେ ଅସହ୍ୟ ବେଦନା ଅନୁଭବ କରୁଥାଏ ।

 

ରାତିରେ ଶ୍ୟାମଲାଲ ନିଜ ସ୍ତ୍ରୀ ନାରାୟଣୀକୁ କହିଲେ, ‘‘ଆଉ ଏଣିକି ତାକୁ ସାଙ୍ଗରେ ନେଇ ଚଳେଇ ହେବନି । ନା, ମୁଁ ଏସବୁ ସହିପାରିବିନି ।’’

 

‘‘ତମେ କାହା କଥା କହୁଚ ? ନାରାୟଣୀ ଆଶ୍ଚର୍ଯ୍ୟରେ ପଚାରିଲା ।

 

‘‘କାହା କଥା ଯେମିତି ବୁଝିପାରୁନ ? ତା’ଛଡ଼ା ଆଉ କାହା କଥା କହିବି ? ହଁ, ଆଜିକି ଚାରି ପାଞ୍ଚଦିନ ହେବ ବୋଉ କହିଆସୁଛନ୍ତି ବିନା କାରଣରେ ରାମ ତାଙ୍କୁ ଅପମାନ ଦେଉଚି । ମୁଁ ଠିକ୍‌ କରିଚି କାଲି ପଞ୍ଚାୟତ ଡାକି ଟଙ୍କାପଇସା ଯାହା କିଛି ଅଛି ସବୁ ସମାନ ଭାବରେ ବାଣ୍ଟିଦେବି-। ମଣିଷ ଶାନ୍ତିରେ ନିଃଶ୍ୱାସ ମାରିବ । ସବୁବେଳେ କିଏ ଗୋଟିଏ ଚବର ଚବର ହେଉଥିବ ?’’

 

ନାରାୟଣୀ ଏ କଥା ଶୁଣି ସ୍ତମ୍ଭୀଭୂତ ହୋଇଗଲା । କିଛିକ୍ଷଣ ପରେ କହିଲା, ‘‘ରାମକୁ ନିଆରା କରିବା କଥା କହୁଛ । ସେ ତ ପିଲା । ତମର ଧନସମ୍ପତ୍ତି ନେଇ ସେ କ’ଣ କରିବ ?’’

 

ଶ୍ୟାମଲାଲ ଟିକିଏ ଜୋରରେ କହିଲେ, ‘‘ହଁ ଦୁଧଖିଆ ପିଲା । ଧନସମ୍ପତ୍ତି ନେଇ ସେ କ’ଣ କରିବ ସେ ଜାଣେ । ମୁଁ ତା’ ଭାଗ ତାକୁ ଧରାଇଦେଲେ ଛୁଟୀ ।’’

 

ନାରାୟଣୀ ପୁଣି କହିଲା–‘‘ସେ କିଛି ଜାଣେନା–ମୁଁ ସବୁ ଜାଣେ, ଏ କେଇଦିନ ହେଲା ବୋଉ ତାକୁ ବରାବର ଏଣୁ ତେଣୁ କହି ଆସୁଚି । ମୋ ବୋଉ କେମିତିକା ମଣିଷ, ମୁଁ ଭଲ ଭାବରେ ଜାଣେ ।’’

 

ଶ୍ୟାମଲାଲ ମୁଣ୍ଡ ହଲେଇ କହିଲେ, ‘‘ନା ସେ ମୋ ଆଗରେ ଏ ବିଷୟରେ କିଛି କହି ନାହାନ୍ତି । ମୁଁ କ’ଣ ନିଜେ ଦେଖୁନି । ଆଚ୍ଛା, ତମର ମତ କଅଣ ?’’

 

‘‘ଆମ ଛଡ଼ା ତା’ର ଆଉ କିଏ ଅଛି ? ବୋଉ, ଭଉଣୀ କିଏ ଅଛି ଯେ, ପାଖରେ ବସି ତାକୁ ଖୋଇ ଦେବ, ଅଝଟ କଲେ ତୁଲେଇବ? ଏକଥା କ’ଣ ତମେ ଜାଣନା ?’’

 

ଶ୍ୟାମଲାଲ ନାରାୟଣୀ କଥାକୁ ଉଡ଼େଇଦେବା ଉଦ୍ଦେଶ୍ୟରେ କହିଲେ–‘‘ସେସବୁ ଜାଣି ମୋର ଲାଭ ନାହିଁ । କହୁ କହୁ ସିନା ଅନେକ କଥା କହିଦେଲେ; କିନ୍ତୁ ଭିତରେ ଭିତରେ ସବୁ କଥାର ଗୁରୁତ୍ୱ ବୁଝୁଥିଲେ ।

 

ଶ୍ୟାମଲାଲ ମୁହଁରୁ ଏପରି ମିଛକଥା ଶୁଣି ନାରାୟଣୀ ଅବାକ ହୋଇଗଲା । ସେ ଆଉ କଣ କହିବାକୁ ଯାଉଥିଲା; କିନ୍ତୁ ତା’ ମୁହଁ ଯେପରି ଖୋଲିଲା ନାହିଁ । କିଛି କ୍ଷଣ ପରେ କହିଲା, ‘‘ତମେ ତ ଜାଣ ୧୩ ବର୍ଷ ବୟସରେ ଯେତେବେଳେକି ଝିଅମାନଙ୍କ ଖେଳିବା ବେଳ, ସେତେବେଳେ ବୋଉ ମୋ କାନ୍ଧରେ ସଂସାର ବୋଝ ନଦିଦେଇ ସ୍ୱର୍ଗବାସିନୀ ହେଲେ । ସେତେବେଳେ ରାମକୁ ଅଢ଼େଇ ବର୍ଷ ହୋଇଥାଏ । ସ୍ୱର୍ଗଲୋକରୁ ଶାଶୁ ନିଶ୍ଚୟ ଦେଖୁଥିବେ, ମୁଁ କିପରି ସଂସାର ଚଳଉଚି । ଏତେ ବଡ଼ ଦାୟିତ୍ୱ ତୁଲଉ ତୁଲଉ ୨୬ ବର୍ଷ ବୟସରେ ବି ବୁଢ଼ୀ ପରି ଦେଖାଗଲିଣି । ରାମକୁ ଯଦିଓ ମୁଁ ଜନ୍ମ କରିନି; କିନ୍ତୁ ପୁଅପରି ତାକୁ ପିଲାଦିନୁ ପାଳି ପୋଷି ଆଣିଚି-। ମୋ ଗୋବିନ୍ଦ ଆଉ ତା’ ଭିତରେ ମୁଁ କିଛି ପ୍ରଭେଦ ଦେଖେନା । ଆଜି ତମେ ତାକୁ ନିଆରା କରିଦେବାକୁ ବସିଚ ? ପୁଅକୁ ମା’ଠାରୁ ଅଲଗା କରିଦେବ ? ମୁଁ ସଫା କହି ଦେଉଛି ତମେ ଯଦି ମୋ ସଂସାର କାମରେ ହସ୍ତକ୍ଷେପ କରିବ ତ, ‘‘ମୁଁ ନଦୀରେ ଯାଇ ବୁଡ଼ି ମରିବି । ତା’ପରେ ଆଉ ଗୋଟିଏ ବାହା ହୋଇ ପଡ଼ିବ । ସେତେବେଳେ ମୁଁ କହିବାକୁ ନ ଥିବି ।’’

 

ଏକାରାହାକେ ନାରାୟଣୀ କହିଦେଇ ଚୁପ୍‌ ରହିଲା । ତା’ ଆଖିର ଅଶ୍ରୁ ବାଧା ନ ମାନି ଧାର ଛୁଟିଲା । ଶ୍ୟାମଲାଲ ମନେ ମନେ ନାରାୟଣୀକୁ ଭୟ ବି କରନ୍ତି । ଏଣୁ ଆଉ କିଛି କଥା କହିବାକୁ ସେ ସାହସ କଲେ ନି । ରାମକୁ ଭିନେ କରିବା କଥା ବି ସେଇଠି ରହିଲା ।

 

ତା’ ପରଦିନ ନାରାୟଣୀ ରାମକୁ ବସେଇ ଖୋଇ ଦେଉ ଦେଉ ସ୍ନେହରେ ପିଠି ଆଉଁସି ଦେଇ କହିଲା, ‘ରାମ, ଏଣିକି ତୁ ଏଠି ରହି ପାରିବୁନି, ତୁ ଅନ୍ୟ ଜାଗାରେ ରହ, ଅଲଗା ରହି ପାରିବୁ ତ ?’’

 

ରାମ ସାଙ୍ଗେ ସାଙ୍ଗେ ହସିଦେଇ କହିଲା–‘‘କାହିଁକି ରହି ପାରିବିନି ଭାଉଜ ! ତୁ, ଗୋବିନ୍ଦ, ଭୋଳା ଆଉ ମୁଁ ଅଲଗା ରହିବା । କେବେ ଯିବା ?’’

 

ନାରାୟଣୀ ଏହାର ଉତ୍ତର ଦେଇପାରିଲାନି । କ’ଣ ବା କହିବ ? କିନ୍ତୁ ରାମ ସେତିକିରେ ତୁନି ହେଲାନି । ବଡ଼ ଉତ୍ସାହ ସହକାରେ ପଚାରିଲା, ‘‘ଭାଉଜ କହୁନ, କେବେ ଆମେ ଯିବା ?’’

 

ଉତ୍ତରରେ ନାରାୟଣୀ ରାମକୁ ନିଜ ଛାତିରେ ଜାକି ଧରି କହିଲା, ‘‘ଭାଉଜକୁ ଛାଡ଼ି ତୁ କ’ଣ ଏକା ରହି ପାରିବୁନି ?’’

 

‘ନାଁ !’ କଣ ଭାବୁ ଭାବୁ ରାମ ମୁଣ୍ଡ ହଲାଇ ବାରଣ କଲା ।

 

‘‘ଆଉ ଯଦି ଭାଉଜ ମରିଯିବ ତ !’’

 

‘‘ଧେତ୍‌ ! କ’ଣ କହୁଛୁ ଭାଉଜ !’’

 

‘‘ତୁ ତ ମୋର କଥା ଶୁଣୁନୁ–ମରିଗଲେ ଯାଇଁ......’’

 

‘‘କେତେବେଳେ ତୋ କଥା ଶୁଣିଲିନି ?’’ ନାରାୟଣୀକୁ କହିବାକୁ ନ ଦେଇ ରାମ କହିଲା ।

 

‘‘କେତେବେଳେ ଆଉ ମୋ କଥା ମାନିଲୁ କି ! କେତେ ଥର କହିଲିଣି ମୋ ବୋଉକୁ ଗାଳି ଦେ ନା ବୋଲି; କିନ୍ତୁ ତୁ ମୋଟେ କାନକୁ ନେଉନୁ । ଏଣିକି ମୁଁ ନିଶ୍ଚୟ କୁଆଡ଼େ ହେଲେ ଚାଲିଯିବି ।’’

 

‘‘ମୁଁ ବି ସାଙ୍ଗରେ ଯିବି ।’’

 

‘‘ମୁଁ କ’ଣ କାହାକୁ କହି ବୋଲି ଯିବି ନା କ’ଣ ? ତୁ ତ ଜାଣି ପାରିବୁନି, କେତେବେଳେ ମୁଁ ନୁଚିକରି ଚାଲିଯିବି ।’’

 

‘‘ଗୋବିନ୍ଦ– ?’’

 

‘‘ସେ ତୋ ପାଖରେ ରହିବ । ତୁ ତାକୁ ପଢ଼େଇ ଶିଖେଇ ମଣିଷ କରିବୁ ।’’

 

‘‘ନା, ଏ କାମ ମୋ ଦ୍ୱାରା ହବନି ।’’

 

ଏଥରକ ନାରାୟଣୀ ହସିଦେଲା । କହିଲା ‘‘ତୋ ଛଡ଼ା କିଏ ତାକୁ ମଣିଷ କରିବ ?’’

 

ରାମର ମନେ ହେଲା ଭାଉଜର ସବୁ କଥା ଯେପରି ମିଛ । ସେ ହସି ହସି କହିଲା, ‘ସବୁ ମିଛକଥା ଭାଉଜ ! ମତେ ଭଣ୍ଡଉଚୁ ! ମୁଁ ଜାଣେ ତୁ କୁଆଡ଼େ ହେଲେ ଯିବୁନି ।’’

 

‘‘ନାଇଁରେ ସତ କଥା । କୁଆଡ଼େ ନା କୁଆଡ଼େ ମୁଁ ନିଶ୍ଚେ ଚାଲିଯିବି ।’’

 

ଏଥରକ ରାମ ଦୁଃଖ ପ୍ରକାଶ କରି କହିଲା, ‘‘ତୋ କଥା ମାନିଲେ ବି ଯିବୁ ?’’

 

ନାରାୟଣୀ ହସିଦେଇ କହିଲା, ‘‘ତେବେ ମୁଁ ଯିବି ନାହିଁ କି ଗୋବିନ୍ଦର ଭାର ବି ତୋତେ ନେବାକୁ ହବ ନି !’’

 

ରାମ ଖୁସି ହୋଇ କହିଲା, ‘‘ଆଜିଠୁ ତୁ ଯାହା କହିବୁ ଭାଉଜ, ସବୁ କଥା ମାନିବି ।’’

 

ଆଠୋଟି ଦିନ ବେଶ୍‌ ଶାନ୍ତିରେ କଟିଲା ।

 

ରାମ ଠିକ୍‌ କରିଥିଲା କୌଣସି ପ୍ରକାର ଦୁଷ୍ଟାମୀ ନ କରିବାକୁ । ସାଧାରଣତଃ ସେ ଦିଗମ୍ୱରୀ ପାଖରୁ ଦୂରେଇ ଦୂରେଇ ରହୁଥିଲା । କାରଣ ଦିଗମ୍ୱରୀ ନିକର କୁଟିଳ ପ୍ରକୃତି ଯୋଗୁ କେତେବେଳେ କିମିତି ଉସ୍‌କେଇ ଦିଏ । ସୁଯୋଗ ଉଣ୍ଡି ରାମ ଉଦ୍ଦେଶ୍ୟରେ ଯା’ ମନ ତାହା କହି ଦେଉଥିଲା । ରାମ ଏସବୁ କଥା ଉପରେ ଜୋର ନ ଦେଇ ଘଟଣା ସ୍ଥାନରୁ ଦୂରେଇ ଯାଉଥିଲା । ଯଦିଓ ସେଦିନ ଭାଉଜ ଚାଲିଯିବ ବୋଲି ପ୍ରକୃତରେ ତାର ବିଶ୍ୱାସ ହେଇ ନ ଥିଲା, ତେବେ ବି ଏକ ଅଜଣା ଭୟର ଆଶଙ୍କା ତା’ ମନକୁ ସବୁବେଳେ ଭୟଭୀତ କରୁଥିଲା ।

 

ବୋଧହୁଏ ରାମର ଏ ପ୍ରକାର ସହନଶୀଳତା ଦେଖି ଭାଗ୍ୟଦେବୀ ସହି ପାରିଲେନି । ଏପରି ଏକ ଦୁର୍ଯୋଗ ଆସି ଉପସ୍ଥିତ ହେଲା, ଯାହ ଫଳରେ ରାମ ଆଉ ଦିଗମ୍ୱରୀ ଭିତରେ ପୁନର୍ବାର ସଂଘର୍ଷ ସୃଷ୍ଟି ହୋଇଗଲା ଏବଂ ସବୁଥର ପରି ଏଥରକ ମଧ୍ୟ ଦୋଷ ରାମ ମୁଣ୍ଡରେ ହିଁ ଲଦି ଦିଆଗଲା ।

 

ଆଜି ଦିଗମ୍ୱରୀ ନିଜ ବାପାଙ୍କ ଶ୍ରାଦ୍ଧଦେବା ପାଇଁ ଆୟୋଜନ କରୁଥିଲା । ତା’ବାପାର ମୃତାତ୍ମା ନିଜ ପୁଅ ଘରେ ଚୁପ୍‌ଚାପ୍‌ ପଡ଼ିଥିଲା; କିନ୍ତୁ ଦିଗମ୍ୱରୀ ଏଠାକୁ ଆସିବା ଦିନଠାରୁ ନିଜ ନାତି ଓ ଜ୍ୱାଇଁ ପାଖକୁ ବି ସେ ଯିବା ଆସିବା ଆରମ୍ଭ କରିଦେଲା । ଏସବୁ ଦୃଶ୍ୟ ସ୍ପଷ୍ଟ ଭାବରେ ସ୍ୱପ୍ନରେ ଦିଗମ୍ୱରୀ ଦେଖେ । ସେ ଯାହା ହେଉ, ମୃତାତ୍ମାକୁ ଯେ କୌଣସି ମତେ ଶାନ୍ତ କରିବା ଦରକାର । ସେଥିପାଇଁ ୧୨ ମୂର୍ତ୍ତି ବ୍ରାହ୍ମଣ ଭୋଜନର ବ୍ୟବସ୍ଥା କରିଛି ଦିଗମ୍ୱରୀ ।

 

ସକାଳବେଳା ରାମ ବଗିଚାରେ ବସି ସ୍କୁଲର ପଢ଼ା କରୁଥାଏ । ଏହାରି ଭିତରେ ଭୋଳା ଆସି ଚୁପ୍‌ଚାପ୍‌ ଖବର ଦେଲା, ‘‘ଭାଗା କେଉଟ ଗୋଟିଏ ଶକତ ଭଉଁରୀ ଜାଲ ନେଇ ଘାଟ ଆଡ଼େ ଯାଉଛି ତୋ’ କାର୍ତ୍ତିକ ଗଣେଶକୁ ଧରିବା ପାଇଁ–ଜଲଦି ଚାଲ ଦେଖିବା ।’’

 

ଏ କାର୍ତ୍ତିକ–ଗଣେଶ ବିଷୟରେ ଗୋଟିଏ ସୁନ୍ଦର ଗଳ୍ପ ଅଛି । ଅନେକ ଦିନ ତଳେ ଦି’ଟା ମୋଟା ମୋଟା ରୋହୀ ମାଛ କୁଆଡ଼ୁ ଆସି ଗାଧୁଆ ତୁଠରେ ବୁଲୁଥିଲେ । ତୁଠରେ କାରବାର ହେଉଥିବା ମଣିଷଙ୍କୁ ବି ସେମାନଙ୍କର ଟିକିଏ ହେଲେ ଡର ଭୟ ନ ଥିଲା । ରାମ ବରାବର ଘାଟକୁ ଯାଏ, ଆଉ ଗଲାବେଳେ ସେମାନଙ୍କ ପାଇଁ କିଛି କିଛି ଚାରା ନେଇଯାଏ । ଦିନ କେତେ ପରେ ସେ କହିବାକୁ ଲାଗିଲା ଯେ, ‘ଏ ଦୁଇଟି ମୋର ପୋଷା ମାଛ ।’ ସେ ସେମାନଙ୍କର ନାମ ଦେଲା କାର୍ତ୍ତିକ–ଗଣେଶ । ଗାଁର ସମସ୍ତେ ଏ ନାଁ ସହିତ ପରିଚିତ । ଏପରି କେହି ନ ଥିବେ, ଯିଏ କି ରାମ ମୁହଁରୁ କାର୍ତ୍ତିକ–ଗଣେଶର ଅସାଧାରଣ ରୂପ ଓ ଗୁଣର ପ୍ରଶଂସା ଶୁଣି ନ ଥିବ କି ରାମର ଅନୁରୋଧରେ ଅନ୍ତତଃ ଥରେ ହେଲେ ଆସି ତୁଠରେ ସେମାନଙ୍କୁ ଖେଳିବା ଦେଖି ନ ଥିବ । ତା’ ଛଡ଼ା ସେ ଦୁହିଁଙ୍କ ଭିତରେ କି ବିଶେଷତ୍ୱ ଏବଂ କିଏ କାର୍ତ୍ତିକ, କିଏ ଗଣେଶ ସେ କଥା ଅବା ରାମ ଜାଣିଥିବ । ଏପରି କି ସାଥୀ ଭୋଳା ବି ସେମାନଙ୍କୁ ଚିହ୍ନଟ କରି ପାରେନା ଏବଂ ଭୁଲ୍‌ ଚିହ୍ନଟ କରିବା ଯୋଗୁ ଅନେକ ଥର କାନମଳା ଖାଇଚି ।

 

ନାରାୟଣୀ ବି ଏ କଥା ବେଶ୍‌ ଭଲ ଭାବରେ ଜାଣେ ଏବଂ ବେଳେ ବେଳେ କୁହେ ଯେ, ତା’ ଶ୍ରାଦ୍ଧବେଳେ କାର୍ତ୍ତିକ–ଗଣେଶ ଦରକାର ହେବେ ।

 

ଭୋଳାଠାରୁ ଏ ଖବର ଶୁଣି ମଧ୍ୟ ସେ ଟିକିଏ ହେଲେ ବିଚଳିତ ହେଲେ ନାହିଁ । ସ୍ଳେଟ ଉପରେ ନଇଁ ପଡ଼ି ଅଙ୍କ କଷିବାରେ ମନପ୍ରାଣ ଢାଳିଦେଲା । କିଛିକ୍ଷଣ ପରେ ମୁଣ୍ଡ ଉଠାଇ କହିଲା, ‘‘ଭାଗା ସେମାନଙ୍କୁ ଧରିବାକୁ ଚେଷ୍ଟା କରୁନା, ମଜା ପାଇବ ଯେ–ଏକା ମୁଣ୍ଡିଆରେ ସେ ଦୁହେଁ ଜାଲକୁ ଦି’ଫଡ଼ା କରି ପଳେଇ ନ ଯିବେ ତ ମତେ କହିବୁ ।’’

 

‘‘ସେ ଆମ ଜାଲ ନୁହଁ ଯେ ପଳେଇବେ । କେଉଟ ଘର ଜାଲ–ଖୁବ୍‌ ମଜବୁତ୍‌ । କାର୍ତ୍ତିକ–ଗଣେଶଙ୍କ ବଳ ପାରିବ ନାହିଁ ତାକୁ ଚିରିବାକୁ ।’’

 

ଏ କଥା ଶୁଣି ରାମ ବହିପତ୍ର ଫୋପାଡ଼ି ଉଠି ଛିଡ଼ାହେଲା । କହିଲା, ‘‘ଚାଲିଲୁ ଦେଖିବା-।’’

 

ଭୋଳାକୁ ସାଙ୍ଗରେ ଆଣି ରାମ ତୁଠରେ ଦେଖିଲା, ସତକୁ ସତ ତା’ କାର୍ତ୍ତିକ–ଗଣେଶକୁ ଧରିବାର ଚେଷ୍ଟା ଚାଲିଚି । ଭାଗା ଗୋଟିଏ ପାଖରେ ଆଣ୍ଠୁଏ ପାଣିରେ ଛିଡ଼ା ହୋଇ ଜାଲ ବିଛାଇବାକୁ ପ୍ରସ୍ତୁତ ହେଉଚି । ରାମ ଦେଖିଲାମାତ୍ରେ ଝପଟି ଯାଇ ଭାଗାକୁ ଶକତ ଧକ୍‌କାଟାଏ ପକାଇଲା । କହିଲା, ‘‘ପାଜି, ଜାଲ ଆଣି ମୋ ମାଛ ଧରିବାକୁ ଆସିଚୁ ?’’

 

ଭାଗା ବିଚାରା କାନ୍ଦି କାନ୍ଦି ଉତ୍ତର ଦେଲା–‘‘ସାନବାବୁ ! ମୋର ଦୋଷ ନାହିଁ । ବଡ଼ବାବୁ ହୁକୁମ ଦେଇଛନ୍ତି ମୋତେ ଧରିବା ପାଇଁ ।’’

 

ରାମ ତା’ କଥାକୁ ମୋଟେ ନ ଶୁଣି ତା’ ହାତରୁ ଜାଲ ଛଡ଼େଇ ନେଇ ଫିଙ୍ଗିଦେଲା । ତା’ପରେ କହିଲା–‘‘ପଳା ଏଠୁ । ପୁଣି ଯଦି କେବେ ମୋ କାର୍ତ୍ତିକ–ଗଣେଶକୁ ଧରିବାକୁ ଆସୁ ତ ତୋ ମଜା ଦେଖିବି ।’’

 

ଭାଗା ତଳୁ ଜାଲ ଉଠାଇ ନେଇ ଚୁପ୍‌ଚାପ୍‌ ପଳେଇବାରେ ହିଁ ମଙ୍ଗଳ ମଣିଲା ।

 

ତୁଠରୁ ଫେରି ରାମ ପୂର୍ବପରି ବହିପତ୍ର ଧରି ପଢ଼ାପଢ଼ି ଆରମ୍ଭ କରିଦେଲା । ଏ ବିଷୟରେ ସେ କାହାକୁ କିଛି କହିନି । ସେ ଭାଉଜ ଦେହ ଛୁଇଁ ପ୍ରତିଜ୍ଞା କରିଛି କୌଣସି ପ୍ରକାର ଗଣ୍ଡଗୋଳ ନ ଭିଆଇବା ପାଇଁ ।

 

ଦିଗମ୍ୱରୀ ଆଜି ସକାଳୁ ସକାଳୁ ପ୍ରାତଃକର୍ମ ଓ ତା’ ସଙ୍ଗେ ସଙ୍ଗେ ପୂଜାପାଠ ଶେଷ କରିବାରେ ବ୍ୟସ୍ତ । ଏତେଦିନକେ ତା’ ମନର ଓରମାନ ପୂରଣ ହେବାକୁ ଯାଉଛି । ଦିଗମ୍ୱରୀ ବି ରାମର କାର୍ତ୍ତିକ–ଗଣେଶ କଥା ଶୁଣିଥିଲା । ଅନେକ ଥର ତୁଥରେ ବି ସେ ସେମାନଙ୍କୁ ଦେଖିଛି । ସେ ଦୁଇଟି ବଳିଷ୍ଠ ମାଛଙ୍କୁ ଦେଖିବା ଦିନୁ ଦିଗମ୍ବରୀର ଲୋଭ ହୋଇଯାଇଛି । ବଡ଼ ବଡ଼ ରୋହୀ ମାଛର ମୁଣ୍ଡ କି ସ୍ୱାଦ ! ସେ କଥା ଭାବିଲାବେଳେ ବିଧବା ଦିଗମ୍ୱରୀ ପାଟିରୁ ପାଣି ନିଗିଡ଼ି ପଡ଼େ । ତା’ ଛଡ଼ା ତାର ଲୋଭ କେବଳ ତା’ ନିଜ ପାଇଁ ନୁହେଁ । ସେ ନିଜ ହାତରନ୍ଧା ରୋହୀ ମାଛର ସ୍ୱାଦୁ ତରକାରୀ ବାପା ଶ୍ରାଦ୍ଧ ଦିନ ବ୍ରାହ୍ମଣଙ୍କୁ ଖୋଇ ସେମାନଙ୍କ ଆତ୍ମାକୁ ସନ୍ତୁଷ୍ଟ କରିବା ସଙ୍ଗେ ସଙ୍ଗେ ନିଜେ ବି ପୁଣ୍ୟ ଅର୍ଜନ କରିବ । ଏ ପ୍ରକାର ପୁଣ୍ୟ ଅର୍ଜନର ଆଶା ତାର ଅନେକ ଦିନୁ ଥିଲା । କାଲି ଶ୍ୟାମଲାଲଙ୍କଠାରୁ ଆମିଷ ଭୋଜନ ବିଷୟରେ ଅନୁମତି ନେଇ ସାରିଥିଲା । ଅବଶ୍ୟ କାର୍ତ୍ତିକ–ଗଣେଶ କଥା ସେ ମୋଟେ ଉଠେଇ ନ ଥିଲା । କିନ୍ତୁ ସକାଳେ ସେ ଭାଗାକୁ ଡାକି କାର୍ତ୍ତିକ–ଗଣେଶଙ୍କୁ ଧରିବା ପାଇଁ ନିର୍ଦ୍ଦେଶ ଦେଲା ଏବଂ ସେମାନଙ୍କୁ ଧରିବା ପାଇଁ ଯେ ମଜବୁତ ଜାଲ ଦରକାର ସେ କଥା ମଧ୍ୟ ବତେଇଦେଲା । ଧରି ପାରିଲେ ଚାରିଅଣା ବକସିସ୍‌ ପାଇବ ବୋଲି ମଧ୍ୟ ପ୍ରତିଶ୍ରୁତି ଦେଲା । ଆଜି ସକାଳେ ଗାଧୋଇ ଗଲାବେଳେ ସେ କାର୍ତ୍ତିକ–ଗଣେଶକୁ ପହଁରିବା ଦେଖି ଆସିଥିଲା ଏବଂ ପୁଣି ଥରେ ଭାଗା ପାଖକୁ ଯାଇ ସବୁକଥା ଆଉ ଥରେ ବୁଝେଇ ଦେଇ ଆସିଲା । ଏଣୁ ସେ ନିଶ୍ଚିନ୍ତ ହୋଇ ବସିଥିଲା । କିନ୍ତୁ ଅନ୍ୟ କାହାରି ଜାଣିବାକୁ ଜୁ’ ନ ଥିଲା ଯେ ପ୍ରକୃତରେ ରାମର କାର୍ତ୍ତିକ–ଗଣେଶଙ୍କୁ ହିଁ ଧରିବାର ଆୟୋଜନ ଚାଲିଛି ।

 

ଅନେକ ଦିନର ଅଭିଳାଷ ପୂରଣ ହେବ–ଏଇ ଆଶାରେ ଦିଗମ୍ୱରୀ ନିଶ୍ଚିନ୍ତ ମନରେ ବସି ଭାଗାକୁ ଅପେକ୍ଷା କରୁଥିଲା । ଏତିକିବେଳେ ନୃତ୍ୟକାଳୀ କୁଆଡ଼ୁ ଆସି ସବୁ ଭଣ୍ଡୁର କରିଦେଲା । ସେ ଏକ ରାହାକେ କହିଗଲା–‘‘ମାଛ ତ ମିଳିଲା ନାହିଁ, ସେଥିରେ ପୁଣି ସାନବାବୁ ଭାଗାକୁ ମାରଧର କରି ତଡ଼ିଦେଲେ ।’’ ଏତକ ଶୁଣିବାମାତ୍ରେ ଦିଗମ୍ୱରୀ ରାଗି ଲାଲ ହୋଇଗଲା । ତା’ ଆଖରୁ ଯେପରି ନିଆଁବାଣ ବାହାରିଲା । ଭଲମନ୍ଦର ଜ୍ଞାନ ବି ତା’ର ଲୋପ ପାଇଲା । ସେଇଠି ଛିଡ଼ା ହୋଇଯାଇ ଜପାମାଳୀକୁ ଉପରକୁ ଟେକି କହିଲା–‘‘ମୋର ସବୁଠୁ ବଡ଼ ଶତ୍ରୁ ଏ ଟୋକା । ଯେଉଁଦିନ ତା’ କୋକେଇ ଉଠିବ, ସେହିଦିନ ଯାଇଁ ମୁଁ ଶାନ୍ତି ପାଇବି । ହେ ଭଗବାନ ! ତୁମେ ଜାଣ ଏ ପର୍ଯ୍ୟନ୍ତ ବି ମୁଁ ଅଖିଆ ଅପିଆ ରହିଛି । ସବୁଦିନେ ଏଇପରି ତମର ପୂଜା କରେ । ଯଦି ତମେ ପ୍ରକୃତରେ ଅଛ, ତେବେ ଆଜି ରାତି ପାହିବା ଆଗରୁ ସେ ଯେପରି ଏ ସଂସାରରୁ ବିଦାୟ ନିଏ ।’’

 

ଅଳ୍ପ ଦୂରରେ ନାରାୟଣୀ ବସି ପରିବା କାଟୁଥିଲା । ଦିଗମ୍ୱରୀ କଥା ଶୁଣିବା ମାତ୍ରେ ସେ ଚିତ୍କାର କରି ଉଠିଲା ଏବଂ ବିଜୁଳିବେଗରେ ବୋଉ ପାଖକୁ ଦଉଡ଼ି ଆସି ଗୋଟିପଣେ ଥରିବାକୁ ଲାଗିଲା । ‘‘ବୋଉ, ଏକଥା କହିବାକୁ ତୋ ଜିଭ ଲେଉଟିଲା.... ?’’ ତା’ପରେ ସେ କିଛି କହି ପାରିଲାନି । ପାଟି ଖନି ବାଜିଗଲା । ଦିଗମ୍ୱରୀ ମନେ ମନେ ଖୁସି ହେଲା ତା’ ଶର ଅବ୍ୟର୍ଥ ହୋଇ ନ ଥିବାରୁ । ଦେଖୁ ଦେଖୁ ନାରାୟଣୀ ଆଖିରୁ ଶ୍ରାବଣ ଧାରା ପରି ଅଶ୍ରୁର ବନ୍ୟା ଛୁଟିଲା । କିଛି ସମୟ ସେମିତି ବୋକାପରି ସେ ଛିଡ଼ା ହୋଇ ରହିଲା । ତା’ପରେ କାନିରେ ଲୁହ ପୋଛିପକାଇ ଗୋଟିଏ ଗୋଟିଏ ଆସି ରାମ ପାଖରେ ପହଞ୍ଚିଲା ।

 

ତା’ପରେ କର୍କଶ ଗଳାରେ କହିଲା, ‘‘ରାମ, ତୁ ଭାଗା କେଉଟକୁ ଧକ୍‌କା ମାରି ତଡ଼ିଦେଲୁ କାହିଁକି ?’’

 

ଆକସ୍ମିକ ଆକ୍ରମଣରେ ଡରିଯାଇଁ ରାମ ସସ୍ନେହ ଦୃଷ୍ଟିରେ ମୁଣ୍ଡ ଉଠାଇ କିଛିକ୍ଷଣ ଭାଉଜକୁ ଅନେଇଲା । ନାରାୟଣୀର ଏ ପ୍ରକାର ପ୍ରଶ୍ନରେ ସେ ଏପରି ଆଶ୍ଚର୍ଯ୍ୟ ହୋଇଯାଇଥିଲା ଯେ, ଘଡ଼ିଏ କାଳ ତା’ ମୁହଁରୁ କଥା ବାହାରିଲାନି । ସେ କିଛି ବୁଝି ପାରିଲାନି । ଚଟ୍‌କିନା ଉଠିପଡ଼ି ପଳାଇବାକୁ ଲାଗିଲା ।

 

ନାରାୟଣୀ ଏ ପର୍ଯ୍ୟନ୍ତ ଜାଣି ନ ଥିଲା ଘଟଣା କ’ଣ । ଏସବୁ କାଣ୍ଡ ଯେ କାର୍ତ୍ତିକ–ଗଣେଶକୁ କେନ୍ଦ୍ରକରି ହୋଇଛି–ତାହା ସେ ମୋଟେ ଜାଣି ନ ଥିଲା । ଏଣେ ନାରାୟଣୀର ଆକସ୍ମିକ ପ୍ରଶ୍ନରେ ରାମ ଡରିଯାଇ କିଛି କହିବାକୁ ସାହସ କଲା ନାହିଁ । ଏଣୁ ଘଟଣାର ଆଭାସ ବି ତାକୁ ମିଳି ନ ଥିଲା । ଘରକୁ ଫେରିଆସି ସେ ଭାଗା କେଉଟକୁ ଡକେଇ ପଠାଇଲା । ଆଉ ସାଙ୍ଗେ ସାଙ୍ଗେ ଶ୍ରାଦ୍ଧପାଇଁ ମାଛ ଧରି ଆଣିବାକୁ ହୁକୁମ ଦେଲା ।

 

ହୁକୁମ ପାଇବା ମାତ୍ରେ ଭାଗା ତୁଠ ପାଖକୁ ଛୁଟିଲା । ତୁଠରେ ପହଁରୁଥିବା କାର୍ତ୍ତିକ–ଗଣେଶଙ୍କ ଭିତରୁ ଗୋଟିକୁ ଧରିଆଣି ଫେରିଆସିଲା । ସେଇଟିକୁ ଆଣି ଅଗଣାରେ ଫିଙ୍ଗିଦେଲା ।

 

ନାରାୟଣୀ ରୋଷେଇଘର ଦୁଆରବନ୍ଧ ପାଖରେ ଛିଡ଼ା ହୋଇଥିଲା । ମାଛଟିକୁ ଦେଖିବା ମାତ୍ରେ ସେ ଚମକି ପଡ଼ିଲା । ତା’ ପରେ ଭାଗାକୁ ପଚାରିଲା–‘‘ଆକୁ ତୁଠରୁ ଧରିନୁ ତ ? ଏ କାର୍ତ୍ତିକ–ଗଣେଶ ନୁହେଁ ତ ?’’

 

ଭାଗା ଏତେ କମ୍‌ ସମୟ ଭିତରେ ଏଡ଼େ ବଡ଼ ମାଛଟାଏ ଧରି ଆଣିଥିବାରୁ ବାହାଦୁରୀ ଅନୁଭବ କରି ସେଇ ଝୁଙ୍କ୍‌ରେ କହିଲା–‘‘ହଁ ମା, ସେଇଠୁ ମାଇଲି । ଆକୁ ଧରିବାକୁ ଯୋଉ କଷ୍ଟ !’’

 

‘‘ଆଉ କ’ଣ କୋଉଠୁ ତତେ ମାଛ ମିଳିଲା ନାହିଁ ଯେ ଆକୁ ଧରି ଆଣିଲୁ ?’’

 

ଭାଗା ବି ଏ କଥାର ଅର୍ଥ କିଛି ବୁଝି ପାରିଲାନି । ସେ ଦୀଗମ୍ୱରୀ ଆଡ଼କୁ ହାତ ଦେଖାଇ କହିଲା–‘‘ବଡ଼ ମା’ତ ଏଇଆକୁ ଧରିବା ପାଇଁ ମତେ କହିଥିଲେ ।’’

 

ନାରାୟଣୀ ଏ କଥା ଶୁଣି ତଟସ୍ଥ ହୋଇଗଲା । ତା’ ଅନୁତାପର ସୀମା ରହିଲାନି । ସେ ଯଦି ଜାଣି ଥାଆନ୍ତା ଏତକ ଚକ୍ରାନ୍ତ ବୋଉ କରିଛି ବୋଲି, ସେ କେବେହେଲେ ଭାଗାକୁ ମାଛ ଧରିବାକୁ ପଠାଇ ନ ଥାନ୍ତା । ସେ ନିଜେ କି ଭୁଲ୍‌ କଲା ବୋଲି ଦୁଃଖ କରିବା ସଙ୍ଗେ ସଙ୍ଗେ ନିଜକୁ ଦୋଷୀ ଭାବି ଧିକ୍‌କାର କଲା । ଯଦିଓ ନୃତ୍ୟକାଳୀ ରାମର ଦୁଷ୍ଟାମୀ ଯୋଗୁଁ ତା’ ବିରୁଦ୍ଧରେ ବେଳେ ବେଳେ କୁହେ–ତେବେ ବି ଦିଗମ୍ୱରୀର ଏ ପ୍ରକାର କାଣ୍ଡରେ ନୃତ୍ୟକାଳୀ ରାଗିଉଠିଲା । ସ୍ପଷ୍ଟ ସ୍ୱଭାବ ଯୋଗୁଁ ସେ ଦିଗମ୍ୱରୀକୁ ଶୁଣାଇ କହିଲା–‘‘ଆଚ୍ଛା ବଡ଼ ମା’ ! ଗାଁର ଛୋଟଠାରୁ ବଡ଼ ପର୍ଯ୍ୟନ୍ତ ରାମର ଏ କାର୍ତ୍ତିକ–ଗଣେଶ ବିଷୟ ଜାଣନ୍ତି । ତମକୁ କଣ ଏ କଥା ଏତେ ଅଛପା ହୋଇଥିଲା, ଯେଉଥିପାଇଁ ଭାଗା କେଉଟକୁ କହିଲ ସେଇ ମାଛକୁ ଧରିବା ପାଇଁ ? ଗାଁ ଭିତରେ ତିନି ଚାରିଟା ପୋଖରୀ । କୋଉଥିରେ କ’ଣ ମାଛ ନ ଥିଲା ? ମୋଟରୁ ଦଶମୂର୍ତ୍ତି ବ୍ରାହ୍ମଣ ଖାଇବେ-। ସେଥିପାଇଁ ଅଧ ମହଣ ଓଜନର ମାଛ କି ଦରକାର ? ଯାହା ତ ହେଲା ହେଲା, ଆକୁ ଅବିକା ଲୁଚେଇ ଦେବାରେ ହିଁ ସମସ୍ତଙ୍କ ମଙ୍ଗଳ ।’’

 

ଦିଗମ୍ୱରୀ ଚୋରଣୀ ପରି କନ କାନ ହୋଇ କହିଲା–‘‘ମଲା ଯା–ଏଡ଼େ ବଡ଼ କଥା ତ ମତେ ଜଣା ନ ଥିଲା । ଛାର ମାଛଟାଏ ମାରିବା ଯୋଗୁଁ ସମସ୍ତେ ମିଶି କଜିଆ କରୁଛ ? ତାକୁ ତ ଲୁଚାଇଦେବ–ଆଉ ବ୍ରାହ୍ମଣ କ’ଣ ଖାଇବେ ?’’

 

ନୃତ୍ୟକାଳୀ ପୁଣି କହିଲା–‘‘ବଡ଼ ମା’ ! ତମ ବ୍ରାହ୍ମଣ ତ ଅଢ଼େଇଟା କି ତିନିଟାରେ ଖାଇବେ । ସାନବାବୁ ସ୍କୁଲକୁ ଚାଲିଯାଆନ୍ତୁ । ନଇଲେ ତିନିପୁର ଉଚ୍ଛନ୍ନ କରିଦେବେ । ହଁ, ଭୋଳା କୁଆଡ଼େ ଗଲା ? ଏଇଠି ତ ସେ ଛିଡ଼ା ହୋଇଥିଲା । ଇଲୋ ଯା, ସେ ରାମକୁ ଖବର ଦେବାକୁ ତ ଗଲାଣି । ଯା ଇଚ୍ଛା କର, ଭାବିବାକୁ ଆଉ ବେଳ ନାହିଁ ।’’

 

ଭାଗା କେଉଟ ଚାରଣା ପଇସା ଲୋଭରେ ଏତେବଡ଼ ମାଛଟା ଧରି ଆଣିଥିଲା ସିନା; କିନ୍ତୁ ଏଠାକାର କାଣ୍ଡ ଦେଖି ସେ ଅବାକ୍‌ ହୋଇଗଲା । ଚାରଣା ପଇସାର ଲୋଭ ଛାଡ଼ି ନିଜ ଜାଲଟି ଧରି ଚୁପ୍‌ଚାପ୍‌ ପଳାଇଲା ।

 

ଭୋଳା ରାମର ପକ୍‌କା ସାଙ୍ଗ । ହଠାତ୍‌ କେତେବେଳେ କିଛି ଦରକାର ପଡ଼ିଲେ ରାମକୁ କୋଉଠି ଖୋଜିଲେ ଦେଖା ହେବ, ସେକଥା ସେ ଭଲ ଭାବରେ ଜାଣେ । ରାମର କାର୍ତ୍ତିକ–ଗଣେଶ ଭିତରୁ ଗୋଟିଏ ଧରା ହେବା ଦେଖି ସାଙ୍ଗେ ସାଙ୍ଗେ ଖବର ଦେବାପାଇଁ ରାମ ପାଖକୁ ଛୁଟିଲା । ବଗିଚାର ଉତ୍ତର ଦିଗକୁ ଥିବା ପିଜୁଳିଗଛରେ ଚଢ଼ି ସେ ରାମ ପାଖକୁ ଆସିଲା । ରାମ ଗୋଟିଏ ଡାଳରେ ବସି ତଳକୁ ପାଦ ଝୁଲାଇ ପିଜୁଳି ଖାଉଥିଲା ।

 

ସେ ଧଇଁସଇଁ ହୋଇ କହିଲା–‘‘ଭାଇ ! ଚାଲ ଦେଖିବ, ଭାଗା ତମ ମାଛକୁ ଧରି ସାରିଲାଣି ।’’

 

ଏତିକିରେ ରାମର ପିଜୁଳି ଖିଆ ବନ୍ଦ ହୋଇଗଲା । କିନ୍ତୁ ତା’ର ବିଶ୍ୱାସ ହେଲାନି । ଭୋଳା ପୁଣି କହିଲା–‘‘ମୁଁ ସତ କହୁଛି ଭାଇ ! ଭାଉଜ ତ କହିଲେ ଧରିବା ପାଇଁ । ଚାଲ ଦେଖିବ, କାର୍ତ୍ତିକ ଦୁଆରେ ମଲା ପରି ପଡ଼ିଛି ।’’

 

ରାମ ଭୋଳାର କଥା ଶୁଣି ଗଛଡାଳରୁ ଡେଇଁପଡ଼ିଲା । ଆଉ ଏକା ରାହାକେ ଦଉଡ଼ି ଦଉଡ଼ି ଆସି ଅଗଣାରେ ପହଞ୍ଚିଲା । ମାଛକୁ ଦେଖି ସେ ଥକ୍‌କା ହୋଇ ଛିଡ଼ା ହୋଇଗଲା । ତା’ପରେ ଜୋରରେ କାନ୍ଦି କାନ୍ଦି କହିଲା–‘‘ଆରେ, ଏ ତ ମୋ ଗଣେଶ ! ଭାଉଜ ! ତୁ ମୋ ଗଣେଶକୁ ଧରିବାକୁ କହିଲୁ ?’’ ଏତିକି କହି ସେ କଦଳୀଗଛ କାଟିଲା ପରି ଦୁଲ୍‌କିନା ତଳେ କଚାଡ଼ି ହୋଇ ପଡ଼ିଲା । ତା’ପରେ ମାଟିରେ ଗୋଡ଼ ହାତ ପିଟି ସେମିତି କାନ୍ଦ ବୋବାଳି ଛାଡ଼ିଲା । ଗୋଟିଏ ସାମାନ୍ୟ ମାଛ ପାଇଁ ତା’ ଶୋକର ଗଭୀରତା ଦେଖି ହୁଏତ ଦିଗମ୍ୱରୀ ମନର ସବୁ ସନ୍ଦେହ ମୁହୂର୍ତ୍ତରେ ଉଭେଇ ଯାଇଥିବ ।

 

ରାମ ସେଇ ଦୁଃଖରେ ଦିନସାରା କିଛି ଖାଇଲାନି । ଦିନଟାଯାକ ଘର ଭିତରେ ଚୁପ୍‌ଚାପ୍‌ ଶୋଇ ରହିଲା । ନାରାୟଣୀ ରାତିରେ ଭାତ ଖାଇବା ପାଇଁ ଯେତେ ଡାକିଲା ସବୁ ବିଫଳ ହେଲା । ନିଜେ ଖୋଇଦେବାକୁ କହିବାରୁ ବି ସେ ନାରାୟଣୀ ହାତକୁ ବାରମ୍ୱାର ଛିଞ୍ଚାଡ଼ି ଦେଉଥାଏ-। କୌଣସିମତେ ୨।୩ ଗୁଣ୍ଡା ଖାଇଲା । ତା’ପରେ ସେମିତି ଭୋକିଲା ପେଟରେ ଉଠି ପଳେଇଲା-

 

କବାଟ ଉହାଡ଼ରେ ଦିଗମ୍ୱରୀ ଛିଡ଼ା ହୋଇ ଶ୍ୟାମଲାଲଙ୍କୁ କହିଲା–‘‘ତମେ ପୁଅ ଟିକେ ନାରାୟଣୀକୁ ଖାଇବା ପାଇଁ କୁହ ! ସେ ଆଜି ଦିନଟାଯାକ ଖାଡ଼ା ଉପାସ ।’’

 

‘‘ଉପାସ କାହିଁକି ?’’

 

ଦିଗମ୍ୱରୀ ନିଜ କଳାର ସ୍ୱର ଖୁବ୍‌ ନରମ କରି କହିଲା, ‘‘ମୋ ଦ୍ୱାରା ଗୋଟିଏ ଦୋଷ ହୋଇ ଯାଇଛି; କିନ୍ତୁ ମତେ ଜଣା ନ ଥିଲା ଯେ ପୋଖରୀରୁ ମାଛଟାଏ ଧରିବା ଯୋଗୁ ଏତେ ବଡ଼ ମହାଭାରତ ସୃଷ୍ଟି ହବ ବୋଲି ।’’

 

ଶ୍ୟାମଲାଲ ଦିଗମ୍ୱରୀର ଉଦ୍ଦେଶ୍ୟ ପୂରାପୂରି ବୁଝି ନ ପାରିବାରୁ ନୃତ୍ୟକାଳୀକୁ ଡକାଇ ପଚାରିଲେ–‘‘କଥା କ’ଣ ନିତ୍ୟା ?’’

 

ନୃତ୍ୟକାଳୀ ସାଙ୍ଗେ ସାଙ୍ଗେ ଆସି କହିଲା, ‘‘ଯୋଉ ମାଛ ଧରା ହୋଇଛି, ସେଇଟା ହେଉଛି ସାନବାବୁଙ୍କ ଗଣେଶ ।’’

 

ଏତିକି ଶୁଣି ଶ୍ୟାମଲାଲ ବି ଚମକି ପଡ଼ିଲେ–‘‘ରାମର କାର୍ତ୍ତିକ–ଗଣେଶ ଭିତରୁ ଗୋଟିଏ ନୁହଁ ତ !’’

 

‘‘ହଁ, ସେଇ ।’’ ନୃତ୍ୟକାଳୀ କହିଲା ।

 

‘‘ତେବେ ନାରାୟଣୀକୁ କହି କିଛି ଲାଭ ନାହିଁ । ଯେତେବେଳେ ରାମ ଖାଇନି, ନାରାୟଣୀ କିମିତି ଖାଇବ ?’’ ଦିଗମ୍ୱରୀ ପୁଣି କହିଲା–‘‘ପୁଅ, ମୁଁ ଅଲକ୍ଷଣୀ ଯଦି ସେ କଥା ଜାଣିଥାନ୍ତି, ବ୍ରାହ୍ମଣ–ଭୋଜନ ପ୍ରସ୍ତାବ କରି ନ ଥାନ୍ତି । ନାରାୟଣୀ ତ ନିଜେ ମାଛ ଧରିବାକୁ କହିଲା-। ମୁଁ ବୁଝି ପାରୁନି ସେ ପୁଣି ଏପରି ବ୍ୟବହାର କରିବା ଉଦ୍ଦେଶ୍ୟ କ’ଣ ? ଯାହା ହେଉ ସେସବୁ ମୋର ଦୋଷ । ମୁଁ ଏ ପ୍ରସ୍ତାବ ନ କରେ କି ଏ କାଣ୍ଡ ସୃଷ୍ଟି ନ ହୁଏ । ମୁଁ କଣ କହୁଥିଲି କି ପୁଅ, ଆମକୁ ପଠେଇଦିଅ । ଆମେ ଗଲେ ଭାରି ସମସ୍ତେ ଶାନ୍ତିରେ ନିଃଶ୍ୱାସ ମାରିବେ । ତା’ ଛଡ଼ା ରୋଜ ରୋଜ ଏ କଜିଆ ଆଉ ହବିନ ।’’

 

କିଛି ସମୟ ଚୁପ୍‌ ରହି ସ୍ତ୍ରୀ ଚରିତ୍ରର ଅଭିନୟ ପୁଣି ଆରମ୍ଭ କରିଦେଲା ଦିଗମ୍ୱରୀ । ସେ କାନ୍ଦି କାନ୍ଦି କହିଲା, ‘ପୁଅ ଏସବୁ ମୋ କର୍ମର ଫଳ । ମୋ ଭାଗ୍ୟ ଫାଟି ନ ଥିଲେ ମୋ ଭାଇ କାହିଁକି ମରିଥାନ୍ତା ନା ମୁଁ ମୋରି ପେଟର ଛୁଆ ଘରେ ଗୋଇଠା ମାଡ଼ କୋଉଠି ବା ଆଶ୍ରୟ ନେବୁ-? ତମେଇ ଆମର ଆଶା ଭରସା, ଆମ ପାଇଁ କିଛି ବ୍ୟବସ୍ଥା ନ କଲେ ଭାସିଯିବୁ ।’’

 

ଦିଗମ୍ୱରୀର ସବୁ କଥା ଶୁଣି ଶ୍ୟାମଲାଲ ମହା ସମସ୍ୟାରେ ପଡ଼ିଲେ । ହଁ କି ନା କଣ କହିବେ କିଛି ଠିକ୍‌ କରି ପାରିଲେ ନି ।

 

ନିଜ ଶୋଇବାଘର ଦୁଆରବନ୍ଧ ପାଖେ ଛିଡ଼ା ହୋଇ ନାରାୟଣୀ ସବୁ କଥା ଶୁଣୁଥିଲା । ସେ ସ୍ୱପ୍ନରେ ବି ଭାବି ନ ଥିଲା ନିଜକୁ ନିର୍ଦ୍ଦୋଷ ପ୍ରମାଣିତ କରିବା ପାଇଁ ତା’ ବୋଉ ଏପରି ନିର୍ଲଜ ଭାବରେ ସବୁ ଦୋଷତକ ଆଣି ତା’ ମୁଣ୍ଡରେ ନଦିଦେବ ବୋଲି । ସ୍ୱାମୀ ଆଗରେ ସେ ଯେପରି ଲଜ୍ଜା ସରମ ଛାଡ଼ି ଆପତ୍ତି କଲା, ସେଥିରେ ଦିଗମ୍ୱରୀ ସଙ୍କୋଚ ଉପଲବ୍‌ଧି ନ କରୁ ପଛେ ନାରାୟଣୀ ଲାଜରେ ସଢ଼ିଗଲା । ସେ କଣ କରିବ କିଛି ବୁଝି ନ ପାରି ରାମ ଶୋଇଥିବା କୋଠରୀକୁ ଆସିଲା । ଭିତରୁ କବାଟ ବନ୍ଦ ଥିବା ଦେଖି ଜୋରରେ କବାଟ ପିଟି ଡାକିଲା, ‘‘ରାମ, ପୁଅଟା ପରା, କବାଟ ଖୋଲିଲୁ ।’’

 

ରାମ ଚେଇଁଥିଲା । ତେବେ ବି କିଛି କହିଲା ନାହିଁ । ନାରାୟଣୀ ସ୍ନେହରେ ପୁଣି ଡାକିଲା, ‘‘ମୋ ଗେହ୍ଲା ପୁଅ, ଅବିକା କବାଟ ଖୋଲିଦବ ଯେ–।’’

 

‘‘ମୁଁ ଖୋଲିବି ନାହିଁ ।’’ ତା’ ପରେ ପାଟି କରି କହିଲା, ‘‘ତୁ ଯା ଭାଉଜ, ମୋଟେ କବାଟ ଖୋଲିବି ନି । ତମେ ସମସ୍ତେ ମୋର ଶତ୍ରୁ ।’’

 

‘‘ଆଚ୍ଛା ହଉ, କବାଟ ଖୋଲ ।’’

 

‘‘ନା, ନା–ନା–ମୁଁ କବାଟ ଖୋଲିବି ନାହିଁ ।’’

 

ସତକୁ ସତ ସେ ରାତିରେ ରାମ କବାଟ ଖୋଲିଲାନି । ନାରାୟଣୀ ବିଚାରୀ ହତାଶ ହୋଇ ନିଜ କୋଠରୀକୁ ଫେରିଆସିଲା, ଆଉ ନିର୍ଜୀବ ଭଳି ବିଛଣାରେ ପଡ଼ିରହିଲା । ଶ୍ୟାମଲାଲ ଘରେ ଥାଇ ସବୁ ଶୁଣୁଥାନ୍ତି । ସେ କହିଲେ–‘‘ମୁଁ ତ ଏସବୁ ଶୁଣି ଶୁଣି ହଇରାଣ ହୋଇଗଲିଣି । ଆଉ ଏସବୁ ମୁଁ ସହି ପାରିବିନି । ତମେ ଯଦି ୟାର କିଛି ଉପାୟ ନ କର, ତେବେ ମୁଁ କୁଆଡ଼େ ହେଲେ ଚାଲିଯିବି । ସେତେବେଳେ ଆଉ ମୋ ଦୋଷ ଦେବ ନାହିଁ ।’’

 

ଶ୍ୟମାଲାଲଙ୍କ କଥା ଶୁଣି ନାରାୟଣୀ କିଛି କହିଲା ନାହିଁ । ଦୁଃଖର ଚାପରେ ତା’ ଛାତି ଫାଟିଯାଉଛି ଯେମିତି, ଆଖି ପତା ଉଛୁଳେଇ ଦି ଗାଲ ତିନ୍ତେଇ ଲୁହର ଧାର ଛୁଟିଛି । ଅଶ୍ରୁ ଗୋପନ କରିବା ପାଇଁ ସେ କର ନେଉଟେଇ ଶୋଇଲା ।

 

ଏ ଘଟଣା ଘଟିବାର ୩ । ୪ ଦିନ ହୋଇଗଲାଣି । ତେବେ ବି ରାମର କ୍ରୋଧ ଶାନ୍ତ ହେଇନି । ତାର ଧାରଣା ଘରର ସମସ୍ତେ ଯେପରି ତାର ଶତ୍ରୁ । ଏଣୁ ସେ ସମସ୍ତଙ୍କ ସହିତ କଥାବାର୍ତ୍ତା କରିବା ବି ବନ୍ଦ କରିଦେଇଛି । ଖାଇବା ପିଇବା ପାଇଁ ମଧ୍ୟ ସେ କାହାକୁ କିଛି କହେନା-। ତାର ଏ ବ୍ୟବହାରରେ ସବୁଠୁ ବେଶି ଦୁଃଖ ପାଇଛି ନାରାୟଣୀ । ନାରାୟଣୀ ରାମର କଥା ଭାବି ଭାବି ଚିନ୍ତିତ ହୋଇପଡ଼ିଛି ।

 

ସନ୍ଧ୍ୟାବେଳ । ଦିଗମ୍ୱରୀ ନଦୀକି ଗାଧୋଇ ଯାଇଥିଲା । ନଦୀରେ ଗାଧୋଇବା ସାଙ୍ଗେ ଦୁନିଆଯାକର ପୁରାଣ ପଡ଼ୋଶୀ ସ୍ତ୍ରୀମାନଙ୍କୁ ଶୁଣାଉଥାଏ । ସବୁ ପ୍ରସଙ୍ଗ ଭିତରେ ରାମ କଥା ବି ଥାଏ । ରାମ ବିରୁଦ୍ଧରେ କହିବା ସଙ୍ଗେ ସଙ୍ଗେ ନାରାୟଣୀର ଦୋଷ ଦୁର୍ଗୁଣ ବର୍ଣ୍ଣନା କରି ତାକୁ ବି ନିର୍ବୁଦ୍ଧିଆ ବୋଲି ସାବ୍ୟସ୍ତ କରୁଥାଏ । ନିଜ ବିଷୟରେ ମଧ୍ୟ ଲମ୍ୱା ଚଉଡ଼ା କାହାଣୀ ଶୁଣଉଥାଏ । ସେ ନିଜ ଭାଇ ଘରେ କିପରି ସବୁ ସଂସାର ଦାୟିତ୍ୱ ପୂରାପୂରି ମୁଣ୍ଡେଇଥିଲା ଏବଂ ତାର ବିନା ପରାମର୍ଶରେ ଭାଇ କୌଣସି କାମ କିପରି କରିବାକୁ ସାହସ କରେନା; ପୁଣି ତା’ ନିଜ ବୟସ ବି ସେତେ ବେଶି ନୁହେଁ । ତାହାର ମୁଣ୍ଡବାଳ କେବଳ ଚିନ୍ତା ଯୋଗୁଁ ଏତେ ଶୀଘ୍ର ପାଚିଯାଇଚି ଇତ୍ୟାଦି-

 

ଏହିପରି ନାନାପ୍ରକାର ଅପ୍ରାସଙ୍ଗିକ କଥା ଆଲୋଚନା କରି ପଡ଼ୋଶୀ ସ୍ତ୍ରୀମାନଙ୍କ ସହିତ ଘରକୁ ଫେରୁଥିଲା । ଫେରିବା ରାସ୍ତାରେ ରାମର ବଦମାସୀ ସମ୍ୱନ୍ଧରେ ଗୋଟିଏ ନୂଆ ଖବର ପାଇଲା । ରାମ ସମ୍ୱନ୍ଧୀୟ କୌଣସି ଖବର ପାଇ ସେ କ’ଣ ଚୁପ୍‌ ରହିବା ଲୋକ ? ଖୁବ୍‌ କ୍ଷିପ୍ରଗତିରେ ସେ ଘରେ ଆସି ପହଞ୍ଚି ଅଗଣାରେ ପାଦ ଦେବାମାତ୍ରେ ଜୋରରେ ପାଟି କରି କହିଲା, ‘‘ନାରାୟଣୀ ! ଗୁଣବାନ୍‌ ଦିଅରର ନୂଆ କୀର୍ତ୍ତି ଶୁଣିଲୁଣି ?’’

 

ସନ୍ଧ୍ୟା ଆସି ହେଲାଣି । ସକାଳୁ ସ୍କୁଲକୁ ଯାଇଥିଲା ରାମ । ଏ ପର୍ଯ୍ୟନ୍ତ ଫେରିଲାନି । ସୂର୍ଯ୍ୟର କିରଣ ଫିକା ପଡ଼ୁଥିବା ସଙ୍ଗେ ସଙ୍ଗେ ନାରାୟଣୀ ମନର ବ୍ୟସ୍ତତା ବଢ଼ି ଚାଲିଥାଏ । ଏତିକିବେଳେ ନିଜ ବୋଉର ଗର୍ଜନ ଶୁଣି ସେ ଅଧୈର୍ଯ୍ୟ ହୋଇପଡ଼ିଲା । ମନେ ମନେ ଭୟଭୀତ ହୋଇ ପଚାରିଲା–‘‘କ’ଣ ହୋଇଛି ବୋଉ ! ରାମ କାହାରି କ’ଣ କଲା ?’’

 

‘‘ସେମାନେ ଥାନାକୁ ଯାଇଛନ୍ତି । ଆଉ ନ ଯିବେ ବା କେମିତି ? ଏଡ଼େ ବଡ଼ ଖଚଡ଼ା ଟୋକା.......ମୁଁ ତ ସାତ ଜନ୍ମରେ ଏମିତିକା ବଦମାସ ଟୋକା ଦେଖିନି ।’’–ଦିଗମ୍ୱରୀ ନାରୀସୁଲଭ ଢଙ୍ଗରେ କହିଲା ।

 

ରାମର ଦୁର୍ଗୁଣ ଶୁଣି ସେ ଯେମିତି ଆନନ୍ଦିତ ହେଉଥିଲା, ତା ମୁହଁ ଆଖିର ପ୍ରସନ୍ନତାରୁ ତା’ସ୍ପଷ୍ଟ ବାରି ହୋଇ ପଡ଼ୁଥିଲା ।

 

ନାରାୟଣୀକୁ ତା’ କଥା ଭଲ ଲାଗୁ ବା ନ ଲାଗୁ ସେ କୌଣସି ଉତ୍ତର ଦେଲା ନି । ସାଙ୍ଗେ ସାଙ୍ଗେ ନୃତ୍ୟକାଳୀକୁ ଡକେଇ ପଠେଇ କହିଲା–‘‘ନିତ୍ୟା ! ଗଲୁ ଦେଖିଲୁ ରାମ କାହିଁକି ଆସିଲା ନାହିଁ । ଭୋଳାକୁ ଯାଇ କହ ସେ ରାମକୁ ଖୋଜି ଆଣିବ ।’’

 

ରାମ କଥା ଶୁଣିବା ପାଇଁ ଦିଗମ୍ୱରୀ ପାଖରେ ନୃତ୍ୟକାଳୀ ଛିଡ଼ା ହୋଇଥିଲା । ତାକୁ ପୂର୍ବପରି ଛିଡ଼ା ହୋଇଥିବା ଦେଖି ନାରାୟଣୀ ପୁଣି କହିଲା–‘‘ତୁ ଏ ପର୍ଯ୍ୟନ୍ତ ଯାଇନୁ ? କହିଲି ପରା ରାମ କୋଉଠି ଅଛି ଦେଖିବାକୁ ?’’

 

ନୃତ୍ୟକାଳୀ ଅନ୍ୟମନସ୍କ ଭାବରେ ସେଠୁ ବାହାରିଗଲା ।

 

ଦିଗମ୍ୱରୀ ଗୋଟିଏ ଦୀର୍ଘ ନିଃଶ୍ୱାସ ନେଲା । ଜଣାଗଲା–ସେ ଯେପରି ସେଇ ଦୀର୍ଘନିଃଶ୍ୱାସ ଜରିଆରେ ସବୁକଥା କହିଦେବ । ଉତ୍ସୃକତା ସହକାରେ କହିଲା–‘‘କ’ଣ ହେଇଚି ତୁ ଜାଣୁ ନାରାୟଣୀ ?’’

 

ନାରାୟଣୀ ତା’ କଥାକୁ କୌଣସି ଗୁରୁତ୍ୱ ନ ଦେଇ ବେପରୁଆ ଭାବରେ କଥା ମଝିରେ କହିଲା–‘‘ବୋଉ, ତୁ ଆଗେ ଓଦାଲୁଗା ବଦଳିପକା । ତା’ପରେ ସବୁକଥା କହିବୁ । ମୁଁ ପଳେଇ ଯାଉନି ।’’ ଏତିକି କହି ସେ ସେଠାରୁ ଚାଲିଗଲା ।

 

ଦିଗମ୍ୱରୀ ଅବାକ୍‌ ହୋଇ ମୁହଁ ହଲେଇ କହିଲା–‘‘ଦେଖୁଛ, ଏ ଟୋକୀର ରାଗଦେଖ !’’ ଏପରି ସୁଯୋଗବେଳେ ରାମ କଥାଟା ନ କହି ପାରିଥିବା ହେତୁ ସେ ମନେ ମନେ ରବେଇ ଖବେଇ ହେଲା ।

 

ଘଟଣା ହେଉଛି–ରାମ ପଢ଼ୁଥିବା ସ୍କୁଲରେ ସେଇ ଗାଁ ଜମିଦାରର ଗୋଟିଏ ପୁଅ ମଧ୍ୟ ପଢ଼ୁଥିଲା । ଆଜି ଦି’ପହରେ ଖାଇବା ଛୁଟୀବେଳେ ରାମ ଆଉ ତାହା ଭିତରେ ଗୋଟିଏ କଥା ନେଇ ବାଦାନୁବାଦ ଚାଲିଲା । ସେ କଥାର ତ କୌଣସି ଥଳକୂଳ ନ ଥିଲା । ଏଣୁ ସେ ବିଷୟ ତର୍କରେ ନିଷ୍ପତ୍ତି ହୋଇ ପାରିଲାନି । ଶେଷରେ ଦିହିଁଙ୍କ ଭିତରେ କଜିଆ ହିଁ ସାର ହେଲା ।

 

ଜମିଦାର ପୁଅଟି କହିଲା–‘‘ଶାସ୍ତ୍ରରେ ଅଛି–ଶ୍ମଶାନକାଳୀର ମହିମା ରକ୍ଷାକାଳୀ ଅପେକ୍ଷା ବେଶି । କାରଣ–ଶ୍ମଶାନକାଳୀର ଜିଭ ଯଥେଷ୍ଟ ବଡ଼ ।’’

 

ରାମ ପ୍ରତିବାଦ କରି କହିଲା–‘‘ନା, କେବେ ନୁହେଁ, ଏହା ଏକାବାରେ ମିଛ । ଶ୍ମଶାନକାଳୀ ଜିଭ ଟିକିଏ ଚଉଡ଼ା ସିନା; କିନ୍ତୁ ଲମ୍ୱା ତ ମୋଟେ ନୁହଁ ।

 

କେଇଦିନ ତଳେ ଗାଁରେ ଚାନ୍ଦାଭେଦା ଦେଇ ରକ୍ଷାକାଳୀଙ୍କ ପୂଜା ହୋଇଥିଲା । ସେଇଥିଯୋଗୁଁ କାଳୀଙ୍କର ଗୋଟିଏ ମୂର୍ତ୍ତି ସେଠାରେ ସ୍ଥାପନ କରାଯାଇଥିଲା । ସେଇକଥା ରାମର ହଠାତ୍‌ ଖିଆଲ ହେଲା ଏବଂ ସେ ତର୍କ କରି ବସିଲା । କିନ୍ତୁ ଜମିଦାର ପିଲାଟି ରାମ ସହିତ ଏକମତ ନ ହୋଇ ଓଲଟି କହିଲା–‘‘ନା, ରକ୍ଷାକାଳୀର ଜିଭ ଏତେ ବଡ଼ !’’ ତା’ପରେ ଦି ହାତ ଲମ୍ୱେଇ ଜିଭର ଆକାର ଦେଖାଇଦେଲା ।

 

ରାମ ରାଗିଯାଇ ଦି’ ହାତ ଲମ୍ୱାଇ ପୁଣି ଜିଭ ବାହାର କରି କହିଲା, ‘‘ଏତେ ବଡ଼ ନୁହଁ–ମୋଟେ ଏଡ଼ିକି । ଏତେ ଛୋଟ ଜିଭରେ ସେ କ’ଣ ପୃଥିବୀକୁ ରକ୍ଷା କରିପାରିବେ ? ପୃଥିବୀକୁ ରକ୍ଷା କରିଥିବା ଯୋଗୁଁ ତ ତାଙ୍କ ନାଁ ହେଇଚି ରକ୍ଷାକାଳୀ ।’’

 

ଏହାପରେ ବି କୌଣସି ମୀମାଂସା ନ ହେବାରୁ ଦୁହିଁଙ୍କ ଭିତରେ କଡ଼ା କଡ଼ା କଥା ଚାଲିଲା । ତା’ ପରେ ଘୁସା ଘୁସି ଆରମ୍ଭ ହୋଇଗଲା । ଜମିଦାର ପୁଅ ଟିକିଏ ଦୁର୍ବଳ । ସେ ରାମକୁ ବଳରେ ପାରିଲା ନାହିଁ । ରାମ ତା’ ନାକକୁ ଲକ୍ଷ୍ୟ କରି ଯେମିତି ଗୋଟାଏ ବିଧା ମାରିଚି, ତା’ ନାକରୁ କେଇବୁନ୍ଦା ରକ୍ତ ଖସିପଡ଼ିଲା ।

 

ଏଇ ଟିକକ କଥା ଏତେ ବଡ଼ ହୋଇଗଲା । ଏ ପର୍ଯ୍ୟନ୍ତ ଏ ଛୋଟ ସ୍କୁଲରେ ଜମିଦାର ପୁଅକୁ କେହି ମାରିବା ଶୁଣା ନ ଥିଲା । ମାଡ଼ ଖାଇଲା ଜମିଦାର ପୁଅ–ପୁଣି ସ୍କୁଲ ବି ତାଙ୍କରି । ହେଡ଼ମାଷ୍ଟର ଏ ଘଟଣାରେ ବିବ୍ରତ ହୋଇ ସାଙ୍ଗେ ସାଙ୍ଗେ ତାଙ୍କ ପୁଅକୁ ନେଇ ତାଙ୍କର କଚେରୀରେ ପହଞ୍ଚିଲେ ଏବଂ ସବୁ ଘଟଣା ପୁଙ୍ଖନୁପୁଙ୍ଖ ଭାବେ ବର୍ଣ୍ଣନା କଲେ । ଏଣେ ରାମ ଘଟଣାର ଗତି ଦେଖି ଡିଆଁମାରି କୁଆଡ଼େ ପଳେଇଲା ।

 

ନୃତ୍ୟକାଳୀ କହିବା ଅନୁଯାୟୀ ଭୋଳା ରାମକୁ ଚାରିଆଡ଼େ ଖୋଜି କୋଉଠି ନ ପାଇ ଫେରିଆସି କହିଲା, ‘‘ରାମକୁ ପାଇଲିନି ।’’

 

ଅନେକ ଡେରିରେ ଶ୍ୟାମଲାଲ ମ୍ଳାନ ମୁହଁରେ ଘରେ ପହଞ୍ଚିଲେ ଏବଂ ଅଗଣାରେ ପଶିବାମାତ୍ରେ ସେଇଠି ଛିଡ଼ା ହୋଇ କହିଲେ, ‘‘ଏବେ ସମ୍ଭାଳ, ଯା’ ହେଲାଣି ଏ ଟୋକା ଯୋଗୁଁ ମତେ ଏ ଗାଁ ଛାଡ଼ିବାକୁ ହିଁ ହେବ । ଚାକିରୀ କରି ଯାହା ଦି’ ପଇସା କମଉଥିଲି, ଏବେ ସେ ରାସ୍ତା ବନ୍ଦ ହେବା ଉପରେ..... ।’

 

ଶ୍ୟାମଲାଲଙ୍କ କଣ୍ଠ ଶୁଣି ନାରାୟଣୀ ଘରୁ ବାହାରି ଆସିଲା ଏବଂ ମୁଣ୍ଡ ଉପରକୁ ଲୁଗା ଟାଣିଦେଇ କହିଲା–‘‘ସେମାନେ ଥାନାକୁ ଯାଇଛନ୍ତି ?’’

 

ଶ୍ୟାମଲାଲ ମୁଣ୍ଡ ହଲାଇ କହିଲେ ‘‘ନା, ବାବୁ ଯେମିତି ଭଗବାନଙ୍କ ଅବତାର । ସେ କ୍ଷମା କରିଦେଲେ । କିନ୍ତୁ ଗାଁର ସଭିଏଁ ତ ଦୟାବାନ ନୁହନ୍ତି । ପ୍ରତିଦିନ ସେ ଯଦି ଏମିତି ଗୋଟାକ ପରେ ଗୋଟାଏ କଜିଆ ମୁଲାଏ ଆମର ସୁଖ୍ୟାତି ଯାହା ବଢ଼ିବ ଛାଡ଼ । ଦିନେ ହେଲେ ସେ ମୋ ନାଁରେ କଳଙ୍କ ଲେପିବ । ଏଥର କୁହ ଏ ଗାଁରେ କେମିତି ରହିବି । କାହିଁ ସେ ଟୋକା କୁଆଡ଼େ ଗଲା ?’’

 

‘‘ସେ ଏ ପର୍ଯ୍ୟନ୍ତ ଘରକୁ ଆସିନି । ବୋଧହୁଏ ଡରରେ କୋଉଠି ନୁଚିଛି ।’’ –ନାରାୟଣୀ କହିଲା ।

 

ଶ୍ୟାମଲାଲ ନିର୍ଦ୍ଦୟ ଭାବରେ କହିଲେ–‘‘ସେ ଘରକୁ ଆସୁ ବା ନ ଆସୁ । ସେଥିରେ ଆମର ଯାଏ ଆସେନା । ଏଣିକି ଆମର ତା’ ସହିତ କୌଣସି ସମ୍ପର୍କ ନାହିଁ । ସେ ତ ମୋର ସାବତମା’ ପୁଅ । ଲୋକେ ମତେ ନିନ୍ଦା ନ କରନ୍ତୁ, ଏଇ ଡରରେ ଏ ଯାକେ ତା’ ଅତ୍ୟାଚାର ସହି ଆସିଲି; କିନ୍ତୁ ଆଉ ଏଣିକି ନୁହେଁ.....ନିଜ ମାନମହତ ରଖିବାକୁ ତ ହେବ......।’’

 

ରୋଷେଇଘର ଦୁଆରମୁହଁରେ ବସି ଦିଗମ୍ୱରୀ ଶ୍ୟାମଲାଲଙ୍କ ସବୁ କଥା ଶୁଣୁଥିଲା । ସେଇଠୁ ସେ କହିଲା, ‘‘ପୁଅ ଯାହା କହିଲ ଉଚିତ କଥା, ନିଜ ପୁଅଟିକି ତ ପୁଣି ଦେଖିବାକୁ ହେବ-।’’

 

ଶ୍ୟାମଲାଲ ଉତ୍ସାହିତ ହୋଇ କହିଲେ, ‘‘ନିଶ୍ଚୟ ମୁଁ କାଲି ଭିତରେ ପଞ୍ଚାୟତମାନଙ୍କୁ ଏକାଠି କରି ସେମାନଙ୍କ ଆଗରେ ଜମିବାଡ଼ି ଗହଣା ସବୁ ଭାଗ ଭାଗ କରିଦେବି ।’’ ତା’ ପରେ ନାରାୟଣୀ ଉଦ୍ଦେଶ୍ୟରେ କହିଲା–‘‘ଆଉ ତମକୁ ବି କହୁଚି ଶୁଣ, ଏ ବିଷୟ ନେଇ ତା’ ସହିତ ଝକ ଝକ କରିବା ଦରକାର ନାହିଁ–ତାର ଯା’ ଖୁସି କରୁ । ବୁଝି ସୁଝି ପୁଣି ଜମିଦାର ପୁଅ ଦେହରେ ହାତ ଦେଇଥିଲା, ନା ନାହିଁ ?’’

 

ଶ୍ୟାମଲାଲ ଉତ୍ସାହିତ ହୋଇ କହିଲେ, ‘‘ନିଶ୍ଚୟ ମୁଁ କାଲି ଭିତରେ ପଞ୍ଚାୟତମାନଙ୍କୁ ଏକାଠି କରି ସେମାନଙ୍କ ଆଗରେ ଜମିବାଡ଼ି ଗହଣା ସବୁ ଭାଗ ଭାଗ କରିଦେବି ।’’ ତା’ ପରେ ନାରାୟଣୀ ଉଦ୍ଦେଶ୍ୟରେ କହିଲା–‘‘ଆଉ ତମକୁ ବି କହୁଚି ଶୁଣ, ଏ ବିଷୟ ନେଇ ତା’ ସହିତ ଝକ ଝକ କରିବା ଦରକାର ନାହିଁ–ତାର ଯା’ ଖୁସି କରୁ । ବୁଝି ସୁଝି ପୁଣି ଜମିଦାର ପୁଅ ଦେହରେ ହାତ ଦେଇଥିଲା, ନା ନାହିଁ ?’’

 

ଏସବୁ କଥା ଶୁଣି ଦିଗମ୍ୱରୀ ମନ ଆନନ୍ଦରେ ନାଚିଉଠୁଥାଏ । ସେ ପୁଣି କହିଲା–‘‘ନାରାୟଣୀ କୋଉଥିପାଇଁ ଯେ ତାକୁ ଶାସନ କରୁଚି ମୁଁ ବୁଝିପାରୁନି ପୁଅ ! ମୂର୍ଖ ଅବାଗିଆ ଟୋକାଟା ମୋର ତ ମାନମହତ ରଖୁନି, ଆଉ ନାରାୟଣୀ କୋଉଠୁ ଆସିଚି କି ? ନାରାୟଣୀ କି ତ ମୋଟେ ପାସଙ୍ଗରେ ପକାଏ ନା । କୋଉଦିନ ତାକୁ ବି ଅପମାନ ନ କରୁ ! ଆଉ ତା’ ପକ୍ଷେ ଏ କାମ କୋଉ ବଡ଼ କଥାଟା ଯେ । ନିଜ ମାନ ନିଜ ହାତରେ–ତା’ଠୁ ଦୂରେଇ ରହିବା ସବୁଠୁ ଭଲ ।’’

 

ଶ୍ୟାମଲାଲ ନିଜ ଶାଶୁଙ୍କଠାରୁ ଏତେଗୁଡ଼ାଏ କଥା ଶୁଣି ମନେ ମନେ ଲଜ୍ଜିତ ହେଲେ । ଏଣୁ ସେ ଏଥରକ ତା’ କଥାକୁ ସମର୍ଥନ ନ କରି ଏତିକି କହିଲେ–‘‘ସେ ଯା’ ହେଉ, ଆମର ତାକୁ ଶାସନ କରିବା ମୋଟେ ଦରକାର ନାହିଁ ।’’

 

ନାରାୟଣୀ ପଥର ପ୍ରତିମା ପରି ନିର୍ବାକ ନିଷ୍ପନ୍ଦ ଭାବରେ ସବୁ ଶୁଣୁଥିଲେ । ସ୍ୱାମୀ ଓ ବୋଉର ପ୍ରତି ଶବ୍ଦଟି ତା’ ହୃଦୟରେ ତୀକ୍ଷ୍‌ଣ ଶର ପରି ଗଳିଯାଉଥାଏ । କିନ୍ତୁ ସେ ଉଁ କି ଚୁଁ କିଛି କହିଲାନି । ନୀରବରେ ମୁଣ୍ଡ ତଳକୁ କରି ବିଷଣ୍ଣ ବଦନରେ ନିଜ କାମରେ ଚାଲିଗଲା ।

 

ରାତି ଗଭୀରରୁ ଗଭୀରତର ହେଉଥାଏ । ପ୍ରାୟ ଘଣ୍ଟାକ ପରେ ନୃତ୍ୟକାଳୀ ନାରାୟଣୀ ପାଖକୁ ଆସି ଖୁବ୍‌ ଆସ୍ତେ ଫୁସ୍‌ ଫୁସ୍‌ ହୋଇ କହିଲା, ‘‘ମା, ସାନବାବୁ ଆସିଲେଣି । ତାଙ୍କ ଘରେ ଗୁମ୍‌ ହୋଇ ବସିଛନ୍ତି ।’’

 

ନାରାୟଣୀ ଟିକିଏ ହେଲେ ଅଧୈର୍ଯ୍ୟ ନ ହୋଇ ନିଶବ୍ଦ ଗତିରେ ଚୁପ୍‌ଚାପ ଉଠି ଆସିଲା ରାମ ଘରକୁ । ତା’ପରେ ଦେ କବାଟ ଭିତରପଟୁ କିଳିଦେଲା । ରାମ ଦି’ ଆଣ୍ଠୁ ମଝିରେ ମୁହଁ ଲୁଚେଇ କଣ ଗଭୀର ଭାବରେ ଚିନ୍ତା କରୁଥିଲା । କବାଟ ବନ୍ଦ ହେବା ଶବ୍ଦ ଶୁଣି ସେ ଚମକିପଡ଼ିଲା । ତା’ ପରେ ବେତ ହାତରେ ରୁଦ୍ର ମୂର୍ତ୍ତିରେ ଭାଉଜକୁ ଦେଖିବା ମାତ୍ରେ ଖଟ ଉପରୁ ଡିଆଁଟାଏ ମାରି ଗୋଟାଏ କଣକୁ ଚାଲିଗଲା ।

 

‘‘ଆ, ଏଠିକି ଆ ।’’

 

ନାରାୟଣୀକୁ ହାତ ଯୋଡ଼ି ବିନୀତ ହୋଇ କହିଲା–‘‘ଆଉ ଦୁଷ୍ଟାମୀ କରିବିନି ଭାଉଜ ! ଏଥରକ ମତେ ଛାଡ଼ି ଦେ, ଭାଉଜ ।’’

 

‘‘ଆଗ ଏଠିକି ଆ, ନ ଆସିଲେ ଏ ବେତରେ ପିଠିରୁ ଛାଲ ଉତାରିଦେବି ।’’ ନାରାୟଣୀ କଠୋର ହେବାକୁ ଚେଷ୍ଟା କଲା ।

 

‘‘ଆଉ ମୋଟେ କରିବିନି ଭାଉଜ । ତୁ ଏଥରକ ଛାଡ଼ିଦେ । କାନ ଧରୁଚି, ଆଉ କେବେ କରିବିନି ।’’ ରାମ ଗୋଟିଏ କଣରେ ଠିଆ ହୋଇ କାନ ଧରିଲା ।

 

ସେ ପାଖକୁ ନ ଆସିବାରୁ ନାରାୟଣୀ ନିଜେ ଖଟ ଉପରକୁ ଉଠିଯାଇ ଖୁବ୍‌ ଜୋରରେ ପାହାରେ ପିଟିଦେଲା । ତା’ ପରେ ପାହାର ପାହାର ଆରମ୍ଭ ହୋଇଗଲା । ମାଡ଼ ଭିତରେ ରାମ କବାଟ ଖୋଲି ଖସି ଯିବାକୁ ଚେଷ୍ଟା କରୁଥିଲା; କିନ୍ତୁ ବେତ ପାହାର ଲାଗ୍‌ ଲାଗ୍‌ ବସୁଥିବାରୁ ସେ ପଳେଇ ପାରିଲାନି । ଶେଷରେ ସେ ନାରାୟଣୀ ଗୋଡ଼ତଳେ ପଡ଼ିଯାଇ କଇଁ କଇଁ ହୋଇ କାନ୍ଦିବାକୁ ଲାଗିଲା ।

 

କାନ୍ଦିବା ଶବ୍ଦ ଶୁଣି ନୃତ୍ୟକାଳୀ ପଛପଟ ଖିଡ଼ିକି ବାଟେ ଆସି ଏ ଦୃଶ୍ୟ ଦେଖି ସମ୍ଭାଳି ନ ପାରି କାନ୍ଦି ପକାଇଲା–ସେହିପରି କାନ୍ଦ କାନ୍ଦ ହୋଇ କହିଲା–‘‘ଥାଉ ମା’, ଆଉ ମାରନା । ମୋରି ଦୋଷରୁ........।’’

 

କିନ୍ତୁ ଦିଗମ୍ୱରୀ ରାମର ଏ ଦୁର୍ଦ୍ଦଶା ଦେଖି ଉଲ୍ଲସିତ ହେଉଥାଏ । ନୃତ୍ୟକାଳୀକୁ ଆଖି ଦେଖାଇ କହିଲା, ‘‘ତୁ କାହିଁକି ସବୁ କଥାରେ ଏପରି ହୁକୁମତି ଦେଖଉଛୁ କିଲୋ ! ତୁ ଚାକରାଣୀ, ଚାକରାଣୀ ପରି ରହିବୁ ।’’

 

ଏଥିଭିତରେ ସାମନା ପଟେ ଶ୍ୟାମଲାଲ ଜୋରରେ କବାଟ ପିଟି ପାଟି କରୁଥାନ୍ତି–‘‘ଏସବୁ କ’ଣ ହେଉଛି ? ରାତିସାରା ପିଟାପିଟି ଚାଲିଥିବ ନା କ’ଣ ?

 

ଶ୍ୟାମଲାଲଙ୍କ ପାଟି ଶୁଣି ନାରାୟଣୀ ବେତ ଫିଙ୍ଗି ଦେଇ କବାଟ ଖୋଲି ଘରୁ ବାହାରି ଆସିଲା । ସେଠାରେ ଦିଗମ୍ୱରୀର ଉପସ୍ଥିତି ତାକୁ ମୋଟେ ଭଲ ଲାଗିଲାନି । କବାଟ ଖୋଲିଲା ପରେ କ’ଣ କହିବା ପାଇଁ ଦିଗମ୍ୱରୀ ଯେମିତି ପାଖକୁ ଆସିଛି, ନାରାୟଣୀ ତା’ କଥା ଶୁଣିବା ଦୂରେ ଥାଉ, ତାକୁ ପୂରାପୂରି ଉପେକ୍ଷା କରି ନିଜ ଶୋଇବା ଘରକୁ ଚାଲିଗଲା ।

 

ରାମ ଖାଇ ବସିଥିଲା ।

 

ଦିଗମ୍ୱରୀ ବସିଥିଲା ତା’ଠୁ କିଛି ଦୂରରେ । ରାମ ଆଡ଼କୁ ସହାନୁଭୂତିସୂଚକ ଦୃଷ୍ଟିରେ ଅନେଇ ସେ କହିଲା–‘‘ଏତେ ବଡ଼ ପିଲାକୁ ମାର ଧର କରିବା ଭଲ କଥା ନୁହେଁ । ବଡ଼ଭାଇ ତ ଆଜିଯାକେ ତା’ ଦେହରେ ହାତ ଦେଇନି । ଏମିତି କ’ଣ ମାରନ୍ତି ?’’

 

ଦିଗମ୍ୱରୀର ଏ ପ୍ରକାର ଚିକଣଚାକଣ କଥା ନୃତ୍ୟକାଳୀକୁ ଭଲ ଲାଗିଲା ନାହିଁ । ସେ ସାଙ୍ଗେ ସାଙ୍ଗେ କହିଲା–‘‘ବଡ଼ ମା’ ! ତମେ ଆଉ କୋଉ ଗୁଣରେ କମ୍‌ କି ? ନିଆଁ ତମେଇ ଜାଳିଲ, ତମେଇ ନିଭେଇଲ । କେଜାଣି କ’ଣ ସବୁ ନଗେଇ ଜୁଟେଇ ମା’ ଆଗରେ କହିଲ, ଯା’ ଫଳରେ ପିଲାଟା ମାଡ଼ ଖାଇଲା । ଦେଖିବାକୁ ଗଲେ ମୂଳରେ ତ ତମେଇ.......।’’

 

କାଲିକା ମାଡ଼ ରାମକୁ ଅବଶ୍ୟ ଭଲ ଲାଗିନି । କିନ୍ତୁ ତା’ ଭାଉଜ ରାମକୁ ମାଡ଼ ଦେଇଥିବାରୁ ସେ ସବୁ ସହି ନେଲା । ଏବେ ନୃତ୍ୟକାଳୀ ମୁହଁରୁ ଦିଗମ୍ୱରୀ ଏସବୁର ଜଡ଼ ଜାଣିପାରି ସେ ସବୁକଥା ଠଉରେଇ ନେଲା । ଆଖି ଲାଲ ଲାଲ କରି ସେ ଦିଗମ୍ୱରୀ ଆଡ଼କୁ ଅନେଇ କହିଲା–‘‘ଡାହାଣୀ ବୁଢ଼ୀ ଆମକୁ ଖାଇବାକୁ ଆସିଚି ।’’

 

ଏକଥା ଶୁଣି ଦିଗମ୍ୱରୀ ନାରାୟଣୀକୁ ଡାକ ପକାଇଲା–‘‘ନାରାୟଣୀ ତୋ ଦିଅର କଥା ଶୁଣୁଚୁ !’’

 

ନାରାୟଣୀ ନଦୀକି ଗାଧୋଇ ବାହାରିଥିଲା । ବୋଉ ପାଟି ଶୁଣି କହିଲା, ‘‘ବୋଉ ଅବିକା କିଛି ଶୁଣି ପାରିବିନି । ଆଉ କେତେ ସହିବି । ଏଥରକ ମଲେ ଯାଇଁ ଶାନ୍ତି ମିଳିବ ।’’ ତା’ପରେ ରାମ ଆଡ଼କୁ ଅନେଇ କହିଲା, ‘‘ଆଁରେ ମାଙ୍କଡ଼, ଏ ଯାକେ ତ ପିଠିରୁ ଦରଜ ଯାଇ ନ ଥିବ, ପୁଣି ତୋ ପିଠି ଗଲୁ ହେଲାଣି ?’’

 

ରାମ କିଛି କହିନି । ଚୁପ୍‌ଚାପ୍‌ ଖାଇବାକୁ ଲାଗିଲା । ନାରାୟଣୀ ବି ଆଉ କିଛି ନ କହି ଅଲୁଗୁଣିରୁ ଶାଢ଼ୀଟାଏ ଟାଣିଆଣି ଗାଧେଇ ଚାଲିଗଲା ।

 

ଅଗଣା ଶେଷରେ ବାଡ଼ିଆଡ଼କୁ ଗୋଟିଏ ପିଜୁଳିଗଛ ଅଛି । ଗଛଟି ଖଞ୍ଜା ଭିତରକୁ ସ୍ପଷ୍ଟ ଭାବରେ ଦେଖାଯାଏ । ଭାତ ଖାଇସାରି ରାମ ସେ ପିଜୁଳିଗଛରେ ଚଢ଼ିଯାଇଁ ଗୋଟାଏ ଜାଗାରେ ବସିଲା । ତା’ପରେ କଞ୍ଚା ପାଚିଲା ଯାହା ପାଇଲା ପିଜୁଳି ଛିଣ୍ଡାଇ ଖାଇବାକୁ ଲାଗିଲା । କୋଉଟାକୁ ଅଧେ ଖାଇ, କୋଉଟାରେ ଖାଲି ଦାନ୍ତ ବସେଇ ଅଗଣାକୁ ପକାଇଲା । କଷି ପିଜୁଳି ବି ଛାଡ଼ିଲା ନାହିଁ ।

 

ରୋଷେଇଘର ଦୁଆରମୁହଁରେ ବସି ଦିଗମ୍ୱରୀ ଏସବୁ ଦୃଶ୍ୟ ଦେଖୁଥିଲା । ମନେ ମନେ ଗୁରେଇ ବିଦାରୀ ହେଉଥାଏ । ନାରାୟଣୀ ନଦୀରୁ ଫେରି ନ ଥାଏ । ଶେଷରେ ନିଜକୁ ସମ୍ଭାଳି ନ ପାରି ରାମକୁ କହିଲା, ‘‘ପୁଅ ତୋ ଯୋଗୁଁ ତ ପାକଲା ପିଜୁଳି ଗୋଟାଏ ମୁହଁରେ ଦେବାକୁ ମିଳିବନି, ସେଥିରେ ପୁଣି କଷି ପିଜୁଳିଗୁଡ଼ା ଛିଣ୍ଡେଇବା କଣ ଭଲ କଥା !’’

 

ରାମ ଆଉ ଦିଗମ୍ୱରୀ ଭିତରେ ଯେଉଁ ଅହିନକୂଳ ସମ୍ୱନ୍ଧ ସେଥିରେ ରାମ ତା’ କଥା ଶୁଣି ଖାଲି ଦାନ୍ତ କଟମଟ କରୁଥାଏ । ବିଛା ନାଉଡ଼ ପରି ତାର ପ୍ରତି କଥା ତା’ ଦେହରେ ଗଳିଯାଉଥାଏ । ସେ ସେଇ ଗଛ ଉପରୁ ବୀରଦର୍ପରେ କହିଲା–‘‘ଠିକ୍‌ କରୁଛି ବୁଢ଼ୀ ।’’

 

ଦିଗମ୍ୱରୀ ସବୁ ସହିପାରେ; କିନ୍ତୁ ଏ ବୁଢ଼ୀ ବିଶେଷଣ ତା’ ପକ୍ଷେ ଅସହ୍ୟ । ତାହା ପୁଣି ରାମ ମୁହଁରୁ ଶୁଣି ସେ ଆଗ୍ନେୟଗିରି ପରି ଫାଟି ପଡ଼ିଲା । ଅତି କଦର୍ଯ୍ୟ ଭାଷାରେ କହିଲା, ‘ତୁ ମତେ ବୁଢ଼ୀ କହୁଛୁ । ହଉ, ସେ ଗାଧେଇ ଆସୁ । ଗୋଡ଼ତଳ ଲୋକକୁ ମୁଣ୍ଡରେ ବସେଇଲେ ଯା’ ହୁଏ ସେଇଆ ହେଇଚି । କିମିତିକା ବେହିଆ ଟୋକାଟାମ ! ମାଡ଼ ଖାଇ ଖାଇ ପିଠିରୁ ଛାଲ ଉତୁରିଗଲା, ତେବେ ବି ସେ ଥୋବରା ମୁହଁକୁ ଲାଜ ନାହିଁ ।’’

 

ସେଇ ଗଛ ଉପରେ ଥାଇଁ ସେ ଉତ୍ତର ଦେଲା–‘‘ବଜାତ୍‌ ବୁଢ଼ୀ.....’’

 

ଏଁ–କଣ କହିଲୁ, ମୁଁ ବଜାତ୍‌ ? ଛୋଟ ମୁହଁରେ ବଡ଼ କଥା । ପାଜି ଟୋକା ଉହ୍ଲା କହୁଚି......

 

‘‘ଓହ୍ଲେଇବି ? ତୋ’ ବାପ ଗଛ କି ?’’

 

ଆରେ ତୁ ମୋ ବାପ ନାଁ ଧଇଲୁ । ଆଲୋ ନିତ୍ୟା ଶୁଣୁଚୁ ?’’ ବାପ ନାଁ ଧରିବାରୁ ଦିଗମ୍ୱରୀ ଦେହରେ ଯେପରି ଚାଉଁକିନା ନିଆଁ ଲାଗିଗଲା । ସେ ଜୋରରେ ପାଟିକରି କମ୍ପେଇଲା ।

 

ଏତିକିବେଳେ ନାରାୟଣୀ ନଦୀରୁ ଫେରିଲା । ଗଛ ଉପରେ ଦୃଷ୍ଟି ପଡ଼ିବାମାତ୍ରେ ପଚାରିଲା–‘‘ରାମ ! ସ୍କୁଲକୁ ଗଲୁ ନାହିଁ କାହିଁକିରେ ? ଗଛରେ କାହିଁକି ଚଢ଼ିଛୁ ?’’

 

ନାରାୟଣୀ ଏତେ ଶୀଘ୍ର ଆସିଯିବ ବୋଲି ରାମର ଧାରଣା ନ ଥିଲା । ସେ ଭାବିଥିଲା, ଭାଉଜକୁ ଦୂରରୁ ଦେଖି ସେ ଡିଆଁଟିଏ ମାରି ପଳେଇଯିବ । କିନ୍ତୁ ଦିଗମ୍ୱରୀ ସହିତ ବାକ୍‌ଯୁଦ୍ଧ ହେବା ଫଳରେ ସେ ଭାଉଜ ଉପରେ ଦୃଷ୍ଟି ରଖିପାରିଲା ନି । ନାରାୟଣୀକୁ ଦେଖିଲାମାତ୍ରେ ସେ ଶଙ୍କିଗଲା । ତା’ପରେ ସ୍ୱାଭାବିକ କଣ୍ଠରେ କହିଲା, ‘‘ପିଜୁଳି ଖାଉଚି ।’’

 

‘‘ତା’ ତ ଦେଖୁଚି, କିନ୍ତୁ ସ୍କୁଲକୁ ଗଲୁ ନାହିଁ କାହିଁକି ?’’

 

ରାମ କଣ କହିବ କିଛି ଭାବି ନ ପାରି ହଠାତ୍‌ କହିଲା–‘‘ପେଟ କାମୁଡ଼ୁଛି ଭାଉଜ !’’

 

‘‘ସେଥିପାଇଁ ଭାତ ଖାଇ ସାରି କଷି ପିଜୁଳି ଚୋବଉଚୁ ?’’

 

ତେଣୁ ଦିଗମ୍ୱରୀ ନାରାୟଣୀର କଣ୍ଠ ବାରି ପାରି ଦଉଡ଼ି ଆସି କହିଲା, ‘‘ଶୁଣୁଚୁ ନାରାୟଣୀ ! ଅଳ୍ପେଇସା ଟୋକା ମୋ ବାପ ନାଁ ଧଇଲାଣି । କଷି ପିଜୁଳିଗୁଡ଼ା ଛିଣ୍ଡେଇ ପକଉଥିଲା, ଓହ୍ଲେଇବାକୁ କହିବାରୁ କହୁଚି–‘କାହିଁକି ଓହ୍ଲେଇବି, ତୋ’ ବାପ ଗଛକି ?’’

 

‘‘ଆରେ ଏଇଆ କହିଚୁ ? ବାପ ନାଁ ନେଇଚୁ ?’’ ନାରାୟଣୀ ଲାଲ ଲାଲ ଆଖିରେ ରାମକୁ ଅନେଇଲା ।

 

‘‘ନାଇଁ ଭାଉଜ ! ମୁଁ ମୋଟେ କିଛି କହିନାହିଁ ।’’

 

ଦିଗମ୍ୱରୀ ଗର୍ଜି ଉଠିଲା–‘‘ନିଉଁଛଣା ଟୋକା ମିଛ କହୁଚୁ ?’’

 

‘‘ଆରେ ! ବାପ ନାଁ ଧରିନୁ ? ନିତ୍ୟା ବି ଶୁଣିଚି ।’’ ତା’ପରେ ବିଚିତ୍ର ଢଙ୍ଗରେ ମୁହଁ ଭଙ୍ଗୀ କରି କହିଲା, ‘‘ବେହିଆ ଅଲାଜୁକ । ସେଦିନକା ମାଡ଼ ଭୁଲିଗଲୁଣି ? ଯେତେବେଳେ ପିଠିରେ ସପାଙ୍ଗ୍‌ ସପାଙ୍ଗ୍‌ ବେତ ପାହାର ବସୁଥିଲା.....‘ଆଉ କହିବିନି ଗୋଡ଼ ଧରୁଚି ମରିଯିବି ଭାଉଜ’ ୟା ଛଡ଼ା ତ ପାଟିରୁ କିଛି ବାହାରୁ ନ ଥିଲା । ଆଜି ମୁହଁରେ ତ ବାଟୁଳି ବାଜୁନି ଧିକ୍‌ ତୋ ଜୀବନ ।’’

ରାମ ଏ କଥା ସହି ପାରିଲାନି । ସହଜେ ତ ଦିନରାତି ଚବିଶ ଘଣ୍ଟା ଦିଗମ୍ୱରୀ ଉପରେ ତା’ ମନ ଚିଡ଼ିକରି ଥାଏ, ସେଥିରେ ପୁଣି ଏ ପ୍ରକାର କଟୁକ୍ତି ତାର ସମସ୍ତ ହିତାହିତ ଜ୍ଞାନ ଲୋପ କରିଦେଲା । ତା’ ହାତରେ ଗୋଟିଏ ବଡ଼ କଞ୍ଚା ପିଜୁଳି ଥିଲା । ସେ ଆଗପଛ ନ ଭାବି ସେଇଟିକୁ ଦିଗମ୍ୱରୀ ଉଦ୍ଦେଶ୍ୟରେ ଗଛ ଉପରୁ ଜୋରରେ ଛାଡ଼ିଦେଲା । କିନ୍ତୁ ସୌଭାଗ୍ୟ ବା ଦୁର୍ଭାଗ୍ୟକ୍ରମେ ହେଉ, ସେଇଟି ଲକ୍ଷ୍ୟଭ୍ରଷ୍ଟ ହୋଇ ଦିଗମ୍ୱରୀ ପରିବର୍ତ୍ତେ ନାରାୟଣୀର ଡାହାଣ ଆଖିପତା ଉପରେ ବାଟୁଳିପରି ବସିଗଲା । ଖୁବ୍‌ ଜୋରରେ ଆଘାତ ହେବା ଫଳରେ ନାରାୟଣୀକୁ ଚାରିଆଡ଼ ଅନ୍ଧାର ଦିଶିଲା, ସେ ସେଇଠି ବସି ପଡ଼ିଲା । ଏ କାଣ୍ଡ ଫଳରେ ଦିଗମ୍ୱରୀ ତିନିପୁର କଂପମାନ କଲା । ନୃତ୍ୟକାଳୀ ଦଉଡ଼ି ଆସି ନାରାୟଣୀକୁ ଧରାଧରି କରି ଘର ଭିତରକୁ ନେଇଗଲା ।

ରାମ ପରିଣାମ ଏପରି ହେବ ବୋଲି ଆଶା କରି ନ ଥିଲା । ସେ ରାଗ ଝଙ୍କ୍‌ରେ ସିନା ପିଜୁଳିଟା ଛାଡ଼ିଦେଲା, କିନ୍ତୁ ଫଳ ଯାହା ହେଲା, ତା’ ଦେଖି ସେ ଛାନିଆ ହେଇଗଲା । ଡରରେ କିଛି କହିବାକୁ ସାହସ ନ କରି ଗଛରୁ ଡିଆଁମାରି ବାହରକୁ ପଳେଇଗଲା ।

ଦି’ପହରେ ଯେତେବେଳେ ଶ୍ୟାମଲାଲ ଖାଇବାକୁ ଆସିଲେ, ତାଙ୍କୁ ଆଜିକା ଦୁର୍ଘଟଣାର ଖବର ମିଳିଲା । ସେ ଦେଖିଲେ କି ନାରାୟଣୀ ବିଛଣାରେ ପଡ଼ି କଷ୍ଟ ପାଉଛି । ଆଖିପତା ଫୁଲିଯାଇ ଡାହାଣ ଆଖିର କେତେକାଂଶ ଘୋଡ଼ାଇ ପକାଇଚି । ଆଘାତ ଲାଗିଥିବା ସ୍ଥାନ କଳା ହେଇ ଆସୁଥାଏ । ସେଇ ଫୁଲା ସ୍ଥାନକୁ ନୃତ୍ୟକାଳୀ ସେକୁଥାଏ । ଶ୍ୟାମଲାଲ ଏସବୁ ଦେଖି ଧୈର୍ଯ୍ୟହୀନ ହୋଇପଡ଼ିଲେ ।

ଶ୍ୟାମଲାଲଙ୍କୁ ଦେଖି ଆଜି ଦିଗମ୍ୱରୀ ଆଉ କବାଟ ସେପଟେ ଆତ୍ମଗୋପନ କଲାନି । ସେ ଶ୍ୟାମଲାଲଙ୍କ ସାମନାକୁ ଆସି କାନ୍ଦି କହିଲା । –‘‘ପୁଅ, ରାମ ମୋ ଝିଅକୁ ମାରି ପକେଇଲା-।’’

ସେ ଦିଗମ୍ୱରୀକୁ କୌଣସି ଉତ୍ତର ନ ଦେଇ ନାରାୟଣୀ ପାଖକୁ ଆସି ତା’ ଆଘାତ ସ୍ଥାନ ପରୀକ୍ଷା କଲେ । ମାଡ଼ ଖୁବ୍‌ ଜୋରରେ ଲାଗିଥିବାରୁ ନାରାୟଣୀ ଯେ କି ଯନ୍ତ୍ରଣା ଭୋଗୁଥିବ, ତାହା ସେ କଳ୍ପନା କରି ଶିହରି ଉଠିଲେ । ତା’ପରେ ନାରାୟଣୀକୁ କହିଲେ–‘‘ତମକୁ ମୋ ରାଣ ଯଦି ସେ ବଦମାସ ଟୋକା ସହିତ କୌଣସି ସମ୍ୱନ୍ଧ ରଖ ତ । ଆଜିଠାରୁ ତାକୁ ଯଦି କଥା କୁହ କି ଖାଇବାକୁ ଦିଅ, ତେବେ ମୋ ମୁଣ୍ଡ–’’

 

ନାରାୟଣୀ ଶ୍ୟାମଲାଲଙ୍କୁ କହିବାକୁ ନ ଦେଇ ମଝିରେ କହିଲା, ‘‘ଛି, କି କାଳ କଥା ତୁଣ୍ଡରେ ଧରୁଛ ମ ?’’

 

ଶ୍ୟାମଲାଲ କିଛି ନ ମାନି ପୁଣି କହିଲେ–‘‘ମୁଁ ସେସବୁ ଜାଣେନା । ତମେ ଯଦି ମୋ କଥା ନ ରଖିବ ତ ମୋ ମଲାମୁହଁ ଦେଖିବ ।’’ ଏତିକି କହି ଶ୍ୟାମଲାଲ ଉଠିପଡ଼ି ଡାକ୍ତର ଡାକିବାକୁ ଚାଲିଗଲେ ।

 

ସାରାଦିନ ରାମ ନଦୀ କୂଳେ କୂଳେ ବୁଲୁଥିଲା । ଭାଉଜକୁ ଖୁବ୍‌ ଜୋରରେ ଆଘାତ ଲାଗିଥିବ । ସେ ଖୁବ୍‌ କଷ୍ଟ ପାଉଥିବ । ଏସବୁ ହେଲା ତା’ରି ଯୋଗୁ.....ଏକଥା ଭାବି ଭାବି ସେ ପାଗଳ ପରି ହେଉଥାଏ । କେତେବେଳେ ଭାବେ ଯେଉଁ ହାତରେ ସେ ଭାଉଜକୁ ପିଜୁଳି ଫୋପାଡ଼ିଛି, ସେଇ ହାତକୁ କାଟି ପକାଇଲେ ତ ଯାନ୍ତା ! ଅତି ବିଚିତ୍ର ଧରଣର କଳ୍ପନା ତା’ ମୁଣ୍ଡକୁ ଛୁଏଁ । ଲକ୍ଷ୍ୟହୀନ ଭାବରେ ବୁଲୁ ବୁଲୁ ସନ୍ଧ୍ୟା ହୋଇଗଲା । ଭାଉଜ ଚିନ୍ତା ଭିତରେ ତାକୁ ଭୋକ ଲାଗି ନାହିଁ କି ସେ କିଛି ଖାଇ ବି ନାହିଁ । ସନ୍ଧ୍ୟା ହେଲା । ଆସ୍ତେ ଆସ୍ତେ ରାତି ହବାକୁ ବସିଲା । ସେ ଘରକୁ ଗଲା ନାହିଁ ।

 

ଅନେକ ରାତିରେ ସେ ଯେତେବେଳେ ଘରକୁ ଫେରିଲା, ଅଗଣାରେ ପଶିବାମାତ୍ରେ ଘରର ଅନେକ କିଛି ପରିବର୍ତ୍ତନ ହୋଇଥିବା ସେ ଦେଖିଲା । ଅନ୍ଧାରରେ ଯାହା ଅସ୍ପଷ୍ଟ ଦେଖା ଯାଉଥିଲା, ପାଖରେ ତାହା ସ୍ପଷ୍ଟ ଦେଖାଗଲା । ସେ ଦେଖିଲା ବାଉଁଶ ବତା ଜରିଆରେ ଅଗଣା ମଝିରେ ବାଡ଼ ଦିଆହୋଇ ଖଞ୍ଜାକୁ ଦୁଇ ଭାଗରେ ବିଭକ୍ତ କରାଯାଇଚି । ରାମ ଭଲ ଭାବରେ ହଲେଇ ଦେଖିଲା ଯେ, ବାଡ଼ ବେଶ ମଜବୁତ ହେଇ ଦିଆଯାଇଛି । ଯାହାକି ତା ପକ୍ଷେ ବି ଭାଙ୍ଗିବା ସମ୍ଭବ ନୁହେଁ । ଅଗଣାରୁ ସେ ରୋଷେଇଘରକୁ ଆସିଲା । ସେ ଘରେ ଗୋଟିଏ ଡିବି ଜଳୁଛି । ବାହାରେ ଛିଡ଼ାହେଇ ସେ ଉଙ୍କିମାରି ଭିତରକୁ ଅନେଇଲା; କିନ୍ତୁ କାହାକୁ ହେଲେ ଦେଖିବାକୁ ପାଇଲାନି । ତା’ପରେ ସେ ଘରେ ଗୁଡ଼ାଏ କଂସା ପିତ୍ତଳ ବାସନ ଜମା ହୋଇଥିବା ସେ ଦେଖିବାକୁ ପାଇଲା ।

 

କଂସାବାସନ ଗଦା, ଘରର ନୀରବତା ଆଉ ଅଗଣାର ବାଡ଼ରୁ ସେ କିଛି ବୁଝି ପାରିଲାନି । କିନ୍ତୁ ଏସବୁ ପରିବର୍ତ୍ତନ ସହିତ ସକାଳ ଘଟଣାର ଯେ ସମ୍ୱନ୍ଧ ରହିଛି, ଏକଥା ନେଇ ତାର କିଛି ସନ୍ଦେହ ରହିଲାନି । ସକାଳ ଘଟଣା ମନେ ପଡ଼ିବା ସାଙ୍ଗେ ସାଙ୍ଗେ ଭାଉଜ ଆଖିରେ ଆଘାତ ଲାଗିବା, ସେ ବେହୋସ ହେଇ ପଡ଼ିଯିବା ଦୃଶ୍ୟ ତା ଆଖି ଆଗରେ ଯେପରି ନାଚିଉଠିଲା-। ସେ ବିବ୍ରତ ହୋଇ ନିଜ ଶୋଇବା ଘରକୁ ଆସିଲା, ଆଉ ସେ ପାଖ ଘରକୁ କୌଣସି ପ୍ରକାର ଶବ୍ଦ ଶୁଣିବାକୁ ଚେଷ୍ଟା କଲା । ଏଇସବୁ ଚିନ୍ତା ଭିତରେ ତାକୁ ଭୋକ ବି ଲାଗୁ ନ ଥାଏ ।

 

ରାତି ସେତେ ବେଶି ହୋଇ ନ ଥାଏ । ଖୁବ୍‌ ହେଲେ ରାତି ନ’ଟା ହୋଇଥିବ । ଭୋକରେ ଛଟପଟ ହୋଇ ବାଧ୍ୟରେ ସେ ବାହାରକୁ ଆସିଲା ଏବଂ ସେପାଖ କବାଟରେ ଆଘାତ କଲା । ନୃତ୍ୟକାଳୀ ଆସି କବାଟ ଖୋଲିଦେଇ ଦୂରେଇ ଛିଡ଼ା ହେଲା ।

 

‘ଭାଉଜ କାହିଁ ନିତ୍ୟା ?’ ରାମ ତାକୁ ଦେଖିବାମାତ୍ରେ ପଚାରିଲା ।

 

‘ଘରେ ଶୋଇଛି ।’

 

ରାମ ଭାଉଜ ଘରକୁ ପଶିଆସି ଦେଖିଲା ଭାଉଜ ଖଟ ଉପରେ ଚୁପ୍‌ଚାପ୍‌ ଚାଦର ଘୋଡ଼ିହୋଇ ଶୋଇଛି । ତଳେ ସପ ବିଛେଇ ଦିଗମ୍ୱରୀ ଝୁଅ ସୁରଧୂନିକୁ ନେଇ ବସିଛି । ସେଇ ଘରେ ଗୋବିନ୍ଦ ବି ଖେଳୁଥିଲା ।

 

ଗୋବିନ୍ଦ ରାମ ଭିତରେ ଖୁବ୍‌ ସ୍ନେହ ଥିଲା । ଗୋବିନ୍ଦ ଦାଦାକୁ ଦେଖିବାମାତ୍ରେ ଖେଳ ଛାଡ଼ି ଦାଦା ପାଖକୁ ଦଉଡ଼ିଆସିଲା । ରାମର ହାତ ଦି’ଟା ଧରିପକାଇ ପିଲାଙ୍କ ପରି ଝୁଲୁ ଝୁଲୁ କହିଲା, ‘ଦାଦା, ତମ ଘର ଯେ ପାଖରେ । ଏ ପାଖରେ ଆମ ଘର । ବାପା କହିଛନ୍ତି ତମେ ଏ ପାଖକୁ ଆସିବ ତ ତମ ଗୋଡ଼ ଛୋଟା କରିଦେବେ ।’

 

ରାମ ଗୋବିନ୍ଦ କଥାର କୌଣସି ଉତ୍ତର ଦେଲାନି । ସେଇସବୁ କଥା ଭାବି ଭାବି ଆସି ନାରାୟଣୀ ବିଛଣା ଉପରେ ତା’ ଗୋଡ଼ତଳେ ବସିଲା । ସେ ବସିବାମାତ୍ରେ ନାରାୟଣୀ ଗୋଡ଼ ଜାକିନେଇ ଅନ୍ୟ ପାଖ କର ମାଡ଼ି ଶୋଇଲା । ତେବେ ବି ରାମ କିଛି ନ କହି ବଷଣ୍ଣ ମନରେ ଚୁପ୍‌ଚାପ୍‌ ବସି ରହିଲା । କିନ୍ତୁ ଏଠାରେ ରାମର ଉପସ୍ଥିତ ଦିଗମ୍ୱରୀ ସତ୍ୟ କରିପାରୁ ନ ଥାଏ । ସେ ନିଜ ସାନ ଝିଅ ସୁରଧୂନିକି କହିଲା, ‘‘ସୁର, ମା’ କହିଦେ ଭାଇ ଯାହା କହିଛନ୍ତି ।’’

 

ସୁରଧୂନି ପିଲାଳିଆ କଣ୍ଠରେ କହିଲା, ‘‘ଭାଇ କହିଛନ୍ତି, ତମେ ଏଠିକି ଆସିବନି–କାଲି ସକାଳେ....

 

‘‘ଜମିବାଡ଼ି ଟଙ୍କାକଉଡ଼ି ବଣ୍ଟାବଣ୍ଟି ହୋଇଯିବ ।’’

 

‘‘ହଁ, କାଲି ସକାଳେ ପଞ୍ଚାୟତ ଡାକି ଭାଇ ସବୁ ବାଣ୍ଟିଦେବେ ।’’

 

‘‘ରାଣ ପକାଇବା କଥା କହ, ଏତିକିରେ ଭୁଲିଗଲୁ ?’’ ସୁରଧୂନିକୁ ଦିଗମ୍ୱରୀ ମନେ ପକେଇଦେଲା ।

 

ସୁରଧୂନି ପୁଣି କହିଲା–‘‘ଭାଇ ଦେଈକି ରାଣ ଦେଇଛନ୍ତି–ସେ ତମକୁ କଥା କହିବନି କି ଖାଇବାକୁ ଦବନି । ଆଉ କହିଛନ୍ତି ।’’

 

ନାରାୟଣୀକୁ ସୁରଧୂନିର ଏସବୁ କଥା ଭଲ ଲାଗୁ ନ ଥାଏ । ସେ ମଝିରେ ବିରକ୍ତ ହୋଇ କହିଲା–‘‘ହଁ, ହେଲାଣି ଥାଉ ।’’

 

ସୁରଧୂନି ଧମକ ପାଇ ଚୁପ୍‌ ହୋଇଗଲା; କିନ୍ତୁ ଦିଗମ୍ୱରୀ କୋଉଠି ଚୁପ୍‌ ହେଉଚି । ରାମ ଉଦ୍ଦେଶ୍ୟରେ କହିଲା, ‘‘ସେ ମନ୍ଦ କହି ନାହାନ୍ତି ପୁଅ ! ତୁ ମଣିଷକୁ ଦରମରା କରିଦେବୁ, ସେ ଚୁପ୍‌ ରହନ୍ତେ କିମିତି ? ଶେଷରେ ରାଣ ପକେଇବା ଛଡ଼ା ଉପାୟ କ’ଣ ଥିଲା ? ପୁରୁଷ ପୁଅ ସେ-। ମୁଁ ତ ତାକୁ ଦୋଷ ଦେଇ ପାରିବିନି । ଏସବୁ ଘଟିବା ପରେ ତୋର ଏ ଘରେ ଚଳପ୍ରଚଳ କିଏ ବରଦାସ୍ତ କରିବ ? ତୁ ଇଚ୍ଛା କଲେ କେତେବେଳେ ମଣିଷକୁ ମାରି ବି ଦେଇପାରୁ । ତା’ଛଡ଼ା ନାରାୟଣୀକି ତା’ ସ୍ୱାମୀ ରାଣ ତ କୌଣସି ମତେ ମାନିବାକୁ ହେବ ।’’

 

ଏତିକିବେଳେ ସୁରଧୂନୀ ନିଜ ବୋଉକୁ କହିଲା, ‘‘ବୋଉ ଚାଲ ଖାଇବାକୁ ଦବୁ, ଭୋକ ଲାଗିଲାଣି ।’’

 

ସୁରଧୂନି କଥା ମଝିରେ କଥା କହିବାରୁ ଦିଗମ୍ୱରୀ ପାଟିକରି କହିଲା, ‘‘ରହଲୋ ଟୋକି, ଖାଇବାପାଇଁ କଣ ହଉଚୁ ?’’

 

ରାମ ପଥର ଭଳି ବସି ସବୁ କଥା ଶୁଣୁଥାଏ । ଏତେବେଳେ ଘରେ ନିଆଁ ଲାଗିଗଲେ ବି ସେ ଉଠି ପାରିବନି । ବୋଧହୁଏ ଉଠିବାର ସମସ୍ତ ଶକ୍ତି ତାର ଲୋପ ପାଇଥିଲା । ତା’ ହୃଦୟର ଗୋଟିଏ ପାଖ ଯେମିତି ଦୁଃଖରେ ଭାଙ୍ଗି ପଡ଼ୁଥାଏ । ଅନ୍ୟ ଏକ ପାଖ ଦିଗମ୍ୱରୀର କ୍ଷୁରଧାର କଥାରେ ସେମିତି କରତି ହେଇଯାଉଥାଏ । ଏ ମାନ ଅଭିମାନ ମଝିରେ ସେ ଟିକେ କାନ୍ଦି ପାରିଲାନି । କି ତା’ ଆଖି କୋଣରୁ ଟୋପାଏ ହେଲେ ଲୁହ ବି ଝରିଲାନି ! ନିଜ ଭାଉଜର ପଣତତଳେ ମୁହଁ ଲୁଚେଇ ସେ ଏତିକି ହେଲେ କହି ପାରିଲାନି ‘‘ଭାଉଜ, ଆଉ କେବେ କରିବିନି-।’’ କିଛି କହିବା ଦୂରେ ଥାଉ, ତା’ ପାଟି ମୋଟେ ଫିଟିଲାନି । କିନ୍ତୁ ଏଇ ଟିକକ କଥା ଅନେକ ସମୟରେ ତାକୁ ବିପଦରୁ ରକ୍ଷା କରିଛି । ଆଜି ଏ ବିପଦବେଳେ କିନ୍ତୁ ସେ ତାହା ନାରାୟଣୀକୁ କହିପାରିଲା ନି । ସେ କଥା କହିଲାବେଳକୁ ତାର ଯେପରି କଣ୍ଠରୋଧ ହେଇ ଆସୁଥିଲା ।

 

ରାମକୁ ଚୁପ୍‌ଚାପ୍‌ ବସି ରହିବା ଦେଖି ନାରାୟଣୀ ସୁରଧୂନିକି କହିଲା–‘‘ତାକୁ କହ ଚାଲିଯିବ ସୁର ।’’

 

ଏଥରକ ରାମ ଅନ୍ତରର କୋହକୁ ଚାପି କହିଲା, ‘‘ହଁ, ଯିବାକୁ କହିଦେ–ଯେମିତି ମତେ ଭୋକ ଲାଗୁନି......ଯାଇଁ ସେଇ ସକାଳେ ତ ଖାଇଥେଲି..... ।’’

 

ନାରାୟଣୀ ଉତ୍ତେଜିତ ହୋଇ କହିଲା–‘‘ଜୀବନରେ ମାରିଦେଲୁନୁ ଏକେବାରେ, ତା’ପରେ ପେଟ ଭର୍ତ୍ତି ଖାଇଥାନ୍ତୁ । ମୁଁ କିଛି ଜାଣେନା–ନିତ୍ୟା ପାଖକୁ ଯା–’’

 

‘‘ନା, ମୁଁ ନିତ୍ୟା ପାଖକୁ ଯିବିନି–କାହା ପାଖକୁ ବି ଯିବିନି । ଉପାସରେ ସେମିତି ଶୋଇବି ।’’ ଏତିକି କହି ରାମ ରାଗରେ ଦୁଲ୍‌ ଦୁଲ୍‌ ହୋଇ ଭାଗ ହେଇଥିବା ନିଜ ବଖରାଟିକୁ ଚାଲିଆସିଲା । ତଳେ ପଡ଼ିଥିବା ମସିଣାଟାରେ ଲମ୍ୱ ହୋଇ ଶୋଇଗଲା ।

 

କିଛି ସମୟ ପରେ ନୃତ୍ୟକାଳୀ କିଛି ଖାଇବା ଜିନିଷ ଧରି ରାମ ପାଖକୁ ଆସିଲା । ରାମ ଦି’ ହାତରେ ମୁହଁ ଢାଙ୍କି ଶୋଇଥିଲା । ନିତ୍ୟା ଥାଳି ଥୋଇଦେଇ ଡାକିଲା–‘‘ସାନବାବୁ, ଉଠ ଖାଇବ ।’’

 

ତା’ କଣ୍ଠସ୍ୱର ଶୁଣିବାମାତ୍ରେ ସେ ଧଡ଼ପଡ଼ ହୋଇ ଉଠି ବସିଲା । ଲାଲ ଲାଲ ଆଖିରେ କହିଲା, ‘‘ତୁ କାହିଁକି ଏଠିକି ଆସିଲୁ; ଯା ମୋ’ ଆଗରୁ । ମୁଁ ତୋ ମୁହଁ ଦେଖିବାକୁ ଚାହେନା । ପଳା ମୋ ଘରୁ ତୋ ଜିନିଷ ମୁଁ ଖାଇବିନି–ଉଠା ଉଠୁ କହୁଚି ।’’ କହି ରାମ ନିତ୍ୟା ଆଡ଼କୁ ଥାଳି ଠେଲିଦେଲା ।

 

ନିତ୍ୟା କିଛି ନ ଶୁଣି ଥାଳି ରଖିଦେଇ ଚାଲିଗଲା । ରାମ ସେସବୁ ଉଠେଇ ଫୋପାଡ଼ିଦେଲା ଦୁଆରକୁ । ନିସ୍ତବ୍‌ଧ ରାତ୍ରିରେ କମ୍ପନ ସୃଷ୍ଟି କରି ବାସନ କେଇଟି ଗଡ଼ିଗଲା ଅଗଣାରେ ।

 

ସକାଳେ ଶ୍ୟାମଲାଲ କଚେରୀ ଚାଲିଯିବା ପରେ ରାମ ନିଜ ପଟ ଅଗଣାରେ ଛିଡ଼ା ହୋଇ ଟହଲୁଥାଏ, ଆଉ କହୁଥାଏ–‘‘ମୁଁ ରାଣ ଫାଣ ମାନେନା–ଭାରି ତ ରାଣ ଦେବାବାଲା । ରାଣ ପକାଇବାକୁ ସେ କିଏ ? ସେ କ’ଣ ମୋ ନିଜ ଭାଇ ? ମୋର ସେ କେହି ନୁହେଁ–ମୁଁ ତା’ କଥା ମାନିବି କାହିଁକି ? ମୁଁ ତ ଭାଉଜକୁ ମାରିନି–ମାରିଚି ସେ ଡାହାଣୀ ବୁଢ଼ିକି ? ଯିଏ କି ଆମର ସବୁ ଖାଇ ଧ୍ୱଂସ କରିବାକୁ ଆସିଚି । ଭାଉଜକୁ ସିନା ଦୈବାତ୍‌ ଲାଗିଗଲା । ଏଥିରେ କିଏ କାହିଁକି ରାଣ ପକେଇବ ?’’

 

ଏପାଖ ଘରେ ସମସ୍ତେ ରାମ କଥା ଶୁଣୁଥାନ୍ତି; କିନ୍ତୁ କେହି କିଛି କହୁ ନ ଥାନ୍ତି । କିଛି ସମୟ ରହି ରାମ ପୁଣି ଆରମ୍ଭ କଲା–‘‘ବେଶ୍‌ ଭଲ କଥା ! କଥା ନ କୁହ, ଖାଇବାକୁ ନ ଦିଅ ! ମୁଁ ବି କାହାକୁ ଖାଇବାକୁ ମାଗୁନି । ବଡ଼ ମଜାରେ ଡାଲି, ତରକାରୀ, ଭାତ, ଭଲ ଭଲ ଜିନିଷ ରାନ୍ଧିବି-। ମନ ଖୁସିରେ ପେଟ ଭର୍ତ୍ତିକରି ଖାଇବି । ଯଦି ମୋ ପାଇଁ କାହାରି ଚିନ୍ତା ଦକ ନାହିଁ, ମୁଁ ବି କାହିଁକି କାହା କଥା ଭାବିବି ? ମୁଁ ବି ଆଜିଠୁ କାହାକୁ କିଛି କହିବିନି କି କିଛି ଖାଇବାକୁ ମାଗିବି ନି–ଏଥିରେ ମୋର କି କ୍ଷତିଟା ହୋଇଯାଉଛି କି ?’’

 

ଏସବୁ କହିସାରି ଉତ୍ତର ପାଇବା ଆଶାରେ ରାମ ଟିକିଏ ଅପେକ୍ଷା କଲା; କିନ୍ତୁ ସେପଟୁ କୌଣସି ଉତ୍ତର ନ ଆସିବାରୁ ରାମ ଭୋଳାକୁ ଡାକିଲା, ‘‘ଭୋଳାରେ, ଆରେ ଭୋଳା, ଏଠିକି ଆ-।’’

 

‘‘ସାନବାବୁ ମୁଁ ହାଜର ।’’ ରାମ ପାଟି ଶୁଣିବା ମାତ୍ରେ ଭୋଳା ସବୁ କାମଦାମ ଛାଡ଼ି ରାମ ପାଖକୁ ଛୁଟି ଆସିଲା । ରାମ କହିଲା, ‘‘ଦେଖ ଭୋଳା ! ଆଜିଠୁ ତୁ ମୋ ଚାକର । ସେ ଘରେ ଗୋଡ଼ ଦବୁନି । ଆଉ ଦେଖ, ମୋ ବିନା ଅନୁମତିରେ ଏ ଘରେ ଯେପରି କେହି ପାଦ ନ ଦିଏ । ଯଦି କେହି ନ ମାନି ପଶି ଆସିବ, ତା’ ଗୋଡ଼ ଭାଙ୍ଗିଦବୁ । ବୁଝିଲୁ ନା । ହଁ, ନିତ୍ୟା ବି ଯେମିତି ଏଆଡ଼େ ନ ଆସେ । ସେ ସେଘରର ଚାକରାଣୀ । ମନେ ରହିଲା ? ଆଚ୍ଛା ମୋ ସାଙ୍ଗେ ଆ, ଆମେ ବଢ଼ିଆ ବଢ଼ିଆ ଜିନିଷ ରାନ୍ଧି ମଜାରେ ଖାଇବା ।’’

 

ଏତିକି କହି ରାମ ଭୋଳାକୁ ନେଇ ରୋଷେଇଘରକୁ ଆସିଲା । କଂସାବାସନ ଝଣ ଝଣ କରି ବେଶ୍‌ ଆଡ଼ମ୍ୱର ସହକାରେ ରନ୍ଧାରନ୍ଧିର ଆୟୋଜନ କଲା । ଆଗେ ଭଲ ଭାବରେ ଚାଉଳ ଧୋଇ ଆଣିବାକୁ ଭେଳାକୁ କହିଲା । ଭୋଳା ଚାଉଳ ନେଇ ବାହାରକୁ ଗଲା ।

 

ନାରାୟଣୀ ନିଜ ପଟର ରୋଷେଇଘର ବାରଣ୍ଡାରେ ବସି ଏସବୁ କଥା ଶୁଣୁଥିଲା । କିନ୍ତୁ ଦିଗମ୍ୱରୀକୁ ଶାନ୍ତି କୋଉଠି ମିଳୁଛି । ସେ ଏପଟରୁ କବାଟ ଫାଙ୍କରେ ଉଙ୍କିମାରି କୌତୁହଳ ସହକାରେ ରାମର ସବୁ କଥା ମନଯୋଗ ଦେଇ ଶୁଣୁଥିଲା । କିଛି ସମୟ ପରେ ସେ ନାରାୟଣୀ ପାଖକୁ ଆସି ହସ ଚାପି ଚୁପ୍‌କିନା କହିଲା, ‘‘ଦେଖୁଚୁ ନାରାୟଣୀ, ବାବୁମାନେ ବଢ଼ିଆ ବଢ଼ିଆ ଜିନିଷ ରାନ୍ଦି ଖାଇବେ, ବୁଦ୍ଧିକି ଦେଖ । ଗୋଟାଏ ବଡ଼ ପିତଳ ଡେକ୍‌ଚିରେ ଚାଉଳ ଭର୍ତ୍ତି ହୋଇ ଚୁଲିରେ ବସିଚି । ପାଣିବି ଟିକିଏ ନାହିଁ । ଚାଉଳ ଧୋଇଦେଇ ସେମିତି ଅଜାଡ଼ି ଦେଇଚି । ଦେଖୁଚୁ କେମିତି ବଢ଼ିଆ ଜିନିଷ ରନ୍ଧା ହେଉଛି ? ଡେକ୍‌ଚିରେ ଏତେ ଚାଉଳ କିଏ ପକାଏ ! ପୁଣି ଟୋପାଏ ହେଲେ ପାଣି ନାହିଁ–ସେ ଭାତ ହବ ନା ପୋଡ଼ିପାଡ଼ି ଅଙ୍ଗାର ହୋଇଯିବ ମ ! ପୁଣି ଖାଇବେ ମୋଟରୁ ଦି’ ଜଣ । ଭାତ ରନ୍ଧା ଯାଉଛି ସାଇ ଗୋଟାକ ପାଇଁ । ଦିମାକ ଦେଖ । ଆଜିକି ପଚାଶ ବର୍ଷକି ବେଶି ହେଲାଣି ରୋଷେଇ କରୁ କରୁ କେବେ ଭୁଲରେ ମୋ ତୁଣ୍ଡ ଧରି ନ ଥିବ କି ମତେ ଏମିତି ରନ୍ଧା ସେମିତି ରନ୍ଧା ଆସେ ବୋଲି । ମୁଁ ଯଦି ଭାତ ରାନ୍ଧି ବସିବି ତ ଖାଇବା ଲୋକ ଗୋଟି ଗୋଟି କରି ନଖ ଅଗରେ ଗଣିଦବ । ଆଉ ରାନ୍ଧିଲାବେଳେ ଏମିତି ମାପି ପାଣି ଦେଇଥିବି ଯେ, ଥରକରୁ ଦି’ଥର ବି ହବନି ! ମୋ ସାଙ୍ଗରେ କେହି ଜିଦ୍‌ ମାରି ରାନ୍ଧୁ ତ ଦେଖିବ ମୋ ରନ୍ଧା ପସନ୍ଦ ନ ହବତ ମୋ ନାଁ ଧରିବ ନି ।’’

 

ଦିଗମ୍ୱରୀର ଆତ୍ମପ୍ରଶଂସା ଶୁଣି ନାରାୟଣୀ ମୁହଁ ମୋଡ଼ିଦେଲା । ତା’ ପରେ ଅନ୍ୟ ଆଡ଼କୁ ମୁହଁ ବୁଲେଇ ବସିଲା । କିନ୍ତୁ ନୃତ୍ୟକାଳୀ ତ ଛାଡ଼ିବା ସ୍ତ୍ରୀ ନୁହଁ । ସେ ପାଖରେ ଥାଇ ସବୁ ଶୁଣୁଥିଲା । ତା’ ଛଡ଼ା ଦିଗମ୍ୱରୀ ଏଣୁ ତେଣୁ ଗପିବ, ସେଥିରେ ନିତ୍ୟା ଚୁପ ରହିବ ? କହିବାକୁ ତା’ ଜିଭ ସଲସଲ ହେଉଥାଏ । ସମ୍ଭାଳି ନ ପାରି ଶୁଣେଇଦେଲା–‘‘ଭଲ କଥା କହିଲ ବଡ଼ମା’ ! ନିଜ ସାଙ୍ଗରେ କାଲିକା ଦୁଧଖିଆ ଛୁଆକୁ ସରି କରୁଚ ? ଆଜିଯାକେ ଯିଏ ନିଜ ହାତରେ ପାଣି ମୁନ୍ଦିଏ କାଢ଼ି ପିଇନି, ସେ ଆଜି ନିଜ ହାତରେ ରୋଷାଇ କରି ଖାଇବ ?’’

 

ନୃତ୍ୟକାଳୀ ଏ ଘରର ସବୁଠୁ ପୁରୁଣା ଚାକରାଣୀ । ସେ ରାମର ମା’ ଅମଳରୁ ଏ ଘରେ କାମ କରି ଆସୁଚି । ନାରାୟଣୀ ଟିକି ବୋହୂ ସାଜି ତା’ରି ଆଗରେ ଏ ଘରକୁ ଆସିଚି । ନାରାୟଣୀକି ଯେମିତି ରାମକୁ ବି ସେମିତି ସେ ସ୍ନେହ କରେ । ଦିଗମ୍ୱରୀ ରାମ ସାଙ୍ଗରେ ଲାଗି ଲାଗି ଶେଷରେ ତାକୁ ଯେପରି ଭାବରେ ଭାଇ ପାଖରୁ ଅଲଗା କରିଦେଲା, ନୃତ୍ୟକାଳୀ ଏସବୁ ପସନ୍ଦ କରିନି । ସେଇଦିନୁ ସେ ଓର ଉଣ୍ଡୁଥିଲା । ଆଜି ମୁହେଁ ମୁହେଁ ଶୁଣେଇ ଦେଲା ।

 

ନିଜ ମା’ ଦେଖାଦେଖି ସୁରଧୂନି ବି ମଝିରେ ମଝିରେ କବାଟ ଆଢ଼ୁଆଳରେ ରାମ ପାଖ ଘରର ସବୁ ହାଲଚାଲ ଦେଖେ । ପ୍ରାୟ ଘଣ୍ଟାଏ କାଳ ଉଙ୍କିମାରି କୌତୁହଳରେ ନିଜ ଭଉଣୀ ପାଖକୁ ଦଉଡ଼ି ଆସି କହିଲା, ‘‘ଦେଈ, ଦେଈମ ! ଆ ଦେଖିବୁ ଆ, ରାମ ଭାଇ ଏକବାରେ ଦରଫୁଟା ଚାଉଳ ଖାଉଛନ୍ତି । ନଗେଇ ଖାଇବାକୁ ବି କିଛି ନାହିଁ । ଖାଲି ଭାତ ଖାଉଛନ୍ତି । ଦରଫୁଟା ଭାତ ଖାଇଲେ ରାମ ଭାଇ ପେଟ କଣ ହେବନି ?’’

 

ସୁରଧୂନି କଥା ଶୁଣି ନାରାୟଣୀ ହୃଦୟ ଦୁଃଖରେ ଫାଟିପଡ଼ିଲା; କିନ୍ତୁ କାନ୍ଦି ପାରିଲାନି । ସେ ସୁରଧୂନିଠୁ ହାତ ଛଡ଼େଇ ନେଇ ନିଜ ଶୋଇବା ଘରକୁ ଉଠିଆସି ବିଛଣାରେ ଲୋଟିଗଲା । ଦୁଃଖରେ ତା’ ଛାତି ଫାଟି ପଡ଼ୁଥାଏ । ତାର ଖାଲି ମନେ ପଡ଼ୁଥାଏ ରାମ ତା’ରି ପେଟରୁ ଯେମିତି ଜନ୍ମ–ସେ ଆଜି ଭୋକ ବିକଳରେ ଦରଫୁଟା ଚାଉଳ ଖାଇଯାଉଛି ତା’ ଆଗରେ । ସେ ବା କ’ଣ କରିପାରେ ? ଏଇପରି ନାନାପ୍ରକାର ମାନସିକ ଦୁଶ୍ଚିନ୍ତାରେ ସେ ଘାରି ବିଛଣାରେ ଛଟପଟ ହେଉଥାଏ ।

 

ଦି’ପହରେ ଶ୍ୟାମଲାଲ ଖାଇସାରି ଚାଲିଯିବା ପରେ ଦିଗମ୍ୱରୀ ନାରାୟଣୀ ପାଖକୁ ଆସି କହିଲା–‘‘ନାରାୟଣୀ ! ଚାଲ ମା’ଟା ପରା, ଯା’ ଇଚ୍ଛା ଦି’ଟା ଖାଇଦେ । ମାଡ଼ କୋପରେ ଦିହଟା ତାତିଥିବ । ଦି’ଟା ଖାଇଦେଲେ କିଛି ଖରାପ ହବନି । ଆ, ଉଠିଆ, ମା’ଟା ପରା !’’

 

ନାରାୟଣୀ ଗୋଡ଼ତଳ ଚଦରଟା ଦିହ ଉପରକୁ ଟାଣି ଆଣି ଭଲ ଭାବରେ ଘୋଡ଼ିଘାଡ଼ି ହୋଇ ଶୋଇଲା । କହିଲା–‘‘ବୋଉ, ମତେ ବିରକ୍ତ କରନା–ମୁଁ ଟିକିଏ ଶୁଏ......’’

 

‘‘ଆଚ୍ଛା ଭାତ ନ ଖାଇଲେ ନାହିଁ । ଦି’ପଟ ରୁଟି କରି ଦେଉଚି, ଆ ଖାଇଦବୁ ।

 

‘‘ନା, ମୁଁ କିଛି ଖାଇବିନି ।’’

 

‘‘କ’ଣ କହୁଚୁ ? କାଲିଠୁ କିଛି ଖାଇନୁ । ଏମିତି ଉପାସ ଭୋକରେ କେଇଦିନ ରହିବୁ ? ଆ, ଦି’ଖଣ୍ଡ ରୁଟି ଖାଇଦେବୁ, ମା’ଟା ପରା ।’’

 

ନାରାୟଣୀ ଦିଗମ୍ୱରୀ କଥାର କୌଣସି ଉତ୍ତର ନ ଦେଇ ନୀରବରେ ପଡ଼ି ରହିଲା ବିଛଣାରେ । ନୃତ୍ୟକାଳୀ ବାହାରେ ଛିଡ଼ା ହୋଇ ଦିଗମ୍ୱରୀର ଏ ପ୍ରକାର ଉପର ଠାଉରିଆ ଭାବ ଲକ୍ଷ୍ୟ କରୁଥିଲା । ନାରାୟଣୀ ନୀରବ ରହିବାରୁ ସେ କହିଲା, ‘‘ବଡ଼ମା’, ତୁମେ ତୁଚ୍ଛାଟାରେ ବକ ବକ ହେଉଛ । ସେଠି ଛିଡ଼ା ହୋଇ ଦିନସାରା ଆଉ ରାତିସାରା ପାଟିତୁଣ୍ଡ କଲେ ବି ତମେ ତାଙ୍କୁ ଖୋଇ ପାରିବନି । ମା’ ଦେହ ତାତିଛି–ଆରାମରେ ୨।୩ ଘଣ୍ଟା ଶୋଇପଡ଼ନ୍ତୁ, ଟିକିଏ ଦେହ ଉଶ୍ୱାସିଆ ଲାଗିବ ।’’

 

ଦିଗମ୍ୱରୀ ନିତ୍ୟା କଥାକୁ ପସନ୍ଦ କଲା ନାହିଁ । ସେ ଘର ଭିତରୁ ବାହାରି ଆସୁ ଆସୁ କହିଲା–‘‘ତମ କଥା ସବୁ ତମେ ବୁଝଲୋ ମା’ । ମୋ ମଗଜରେ ସେ ସବୁ ପଶୁନି । ହଁ, ମାଡ଼ କୋପରେ ସାମାନ୍ୟ ଜର ହୋଇଥିବ । ତା’ ବୋଲି କଣ ଏଇ ସାମାନ୍ୟ କଥାଟା ପାଇଁ ଉପାସ ଭୋକରେ ରହିବ ? ମତେ ଏସବୁ ଭଲ ଲାଗେନା ।’’

 

ସନ୍ଧ୍ୟାରେ ନାରାୟଣୀ ବାରଣ୍ଡାକୁ ଆସି ବସିଥିଲା । ଅଳ୍ପ ଦୂରରେ ନିତ୍ୟା ବସି ପରିବା କାଟୁଥିଲା । ରାମ ଘର ଆଡ଼େ ଅନେଇଲାବେଳେ ନିତ୍ୟା ଦୃଷ୍ଟି ସହିତ ଯେତେବେଳେ ନାରାୟଣୀ ଦୃଷ୍ଟି ମିଶିଯାଏ ତା’ ମୁହଁରୁ ବାହାରି ଆସୁଥିବା କଥା ମୁହଁରେ ରହିଯାଏ । ସେ କିଛି କହିପାରେ ନା । ନିତ୍ୟା ନାରାୟଣୀର ଅବସ୍ଥାକୁ ଭଲ ଭାବରେ ବୁଝି ସାରିଥିଲେ ବି ସେ କିଛି କହୁ ନ ଥାଏ ।

 

ରାମ ସ୍କୁଲରୁ ଆସିଲା । ଗୁଡ଼ିଆଣୀ ପାଖରୁ ମୁଢ଼ି ଅଣାକର କିଣି ଆଣିଥିଲା । ସ୍କୁଲରୁ ଫେରି ବସ୍ତାନୀକି ଏଣେ ତେଣେ ଫିଙ୍ଗିଦେଇ ଦି’ ପକେଟରେ ମୁଢ଼ୀ ଭର୍ତ୍ତିକରି ନିଜ ଅଂଶ ଅଗଣାରେ ପଦଚାରଣା କଲା । ସକାଳ ପରି ସେ ମଝିବାଡ଼ ପର୍ଯ୍ୟନ୍ତ ଆସି ଏପାଖ ଘର ଲୋକଙ୍କୁ ଶୁଣେଇ ଶୁଣେଇ କହିଲା, ‘‘ମତେ ଭିନେ କରିଦେଲେ ମୋର କି କ୍ଷତିଟା ହୋଇଗଲା କି ? ଭାତ ଖାଇ ସକାଳେ ସ୍କୁଲକୁ ଗଲି । ଅବିକା ଗରମ ମୁଢ଼ି ଖାଉଛି । କ’ଣ ପରବା ? ମୁଁ ତ ବଡ଼ ମଜାରେ ଖାଇବି, ପିଇବି ।’’

 

ରାମ ଭଲ ଭାବରେ ଜାଣେ ବାଡ଼ ସେ ପାଖରେ ସମସ୍ତେ ଅଛନ୍ତି; କିନ୍ତୁ ଏଥରକ ମଧ୍ୟ କେହି ତା’ କଥାର ଉତ୍ତର ଦେଲେ ନାହିଁ । ପୁଣି ଶୁଣେଇ ଶୁଣେଇ କହିଲା, ‘‘ଏ ପାଖେ ମୋ ଘର । ଆଗରୁ କହି ଦେଉଛି ଏ ପାଖକୁ ଯିଏ ଆସିବ,ତା’ ହାତ ଗୋଡ଼ ଛୋଟା କରିଦେବି । ନିତ୍ୟା ଆସିଲେ ତାକୁ ବି ଛାଡ଼ିବିନି ।’’

 

ହାତ ଗୋଡ଼ ଭାଙ୍ଗିବାର ଧମକ ସକାଳେ ଥରେ ଦେଇଥିଲା । ଏବେ ଆଉଥରେ ଦେଇ ବି କିଛି ଫଳ ହେଲାନି । ଏଣୁ ସେ ଧାରଣା କରିନେଲା ଯେ, ଏ ପ୍ରକାର ଡରାଣରେ ପ୍ରଭାବ କିଛି ପଡ଼ୁନି ।

 

ରୋଷେଇଘରେ ଡିବିରି ଲଗାଇ ରୋଷେଇର ଆୟୋଜନ କଲା । କିଛିକ୍ଷଣ ପରେ ରୋଷେଇଘରୁ ବାହାରି ଆସି ଅଗଣାରେ ଛିଡ଼ା ହୋଇ ପାଟି କଲା–‘‘ମୋ ପନିକି କାହିଁ, ମୁଁ ପରିବା କୋଉଥିରେ ବନେଇବି, ମୋ ଶିଳ କାହିଁ, ମସଲା କୋଉଥିରେ ବାଟିବି ?’’

 

ଟିକକ ପରେ ନୃତ୍ୟକାଳୀ କହିଲା–‘‘ମା’ କହିଲେ କାଲି ଆଡ଼କୁ ପନିକି ଶିଳ କିଣାହେଇ ଦିଆଯିବ ।’’

 

‘‘ମୁଁ କିଣା ଜିନିଷ ନେବି ନାହିଁ, ମୋର ଅବିକା ଦରକାର ।’’ କହି ଦୁଲ ଦୁଲ ହେଇ ସେ ରୋଷେଇ ଘରେ ପଶିଗଲା ।

 

ଟିକକ ପରେ ପୁଣି ଅଗଣାକୁ ଆସି ପାଟି କଲା–‘‘କାହିଁକି ମୋ ଗଣେଶକୁ ସେ ଧଇଲା-? କାହିଁକି ଏ ଡାହାଣୀ ମୋ ସାଙ୍ଗେ ଦାଉସାଧି ମତେ ଭିନେ କରେଇଲା । ମୁଁ ଭଲ କରିଛି ଆକୁ ଗାଳି ଦେଇଚି । ପୁଣି ଗାଳିଦେବି, ବରାବର ଗାଳିଦେବି । ଡାଆଣୀ ବୁଢ଼ୀ, କାଳୀମୁହୀଁ, ଆମର ସବୁ ଖାଇ ଆମ ଭିତରେ କଜିଆ ନଗେଇବାକୁ ଆସିଚି । ଡାଆଣୀ ବୁଢ଼ୀ ଜଲ୍‌ଦି ମରୁ, ଆର ଜନ୍ମରେ ଭୂତ ହଉ ।’’

 

ଦିଗମ୍ୱରୀ ନିଜର ବର୍ଣ୍ଣନାତକ ଶୁଣି ରାଗି ନିଆଁ ହେଇଗଲା । ସେଇଠୁ ତମତମ ହେଇ କହିଲା, ‘‘ଶୁଣୁଚୁ ନାରାୟଣୀ ! କଣ୍ଟାବାଡ଼ରେ ଲୁଗା ପକେଇ କଜିଆ କରିବା କଥା ଏ ନୁହଁ ? ନିଉଁଛୁଣା ଟୋକା ମତେ ଢାଆଣୀ କହୁଚି ।’’

 

ନାରାୟଣୀ ଏ କଥା ଶୁଣି ବି ଶୁଣିଲାନି । ସେ ବଗିଚା ଆଡ଼କୁ ମୁହଁ ବୁଲେଇ ଅନ୍ୟମନସ୍କ ରହିବାକୁ ଚେଷ୍ଟା କଲା ।

 

ତା’ ପରଦିନ ସକାଳୁ ରାମର ସ୍ୱଭାବ ଏକାବାରେ ବଦଳିଗଲା । ସେ ଆଉ ପାଟିକରି ସେ ପାଖ ଲୋକଙ୍କୁ ଶୁଣାଇବା ଉଦ୍ଦେଶ୍ୟରେ କିଛି କହିଲାନି । ତା’ ନୀରବତାରୁ ଜଣାଯାଉଥିଲା, ଯେପରି ସେ ଖୁବ୍‌ ଭୟ ପାଇଯାଇଛି । ଭିନେ ହବାର ପୂରା ଦି’ଦିନ ହେଇଗଲାଣି । ତେବେ ବି ଭାଉଜ ତାକୁ ଡାକିଲା ନାହିଁ କି ଖାଇବାକୁ ଦେଲା ନି । ଆଗପରି ଦୁଷ୍ଟାମୀ କଲେ ଯେପରି ଶାସନ କରେ, ଏଥରକ ତା’ବି କଲାନି । ତା’ଠୁ ଭାଉଜ ଦୂରେଇ ରହୁଥିବାରୁ ତାକୁ ଯେତେ ବାଧୁଛି ଦି’ପଦ କହି ବା ଦି’ ବେତ ମାରି ଶାସନ କରିଥିଲେ ଏତେ କଷ୍ଟ ହେଇ ନ ଥାନ୍ତା ତାକୁ । ତା’ ହୋସ ହେଲା ଦିନଠୁ ସେ ଭାଉଜଠୁ ଏପରି ବ୍ୟବହାର କେବେ ପାଇ ନ ଥିଲା ।

 

ବାରମ୍ୱାର ସେ ନିଜ ଦୋଷ କଥା ଗୁଣି ହେଉଥାଏ । ରୋଷେଇଘର ଦୁଆର ମୁହଁରେ ବସି ନିଜ ଦୋଷର ସଫେଇ ଦେଇ ଏଣୁତେଣୁ ଗପୁଥାଏ । ଥରେ କହିଲା, ‘‘ମୁଁ କ’ଣ ଭାଉଜକୁ ମାରୁଥିଲି, ବିଲେଇକି ମାରୁ ମାରୁ ଭାଉଜ ଦେହରେ ଲାଗିଗଲା ।’’ ଆଉ ଥରେ କହିଲା, ମୁଁ ତ ପିଜୁଳି ଛିଣ୍ଡେଇ ଆଡ଼େ ସାଡ଼େ ପକଉଥିଲି, ଦୈବାତ୍‌ ଭାଉଜ ଆସିଯିବାରୁ ତା ଦେହରେ ଲାଗିଗଲା-। ପୁଣି ଥରେ କହିଲା, ‘‘ମୁଁ କାହାକୁ ତ ଗାଳି ଦେଇନି । ହଁ, ଗୋବିନ୍ଦକୁ ଥରେ ଅଧେ ଗାଳି ଦେଇଚି-।’’ ଏହିପରି ବଙ୍କାସିଧା କଥା ଅନେକବେଳ ଯାକେ ଗପି ହେଲା । କିନ୍ତୁ ସବୁଦିନ ପରି ଆଜି ବି ସେପାଖରୁ କେହି ଉତ୍ତର ଦେଲେନି, ଯଦିଓ ସମସ୍ତେ ବାଡ଼ ସେପାଖେ ଥାଇ ସବୁ ଶୁଣୁଥାନ୍ତି ।

 

ସମସ୍ତଙ୍କୁ ଚୁପ୍‌ ଥିବା ଦେଖି ସେ ନିର୍ଲଜ ପରି ଅତି କଷ୍ଟରେ କହି ପକାଇଲା, ‘‘ଆଉ କେବେ କରିବି ନାହିଁ । କ୍ଷମା ମାଗୁଚି ।’’ ଏଥରକ ବି କୌଣସି ପ୍ରଭାବ ନ ପଡ଼ିବାରୁ ଅତି ଦୁଃଖରେ ସେ କାନ୍ଦି ପକେଇଲା । ମନେ ମନେ ସେ ଖାଲି ଭାବୁଥାଏ, କ’ଣ କଲେ ଭାଉଜ ଖୁସି ହେବ ! ସେ ଆଉ କୁଆଡ଼େ ବା ଯିବ, ଯଦି ଭାଉଜ ତାକୁ ପାଖରେ ପୂରେଇବନି । କୋଉଠି, କାହା ପାଖରେ ଯାଇଁ ସେ ରହିବ–ସେକଥା ଭାବିଲାବେଳକୁ ତାର ହୃତ୍‍କମ୍ପ ହେଉଥାଏ । ସେଇ ଚିନ୍ତାରେ ଆଜି ସେ ରୋଷେଇ କରିନି କି ସ୍କୁଲକୁ ବି ଯାଇନି । ଚୁପ୍‌ଚାପ୍‌ ବିଛଣାରେ ପଡ଼ି ଦୁନିଆସାରା କଥା ଭାବିଲା । ଶୋଇ ଶୋଇ ଦିନଟି ବିତେଇଦେଲା ।

 

ଏଣେ ନାରାୟଣୀ ମନରେ ବି ଶାନ୍ତି ନ ଥାଏ । ରାମକୁ ସେ ନିଜ ଜନ୍ମିତ ପୁଅଠାରୁ ବି ଅଧିକ କରି ଆସିଚି । ତା’ରି ଆଖି ଆଗରେ ପିଲାଟା ଖାଇବାକୁ ହଇରାଣ ହେବ, ତା’ ନାରାୟଣୀ ସହିବ କେମିତି ? ମନର ବ୍ୟଥା, ହୃଦୟର କୋହକୁ ଚାପିବାକୁ ଚେଷ୍ଟା କରି ଥରକୁ ଥର ସେ ବ୍ୟର୍ଥ ହେଇଚି । ଗୋପନରେ ଦିନରାତି କାନ୍ଦି କାନ୍ଦି ଦୁଃଖକୁ ଲାଘବ କରିବାକୁ ଚେଷ୍ଟା କରିଚି । କାଲି ରାତିରେ ତାକୁ ଜର ହେଇଯାଇଥିଲା । ତା’ଛଡ଼ା ଚିନ୍ତାର ଆଧିକ୍ୟ ହେତୁ ଖାଇବାକୁ ବି କିଛି ରୁଚୁ ନ ଥିଲା । ଆଜି ଦି’ପହରେ ଦିଗମ୍ୱରୀ କୌଣସି କଥା ନ ଶୁଣି ଗୋଟିଏ ତାଟିଆରେ ତାଟିଆଏ ଦୁଧ ନେଇ ପହଞ୍ଚିଲା । ଦୁଧତକ ପିଇଦେବାକୁ ସ୍ନେହରେ ନାରାୟଣୀକୁ କହିଲା, ‘‘ଉଠ ନାରାୟଣୀ ! ଏଇଟିକ ଦୁଧ ପିଇନେ । ନ ଖାଇ ନ ପିଇ କ’ଣ ଶୁଖି ଶୁଖି ମରିବୁ ? ଏ ଦୁଧତକ ତତେ ପିଇବାକୁ ହବ ।’’

 

ନାରାୟଣୀ ବୋଉ କଥାକୁ ଅମାନ୍ୟ କରିବାକୁ ସଂକୋଚ ବୋଧକଲା । ସେ ଅନିଚ୍ଛାସତ୍ତ୍ୱେ ବୋଉ ହାତରୁ ଦୁଧ ତାଟିଆଟା ନେଇ ଢୋକେ ଦି’ଢ଼ୋକ ପିଇଦେଇ ବାକୀତକ ଖଟତଳେ ରଖିଦେଲା । ତା’ପରେ କର ନେଉଟାଇ କାନ୍ଥଆଡ଼କୁ ମୁହଁ କରି ଶୋଇରହିଲା ।

 

ରାତି ପ୍ରାୟ ନ’ଟା ହେବ । ନୃତ୍ୟକାଳୀ ନାରାୟଣୀ ପାଖରେ ପହ୍ୟଞ୍ଚି ଖୁବ୍‌ ଧୀରେ ଧୀରେ କହିଲା, ‘‘ମା, ରାତି ଆସି ଏତେ ହେଲାଣି, ସାନବାବୁଙ୍କ ତ ଦେଖା ନାହିଁ । ସେପାଖ ଏକବାରେ ଶୂନ୍‌ଶାନ୍‌, ସାନବାବୁଙ୍କ ସୋରଶବ୍ଦକ ମିଳୁନି ।’’

 

ନାରାୟଣୀ ଅଧୈର୍ଯ୍ୟ ହେଇ ଖଟ ଉପରେ ଉଠି ବସିଲା । ତା’ପରେ ନିତ୍ୟା କାନ୍ଧରେ ହାତ ପକେଇ ତାକୁ ପାଖକୁ ଟାଣିଆଣି ବ୍ୟାକୁଳ ଭାବରେ କହିଲା, ‘‘ନିତ୍ୟା, ତୁ ଯା, ଦେଖିଆ, ସେ କୋଉଠି ଅଛି ଘରେ ଅଛି । ନା ନାହିଁ ।’’

 

ନୃତ୍ୟକାଳୀ ଆଖିପତା ଭିଜି ଆସୁଥିଲା । ସେ ନିଜ ଲୁଗାକାନିରେ ନାରାୟଣୀ ଆଖିରୁ ଲୁହ ପୋଛିଦେଇ କହିଲା, ‘‘ମା, ସାନବାବୁ ଖୁବ୍‌ ରାଗିଛନ୍ତି, ସେଇଥିପାଇଁ ସେ ପାଖକୁ ଯିବାକୁ ମୋର ସାହସ ହଉନି । ହଉ, ତମେ ବ୍ୟସ୍ତ ହୁଅନା, ମୁଁ ଭୋଳାକୁ ଡାକି ବୁଝୁଚି ।’’

 

ତା’ପରେ ନୃତ୍ୟକାଳୀ ବାହାରକୁ ଚାଲିଆସିଲା ଭୋଳାକୁ ଖୋଜିବା ଉଦ୍ଦେଶ୍ୟରେ । ସେ ଅଗଣା ମଝିରେ ଦିଆଯାଇଥିବା ବାଡ଼ ପାଖେ ଛିଡ଼ା ହେଇ ଚୁପ୍‌କିନା ଭୋଳାକୁ ଡାକିଲା । ଭୋଳା ଦୁଆରବନ୍ଧ ଉପରେ ବସିଥିଲା । ନିତ୍ୟା ଡାକରେ ସେ ଅଗଣାକୁ ଆସିବାରୁ ନିତ୍ୟା ପଚାରିଲା, ‘‘ଭୋଳା, ସାନବାବୁ କୋଉଠି ଅଛନ୍ତି କିରେ ?’’ ଭୋଳା ଧୀର ଗଳାରେ କହିଲା–‘‘ବାବୁ ଘରଭିତରେ ଶୋଇଛନ୍ତି ।’’

 

ତା’ପରେ ନାରାୟଣୀ ପାଖକୁ ଆସି ନୃତ୍ୟକାଳୀ ଜଣାଇଲା ଯେ ରାମ ଘରେ ଶୋଇଛି-। ଏତିକି ଶୁଣି ନାରାୟଣୀ ମନରେ ଶାନ୍ତି ଆସିଲା । ସେ ଭଗବାନଙ୍କ ଉଦ୍ଦେଶ୍ୟରେ ଦି’ହାତ ଟେକି ନମସ୍କାର କଲା ।

 

ତା’ ପରଦିନ ନାରାୟଣୀ ଖୁବ୍‌ ଭୋରରୁ ଉଠିଲା । କାଲି ରାତିରେ ତାକୁ ଜର ହୋଇଥିଲେ ବି ସେ ଟିକିଏ ହେଲେ ନିଜ ଦେହ କଥା ନ ଭାବି ଗାଧୋଇ ଆସି ନିତ୍ୟକର୍ମ ଶେଷ କଲା । ତା’ପରେ ରୋଷେଇଘରକୁ ଆସି ରାନ୍ଧଣାର ଆୟୋଜନ କରିବାକୁ ଲାଗିଲା ।

 

ସେତେବେଳକୁ ନାରାୟଣୀର ରନ୍ଧାବଢ଼ା ପ୍ରାୟ ଅଧାଅଧି ହେଲାଣି, ଏତିକିବେଳେ ଦିଗମ୍ୱରୀ ନିଦରୁ ଉଠି ତା’ ପାଖକୁ ଆସିଲା । ନାରାୟଣୀର ହାଠାତ୍‌ ଏ କାମ ଆଉ ଏତେପ୍ରକାର ଆୟୋଜନ ଦେଖି ସେ ଆଶ୍ଚର୍ଯ୍ୟ ନ ହୋଇ ରହିପାରିଲାନି । ଶାସନ କରିବା ଉଦ୍ଦେଶ୍ୟରେ କଡ଼ା ଗଳାରେ କହିଲା,–‘‘କାଲି ପରା ତୁ ହାଲିଆ ହେଇ ପଡ଼ିଥିଲୁ ? ତିନିଦିନ ହେଲା ପେଟକୁ ଦାନା ଯିବାକୁ ନାହିଁ, ଆଜି ରାତି ଥାଉଁ ଥାଉଁ ଉଠି ଏ ଛପନ ପ୍ରକାର ଭୋଗ କୋଉ ଠାକୁର ପାଇଁ ତିଆରି ହେଉଚି କି ?’’ ନାରାୟଣୀ ! ଏ ସବୁ କଣ ହଉଚି ପଚାରୁଚି ପରା ?’’

 

ନାରାୟଣୀ ବେଶ୍‌ ସ୍ନେହବୋଳା କଣ୍ଠରେ କହିଲା, ‘‘ଦେଖୁଚୁ ତ ବୋଉ ରୋଷେଇ କରୁଚି ।’’

 

‘‘ହଁ, ତା’ ଦେଖୁଚି ଯେ; କିନ୍ତୁ ଏସବୁ କାହିଁକି ଆଉ କାହାପାଇଁ ହଉଚି ? କ’ଣ ମୋ ହାତରନ୍ଧା ତତେ ପସନ୍ଦ ହଉନି ?’’

 

ନାରାୟଣୀ କିଛି ନ କହି ଚୁପଚାପ୍‌ ମନଯୋଗ ସହକାରେ କାମ କରିବାକୁ ଲାଗିଲା । ସେ ଯେପରି ଦିଗମ୍ୱରୀ କଥା ମୋଟେ ଶୁଣିନି ।

 

କାଲି ରାମ ଦିନସାରା ନିଜ କୋଠରୀରେ ଶୋଇ ଶୋଇ ନାନାପ୍ରକାର ଭାବନାରେ ମଗ୍ନ ଥିଲା । ପିଜୁଳିମାଡ଼ରେ କେତେ ଜୋରରେ ଭାଉଜ ମୁଣ୍ଡରେ ଆଘାତ ଲାଗିଚି ସେକଥା ଜାଣିବାପାଇଁ ଗୋଟିଏ କଞ୍ଚା ପିଜୁଳି ଆଣି ନିଜ ମୁଣ୍ଡରେ କେଇଥର ପିଟିଲା । ଏଥିରେ ବି ସେ ଶାନ୍ତି ପାଇଲାନି । ଭାଉଜକୁ ସେ ଜାଣତରେ ହେଉ ବା ଅଜାଣତରେ ହେଉ ନିଶ୍ଚୟ ମାରିଛି । ମୁଣ୍ଡରେ ଖୁବ୍‌ ଜୋରରେ ବାଜି ନ ଥିଲେ ସେ ହଠାତ୍‌ ତଳେ ବସି ପଡ଼ି ନ ଥାନ୍ତା । ଏବେ ସେ କଣ କଲେ ଏ କଳଙ୍କରୁ ମୁକ୍ତି ପାଇବ, ତା’ ସାଙ୍ଗେ ସାଙ୍ଗେ ଭାଉଜ ବି ସନ୍ତୁଷ୍ଟ ହେବ ?

 

ଅନେକ ବେଳଯାକେ ଏଇକଥା ଭାବୁ ଭାବୁ ହଠାତ୍‌ ତା’ ମନେପଡ଼ିଲା–ଥରେ ଭାଉଜ ତାକୁ କହିଥିଲେ କି ସେ ଏଠୁ ଚାଲିଯାଉ । ସେ ସେଥିରେ ରାଜି ନ ହେବାରୁ ଭାଉଜ ନିଜେ କୁଆଡ଼େ ଚାଲିଯିବ ବୋଲି ମଧ୍ୟ କହିଥିଲା । ଶେଷରେ ରାମ ଏଇ ସିଦ୍ଧାନ୍ତରେ ପହଞ୍ଚିଲା ଯେ, ସେ ଏଠୁ ଚାଲିଗଲେ ତା’ ଭାଉଜ ନିଶ୍ଚେ ଖୁସି ହେବ ।

 

ଏବେ ଯିବ ସେ କୋଉଠିକି ? ତାର ନିଜ ମାମୁଁଘର କଥା ମନେପଡ଼ିଲା । ସେ କେବେ ମାମୁଁଘରକୁ ଯାଇ ନ ଥିଲା । ଖାଲି ଶୁଣିଥିଲା, ତାରକେଶ୍ୱର ପାଖରେ କେଉଁଠି ତା’ ମାମୁଁଘର । ସେ ଠିକ୍‌ କଲା ଆଗେ ତାରକେଶ୍ୱରରେ ପହଞ୍ଚିବାକୁ ହେବ । ତା’ପରେ ଆଖ ପାଖରେ ମାମୁଁଘର ଖୋଜିବାକୁ ହେବ । କିନ୍ତୁ ତାରକେଶ୍ୱର ପର୍ଯ୍ୟନ୍ତ ଯିବାକୁ ବି ତ କିଛି ପଇସା ଦରକାର । ତା’ ପାଖରେ ଗୋଟିଏ ହେଲେ ପଇସା ନାହିଁ । ଏଥିପାଇଁ ଭାଉଜକୁ ଟଙ୍କାଏ ଦି’ଟଙ୍କା ମାଗିଲେ ହୁଏତ ମିଳିପାରେ । ଶେଷ ସୁଦ୍ଧା ଏ ଗାଁ ଛାଡ଼ି ଚାଲିଯିବା ନିଷ୍ପତ୍ତି କରି ସେ ଭୋଳାକୁ ଡାକ ପକାଇଲା । ଏହା ଭିତରେ କେତେ ଦରକାରୀ ଜିନିଷ ଏକାଠି କରି ଗୋଟିଏ ଗଣ୍ଠିରୀ କରିଥାଏ । ଭୋଳା ଆସି ପହଞ୍ଚିବାରୁ ରାମ ଚାଲିଯିବା କଥା ଶୁଣେଇଲା । ତା’ପରେ ବୁଝେଇ ସୁଝେଇ କହିଲା–ଭାଉଜ ପାଖକୁ ଯାଇ ଦି’ ଟଙ୍କା ମାଗି ଆଣିବାକୁ ।

 

ନାରାୟଣୀ ସେତେବେଳକୁ ରୋଷେଇ କରି ସାରିଥାଏ । ଗୋଟିଏ ଥାଳୀରେ ସବୁ ଜିନିଷ ସଜେଇ ରଖିବାରେ ବ୍ୟସ୍ତ ଥାଏ ସେ । ଏତିକିବେଳେ କବାଟ ପାଖରେ ଛିଡ଼ା ହେଇ ଭୋଳା ଡାକିଲା–‘ମା’ !’

 

ନାରାୟଣୀ ଅନେକଦେଇ ଭୋଳାକୁ ଦେଖି ପଚାରିଲା–‘‘କ’ଣରେ ଭୋଳା ?’’

 

ଭୋଳା ଆଗେ ଏ ଘରର କେତେକ କାମଧନ୍ଦା କରୁଥିଲା; କିନ୍ତୁ ରାମ ଧମକ ଦେବା ଦିନଠୁ ସେ ଏ ପାଖକୁ ଆସିବା ଛାଡ଼ି ଦେଇଚି ।

 

ଭୋଳା ନାରାୟଣୀକୁ ଅନେଇବା ଦେଖି କହିଲା–‘‘ମା’ ଟିକେ ଶୁଣିଯାଅ । ଗୋଟାଏ କଥା କହିବାକୁ ଅଛି ।’’

 

ନାରାୟଣୀ କୌତୁହଳୀ ହେଇ ଭୋଳା ପାଖକୁ ଆସିବାରୁ ଭୋଳା ଧୀର ଗଳାରେ ଫୁସ୍‌ ଫୁସ୍‌ ହେଇ କହିଲା, ‘‘ମା’, ତମେ ଯାହା କହିଥିଲ, ସେଇଆ ହବ; କିନ୍ତୁ ଦି’ଟା ଟଙ୍କା ଦରକାର ।’

 

ନାରାୟଣୀ କିଛି ବୁଝିପାରିଲାନି ଏ କଥାରୁ । ସେ ପୁଣି ଭୋଳାକୁ ପଚାରିଲା, ‘‘କ’ଣ ହବରେ ? ମୁଁ କଣ କହିଥିଲି ?’’

 

ଭୋଳା ଆଶ୍ଚର୍ଯ୍ୟ ସହକାରେ କହିଲା, ‘‘ମା, ସାନବାବୁଙ୍କୁ ଚାଲିଯିବା ପାଇଁ ତମେ କହିଥିଲ ନା ? ସେ ଯିବାପାଇଁ ତିଆର ହେଲେଣି । ରାସ୍ତା ଖର୍ଚ୍ଚ ପାଇଁ ଦିଇଟି ଟଙ୍କା ଦରକାର ।’’

 

ନାରାୟଣୀ ଏ କଥା ଶୁଣି ଅଧୈର୍ଯ୍ୟ ହେଇପଡ଼ିଲା । ସେ ବ୍ୟାକୁଳ ମନରେ ଭୋଳାକୁ କହିଲା, ‘‘ମୁଁ କେବେ କହିଥିଲି ରେ ସାନବାବୁଙ୍କୁ ଚାଲିଯିବାପାଇଁ ! କୋଉଠିକି ସେ ଯିବ ? କାହିଁ ସେ ?’

 

‘‘ବାହାରେ ନିମଗଛ ପାଖରେ ଛିଡ଼ା ହେଇଛନ୍ତି । ତାରକେଶ୍ୱର ତାଙ୍କର ମାମୁଁଘର । ସେଇଠିକି ଯିବେ । ମା’ ଡେରି ହଉଛି । ଯଦି ଦି’ଟଙ୍କା ନ ହେଉଛି, ତେବେ ଗୋଟିଏ ହେଲେ ଦିଅ-।’’

 

‘‘ଆଛା, ତୁ ଯାଇ ରାମକୁ ମୋ ପାଖକୁ ଡାକିଆଣ । କହ ମୁଁ ଡାକୁଚି ।’’

 

ଭୋଳା ନାରାୟଣୀର ଆଜ୍ଞା ପାଇ ବାହାରକୁ ଆସିଲା । ନାରାୟଣୀ ଅଧୈର୍ଯ୍ୟ ଚିତ୍ତ ଓ ବ୍ୟାକୁଳିତ ମନରେ ସେଇଠି ଛିଡ଼ା ହେଇ ରହିଲା ରାମର ଅପେକ୍ଷାରେ । ମନେ ମନେ ସେ ଭାବୁଥିଲା–‘‘ରାମ ସତରେ ଏଠୁ ଚାଲିଯିବ !’’

 

କିଛିକ୍ଷଣ ପରେ ରାମ କାନ୍ଧରେ ଗୋଟିଏ ଛୋଟିଆ ଗଣ୍ଠିରୀ ଝୁଲେଇ ଆସ୍ତେ ଆସ୍ତେ ଆସି ତଳକୁ ମୁହଁ ପୋତି ନାରାୟଣୀ ପାଖରେ ଛିଡ଼ା ହୋଇଗଲା । ନାରାୟଣୀର ହୃଦୟ ବାତ୍ସଲ୍ୟ ମମତାର ଆଧିକ୍ୟରେ ଯେପରି ଫାଟି ପଡ଼ୁଥିଲା । ସେ ହଠାତ୍‌ ରାମକୁ କିଛି କହିପାରିଲାନି । ହୃଦୟର ଆବେଗକୁ ରୂପ ଦେଇ ଓଠ ଦିଓଟି କେଇଥର ସ୍ପନ୍ଦିତ ହୋଇଉଠିଲା । ନାରାୟଣୀ ଏ ଅବସ୍ଥାରେ ବେଶି ସମୟ ନ ରହି ରାମର ହାତଟି ଧରି ରୋଷେଇଘରକୁ ସଜୋରେ ଟାଣି ନେଇଗଲା ।

 

ନାରାୟଣୀ ରାମକୁ ଧରି ରୋଷେଇଘର ଆଡ଼େ ଆସୁଥିବା ଦୃଶ୍ୟ ଦିଗମ୍ୱରୀ ଦୂରରୁ ଦେଖି ଆଶ୍ଚର୍ଯ୍ୟ ହେଇଗଲା । ସେ ଏକପ୍ରକାର ଦଉଡ଼ି ଦଉଡ଼ି ଆସି ରୋଷେଇଘର ଦୁଆର ପାଖରେ ପହଞ୍ଚିଲା । ଭିତରକୁ ପ୍ରବେଶ ନ କରି ସେଇ ଦୁଆରମୁହଁରୁ ଉଙ୍କିମାରି ସେ ଭିତରକୁ ଅନେଇଲା–ଦେଖିଲା ନାରାୟଣୀ ରାମକୁ କୋଳରେ ବସେଇଚି । ଆଗରେ କେଇଟି ଥାଳି ଓ ଥାଳିଆରେ ଖାଇବା ଜିନିଷ ପରଷା ଯାଇଛି । ରାମ ନାରୟଣୀ ଛାତିରେ ମୁହଁ ଲୁଚେଇ ଦେଇଛି । ନାରାୟଣୀ ଆଖିରୁ ଅଶ୍ରୁଧାର ଛୁଟିଛି । ସେଇ ଅଶ୍ରୁର ପ୍ଳାବନରେ ରାମର ମୁଣ୍ଡ ତିନ୍ତି ଓଦା ହେଇଯାଉଛି । ଦିଗମ୍ୱରୀ କେତେବେଳଯାକେ ଚୁପ୍‌ଚାପ୍‌ ଛିଡ଼ା ହେଇ ଏଇ ଦୃଶ୍ୟ ଦେଖୁଥିଲା । ତା’ପରେ ହଠାତ୍‌ ଘର ଭିତରେ ପଶିଯାଇ କହିଲା, ‘ଓହୋ, ଏଇଥିପାଇଁ ଏତେପ୍ରକାର ରାନ୍ଧଣା ହେଉଥିଲା ? ଗେହ୍ଲା ପୁଅକୁ ଖୁଆଯିବ ବୋଲି । ମୋ ଜୋଇଁ ଯେ ଏତେ ରାଣ ପକାଇଲେ ସେସବୁ କୁଆଡ଼େ ଉଡ଼ିଗଲା ପରା ?’’

ନାରାୟଣୀ ମୁହଁ ବୁଲାଇ କହିଲା, ‘‘ପାଇଁ ବୋଉ, ଉଡ଼ିଯିବ କାହିଁକି ! ରାଣ ଦେବା ଲୋକର ମାନ ତ ମୁଁ ତଳେ ପକେଇଦେଇନି । ତିନି ଦିନ ଆସି ହେଲା, ମୁଁ ନିଜେ ଖାଇନି କି ତାକୁ ଖୋଇଦେଇନି ।’’

ଏଥରକ ଦିଗମ୍ୱରୀ ଛଳେଇଲା ପରି କହିଲା,‘‘ଏମିତି କୋଳରେ ବସେଇ ଆଦର କରି ଖୋଇବାରେ ତା’ ରାଣ ଆଉ କୋଉଠି ରହିଲା ? ଯିଏ ରାଣ ଦେଇଥିଲା, ତାକୁ ଏ ବିଷୟରେ ଥରେ ପଚାରି ନେଇଥିଲେ କ’ଣ ହୋଇ ନ ଥାନ୍ତା ?’’

ନାରାୟଣୀ ନିଜ ବୋଉର ଏ ପ୍ରକାର ଆଘାତକୁ କଷ୍ଟେମଷ୍ଟେ ସହିନେଇ କହିଲା, ‘‘ମୁଁ ସବୁ ବୁଝି ସୁଝି କରିଛି ବୋଉ ।’’

କିନ୍ତୁ ଦିଗମ୍ୱରୀ ଏସବୁ ବିଶ୍ୱାସ କଲାନି । ସେ ଆହୁରି ରାଗିଉଠି କହିଲା,‘‘ମୁଁ ଦୁଧଖିଆ ପିଲା ନୁହେଁ ନାରାୟଣୀ ! ତୁ ସବୁ ବୁଝି ସୁଝି କଲୁ ଆଉ ମୁଁ କୋଉଠିକି ଯାଇଥିଲି ଯେ ଜାଣିପାରିଲି ନାହିଁ ?’’

ଏଥରକ ନାରାୟଣୀ ସହିବା ଅବସ୍ଥାରେ ନ ଥିଲା । ସେ ରୀତିମତ ଉତ୍ତେଜିତ ହୋଇ କହିଲା, ‘‘ତୁ କେମିତି ଜାଣିବୁ ବୋଉ କେତେବେଳେ କାହା ସହିତ ମୁଁ ବୁଝାମଣା କରେ ।’’ ତା’ ପରେ ସେ ଅତି ଆଦରରେ ରାମର ମୁହଁଟିକୁ ଉପରକୁ ଟେକିଦେଇ ସ୍ନେହରେ ଗୋଟିଏ ଚୁମ୍ୱନ ଆଙ୍କି ଦେଲା ତା’ ଶୁଷ୍କ ଓଠରେ । ତା’ ପରେ ପୁଣି କହିଲା, ‘‘ତା କେବଳ ସେଇ ବୁଝିବ ବୋଉ, ଯାହାକୁ କି ଛାତିରେ ଜାକି କୋଳରେ ଧରି ପିଲା ପରି ଏଡ଼େଟିରୁ ଏଡ଼େଟି କରିଚି । ତୁ କାହିଁକି ଏ ବିଷୟରେ ମୁଣ୍ଡ ଖେଳେଇଚୁ ବୋଉ ? ତୁ ଟିକିଏ ଏଠୁ ଗଲୁ ବୋଉ । ମୋ ପୁଅ ତିନି ଦିନ ହେଲା କିଛି ଖାଇନି । ତା’ ପାଟିରେ ଦି’ ତିନି ଗୁଣ୍ଡା ଆଗେ ଖୋଇଦିଏ ।’’ ଏତିକି କହୁ କହୁ ତା’ ଆଖିରୁ କେଇ ଟୋପା ସ୍ନେହ ଅଶ୍ରୁ ଝରିପଡ଼ିଲା ।

ଦିଗମ୍ୱରୀ ଏକବାରେ ଅବାକ ହୋଇଗଲା । ସେ ନିଜ ଝୁଅଠୁ ଏ କ’ଣ ଶୁଣୁଚି ? କିଛି ସମୟ ଗୁମ୍‌ ମାରି ତା’ ପରେ କହିଲା, ‘‘ଭଲ କଥା ଲୋ ମା, ହଁ ମୁଁ ତ ଅଡ଼ୁଆ ହେଇଚି । ମତେ ବିଦାୟ କରିଦିଅ । ଏ ଘରେ ଆଉ ଦଣ୍ଡେ ରହିବାକୁ ମୋ ଆତ୍ମା ଡାକୁନି ।’’

ନାରାୟଣୀ ବିନା ସଙ୍କୋଚରେ କହିଲା–‘‘ହଁ, ମୁଁ ବି ଏକଥା ମୁହଁ ଖୋଲି କହିପାରୁ ନ ଥିଲି । ଯେତେବେଳେ ଏ କଥା ଉଠିଲାଣି, ମୋର ବି ସେଇ ମତ । ତୋର ଆଉ ଏଠି ରହିବା ଠିକ୍‌ ହେବନି । ତୋ’ରି ଆଖି ଆଗରେ ମୋ ପୁଅଟା ଶୁଖି କଣ୍ଟା ହୋଇଗଲାଣି । ସହଜେ ତ ସେ ଦୁଷ୍ଟଟା, ତା’ ଉପରେ ତୋର ଦୃଷ୍ଟି ରହିବା ମତେ ଭଲ ଲାଗୁନି । ଆଜିକ ଯାଉ, କାଲି ତୋ’ ଯିବାର ସବୁ ଯୋଗାଡ଼ କରିଦେବି । ତୁ ଆଉ କିଛି ଭାବେ ନା । ମାସକୁ ମାସ ଖର୍ଚ୍ଚ ପାଇଁ ତୋ’ ପାଖରେ ଟଙ୍କା ପହଞ୍ଚି ଯାଉଥିବ । ଯା’ ତା ହବାର ଥିଲା ହୋଇଗଲା । ଆ ଏଣିକି ତୋ ପକ୍ଷେ ଏଠି ନ ରହିବା ଭଲ ।’’

 

ଦିଗମ୍ୱରୀ ନାରାୟଣୀ ମୁହଁରୁ ଏପରି ସ୍ପଷ୍ଟ କଥା ଶୁଣିବ ବୋଲି ଭୁଲରେ ବି ଆଶା କରି ନ ଥିଲା । ସେ କ’ଣ କହିବ ବୋଲି ହଉଥିଲା; କିନ୍ତୁ କିଛି କହିପାରିଲା ନି । କିଛି ସମୟ କାଠ ହୋଇ ଛିଡ଼ା ହୋଇ ରହିଲା । ତା’ପରେ ଗୋଟିଏ ଗୋଟିଏ ପାଦରେ ବାହାରକୁ ଚାଲିଆସିଲା ।

 

ରାମ ଭାଉଜ କୋଳରେ ବସି ସବୁ ମନ ଦେଇ ଶୁଣୁଥିଲା । ଦିଗମ୍ୱରୀକୁ ଚାଲିଯାଉଥିବା ଦେଖି ସେ କହିଲା–‘‘ଭାଉଜ, ସେ ଏଠି ରହୁ–ମୁଁ ଆଉ ଦୁଷ୍ଟାମୀ କରିବିନି । ଦେଖୁନା, ମୁଁ ଏକବାରେ ଭଲ ପିଲା ହୋଇଗଲିଣି ।’’

 

ନାରାୟଣୀ ପ୍ରାଣର ଆବେଗରେ ତା’ ମୁହଁଟିକି ନିଜ ମୁହଁରେ ଜାକି ଧରି ସ୍ନେହବାଳା ହସ ହସି କହିଲା–‘‘ସତରେ ? ଆଚ୍ଛା ଆଗେ ଏ ଦି’ ଗୁଣ୍ଡା ଖାଇଦେ ଟି........’’

Image